କଟକ ବକ୍ସିବଜାର ବେପାରୀ ସାହି ଅଂଚଳରେ ସିରିଜ ଲୁଟ୍: କ୍ୟାମେରାରେ କଏଦ ହେଲା ଦୃଶ୍ୟ

କଟକ : କଟକ ବକ୍ସିବଜାର ବେପାରୀ ସାହି ଅଂଚଳରେ ମାତିଛନ୍ତି ଲୁଟେରା। ଅନ୍ଧାର ରାତିରେ ସୁଯୋଗ ନେଇ କରିଛନ୍ତି ସିରିଜ ଲୁଟ୍ । ୩ ଜଣଙ୍କ ଘରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ।

ସୁନାଗହଣା ସହ ଲକ୍ଷାଧିକ ଟଙ୍କା ଓ ମୂଲ୍ୟବାନ ସାମଗ୍ରୀ ଧରି ହୋଇଗଲା ଫେରାର । ସିସିଟିଭିରେ ଲୁଟେରା ଜଣଙ୍କ କଏଦ ହୋଇଥିବା ବେଳେ ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି ପୋଲିସ।

ସୂଚନା ଅନୁସାରେ, ଘରର ଛାତ ଡେଇଁ କବାଟ ଭାଂଗି ଘରେ ପଶିଥିଲା ଦୁର୍ବୃତ୍ତ । ଆଉ କେଇ ମିନିଟରେ ଘରେ କଳାକନା ବୁଲାଇ ଛୁ ମାରୁଥିବା ଏହି ସିସିଟିଭି ଫୁଟେଜ୍‌ରୁ ଦେଖିବାକୁ ମିଳୁଛି । ଜଣଙ୍କ ଘରୁ ନୁହେଁ, ଏକାସାଙ୍ଗରେ ୩ ଜଣଙ୍କ ଘରୁ ଲୁଟ୍ କରି ଫେରାର ହୋଇଛି ଲୁଟେରା। କଟକ ମଂଗଳାବାଗ ଥାନା ବକ୍ସିବଜାର ବେପାରୀ ସାହିରେ ଏହି ସିରିଜ ଲୁଟ୍ ହୋଇଛି । ବୁଧବାର ବିଳମ୍ବିତ ରାତିରେ ସାହିର ଅଭିଜିତ ଭଗତ ଏବଂ ବିଶ୍ବଜିତ ନାୟକଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା, ନଗଦ ଟଙ୍କା, ଲାପଟପ, ମୋବାଇଲ ଲୁଟ୍ ହୋଇଛି । ସେହିଭଳି କଳ୍ପନା ସାହୁଙ୍କ ଘରୁ ଠାକୁରଙ୍କ ସୁନା ମୁକୁଟ, ସୁନା ଟିକିଲି, ରୂପା ସାମଗ୍ରୀ ଲୁଟ୍ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ତେବେ ଘରେ ଲାଗିଥିବା ସିସିଟିଭିରେ ଲୁଟେରାର ଭିଜୁଆଲ କଏଦ ହୋଇଛି।

ଅଭିଯୋଗ ଆସିବା ପରେ ମଂଗଳାବାଗ ଥାନାର କ୍ରାଇମ ୟୁନିଟ ଘଟଣାର ତଦନ୍ତ ଆରମ୍ଭ କରିଛି । ସିସିଟିଭି ଫୁଟେଜକୁ ଜବତ କରି ଯାଂଚ ଚଳାଇଛି । ଦୁର୍ବୃତ୍ତ ଜଣଙ୍କ ମୁହଁରେ କଳା ମାସ୍କ ଆଉ ମୁଣ୍ଡରେ କଳା ଟୋପି ପିନ୍ଧିଥିବା ଫୁଟେଜରେ ଦେଖିବାକୁ ମିଳିଛି ।

ଅଭିଯୋଗକାରୀଙ୍କ ସହ ପାଖାପାଖି ଲୋକଙ୍କୁ ପଚରାଉଚରା କରାଯାଉଛି। ଖୁବଶୀଘ୍ର ଅଭିଯୁକ୍ତ ଧରାପଡିବ ବୋଲି ମଂଗଳାବାଗ ଥାନା ଏସିପି କହିଛନ୍ତି। ଏହି ଲୁଟ ପରେ ଉକ୍ତ ଅଞ୍ଚଳର ପୋଲିସ ପାଟ୍ରୋଲିଂ କୁ ଅଧିକ କଡା କଡି କରିବା ପାଇଁ ଦାବି ହୋଇଛି ।

Related Posts