ପାକିସ୍ତାନରେ ଭୟଙ୍କର ବନ୍ୟା : ମୃତ୍ୟୁ ସଂଖ୍ୟା ୧ ହଜାର ଅତିକ୍ରମ

ଇସ୍ଲାମାବାଦ : ପାକିସ୍ତାନରେ ଭୟଙ୍କର ବନ୍ୟା ସୃଷ୍ଟି କରିଛି ବିତ୍ପାତ । ଏହି ବନ୍ୟା ଯୋଗୁଁ ପାକିସ୍ତାନରେ ମୃତ୍ୟୁସଂଖ୍ୟା ୧୦୬୧କୁ ବୃଦ୍ଧି ପାଇଛି । ଏହି ପ୍ରାକୃତିକ ଦୁର୍ବିପାକ ଯୋଗୁଁ ଆର୍ଥିକ ସଂକଟରେ ପଡ଼ିଥିବା ପାକିସ୍ତାନର ଅବସ୍ଥା ଆହୁରି ଖରାପ ହୋଇଯାଇଛି ।

ଏହି ଭୟଙ୍କର ବିପତ୍ତିକୁ ଦୃଷ୍ଟିରେ ରଖି ପାକିସ୍ତାନ ସରକାର ସମଗ୍ର ଦେଶରେ ଜାତୀୟ ଜରୁରୀ ପରିସ୍ଥିତି ଲାଗୁ କରିଛନ୍ତି । ଏହାକୁ ପାକ ସରକାର ଜଳବାୟୁ ଜନିତ ମାନବୀୟ ସଂକଟ ବୋଲି ଘୋଷଣା କରିଛନ୍ତି । ସହାୟତା ପାଇଁ ପାକିସ୍ତାନ ସରକାରଙ୍କ ନିବେଦନ ପରେ ଅନ୍ତର୍ଜାତୀୟ ସହାୟତା ପହଞ୍ଚିବାରେ ଲାଗିଛି । ତୁର୍କୀ, ୟୁଏଇ ପ୍ରଭୃତି ଦେଶ ପାକିସ୍ତାନକୁ ସହାୟତା ପଠାଇଛନ୍ତି ।

ଏହି ବନ୍ୟାରେ ପ୍ରାୟ ୩ କୋଟି ୩୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି ଏବଂ ବାସହୀନ ହୋଇପଡ଼ିଛନ୍ତି । ପ୍ରାୟ ୧୦ ଲକ୍ଷ ଘର ଭାଙ୍ଗିଯାଇଛି ।

ପାକିସ୍ତାନର ଜାତୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା (ଏନଡିଏମଏର ) ପକ୍ଷରୁ ଦେଶର ବିଭିନ୍ନ ଅଂଚଳକୁ ରିଲିଫ ପ୍ରେରଣ କରାଯାଉଛି । ପାକିସ୍ତାନୀ ସେନା ପକ୍ଷରୁ ବିଭିନ୍ନ ସ୍ଥାନରେ ସହାୟତା କାର୍ଯ୍ୟ କରାଯାଉଛି ।

ଏନଡିଏମଏର ସୂଚନା ଅନୁସାରେ ଅଗଷ୍ଟ ମାସରେ ପାକିସ୍ତାନରେ ସାଧାରଣତଃ ୪୮ ମିଲିମିଟର ବର୍ଷା ହୋଇଥାଏ । କିନ୍ତୁ ଏବର୍ଷ ରେକର୍ଡ ୧୬୬ ମିଲିମିଟର ବର୍ଷା ହୋଇଛି । ଏହି ବନ୍ୟା ୨୦୧୦ରେ ହୋଇଥିବା ବନ୍ୟାଠାରୁ ମଧ୍ୟ ଆହୁରି ଭୟଙ୍କର ବୋଲି ଏନଡିଏମଏ କହିଛି ।

ବନ୍ୟା ପ୍ରଭାବିତ ଅଞ୍ଚକର ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

Related Posts