ପଦ୍ମପୁର ଉପନିର୍ବାଚନ ପାଇଁ ସରିଲା ନାମାଙ୍କନ ଯାଞ୍ଚ; ୧୧ ପ୍ରାର୍ଥୀପତ୍ର କାଏମ, ୨ ସ୍ଵାଧୀନ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ନାକଚ

ଭୁବନେଶ୍ଵର ( ସତ୍ୟପାଠ ବ୍ୟୁରୋ ): ପଦ୍ମପୁର ଉପନିର୍ବାଚନ ପାଇଁ ଗତକାଲି ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଥିଲା। ଏହାପରେ ଆଜି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚାଲିଛି ପ୍ରାର୍ଥୀପତ୍ର ଯାଞ୍ଚ୍ ଶେଷ ହୋଇଛି। ରିଟର୍ଣ୍ଣିଂ ଅଫିସରଙ୍କ ପ୍ରତ୍ୟକ୍ଷ ନିରୀକ୍ଷଣରେ ଏବଂ ଏଆରଓ ସଦାକର କୁମ୍ଭାରଙ୍କ ପରଚାଳନାରେ ଯାଞ୍ଚ୍ ପ୍ରକ୍ରିୟା ଶେଷ କରିଛନ୍ତି। ଏହି ସମୟରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ଉପସ୍ଥିତ ରହିଥିଲେ। ତେବେ ନାମାଙ୍କନ ଯାଞ୍ଚ ବେଳେ ଦୁଇ ସ୍ଵାଧୀନ ପ୍ରାର୍ଥୀ ଜୟନ୍ତ ଥାପା ଏବଂ ଦେବବ୍ରତ ସୁନାନୀଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଛି। ଯାଞ୍ଚ ପ୍ରକ୍ରିୟା ଶେଷ ପରେ ଏବେ ମୋଟ ୧୧ ଜଣ ପ୍ରାର୍ଥୀଙ୍କ ନାମାଙ୍କନ କାଏମ ରହିଛି। ଏନେଇ ସୂଚନା ଦେଇଛନ୍ତି ରିଟର୍ଣ୍ଣିଂ ଅଫିସର ତ୍ରିଲୋଚନ ପାତ୍ର।

ସୂଚନାଯୋଗ୍ୟ ଯେ, ଗତକାଲି ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଥିଲା। ତେବେ ପୂର୍ବରୁ କେହି ନାମାଙ୍କନ କରିନଥିବା ବେଳେ ଶେଷ ଦିନରେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି, କଂଗ୍ରେସ ସମେତ ଓଡ଼ିଶା ଜନତା ପାର୍ଟି (ଓଜେପି) ଓ ୯ ଜଣ ସ୍ୱାଧୀନ ପ୍ରାର୍ଥୀଙ୍କୁ ନେଇ ମୋଟ ୧୩ ଜଣ ପ୍ରାର୍ଥିପତ୍ର ଦାଖଲ କରିଥିଲେ। କଂଗ୍ରେସର ସତ୍ୟଭୂଷଣ ସାହୁ, ବିଜେଡିର ବର୍ଷାରାଣୀ ସିଂ ବରିହା ଓ ବିଜେପିର ପ୍ରଦୀପ ପୁରୋହିତଙ୍କ ସମେତ ଓଜିପିରୁ ମୁକ୍ତେଶ୍ୱର ଦାଶ, ଅଖିଳ ଭାରତ ହିନ୍ଦୁ ମହାସଭାରୁ ବିଦ୍ୟାଧର ପାଣ୍ଡବ ତଥା ସ୍ୱାଧିନ ପ୍ରାର୍ଥୀ ଭାବରେ ଜୟନ୍ତ ଥପା, ଶେଷଦେବ ସାହୁ, ବୃନ୍ଦାବନ ପୁରୋହିତ, ରେବତୀ ଗିରି, ଉଦିତ ବୋନ୍ଦିଆ, ଦେବାର୍ଚ୍ଚନ ନାଏକ, ଗଙ୍ଗାଧର ସାହା, ଦେବବ୍ରତ ସୁନାନୀ ନାମାଙ୍କନ ପତ୍ର ଦାଖଲ କରିଥିଲେ।

Related Posts