ବିଜେପି-ବିଜେଡି ମେଣ୍ଟ ଆଡକୁ ଶାହଙ୍କ ଇସାରା

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚାକୁ ଆହୁରି ଅଧିକ ଖୋରାକ ଯୋଗାଇଲେ। ଶାହ କହିଲେ, ଓଡ଼ିଶାରେ କିଛି ବି ହୋଇପାରେ। ମେଣ୍ଟ ହେଲେ ଏକାଠି ଲଢ଼ିବୁ, ଆଉ ମେଣ୍ଟ ନହେଲେ ଏକାକୀ ଲଢ଼ିବୁ । କିନ୍ତୁ ଓଡ଼ିଶାରେ ବିଜେପିର ସ୍ଥିତି ବଦଳିବ । ଉଭୟ ବିଧାନସଭା ଓ ଲୋକସଭାରେ ବିଜେପି ବହୁତ ଭଲ ପ୍ରଦର୍ଶନ କରିବ | ଦିଲ୍ଲୀରେ ଏକ ଜାତୀୟ ଗଣମାଧ୍ୟମର ସାକ୍ଷାତକାର କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି କହିଛନ୍ତି ଅମିତ ଶାହ ।

ତେବେ ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଛେଦ ନପକାଇ ସେ କହିଛନ୍ତି ଯେ, ଏନେଇ ନିଷ୍ପତ୍ତି ହୋଇନାହିଁ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହାର ନିଷ୍ପତ୍ତି ନେବେ । କିନ୍ତୁ ନିଜ ମନ୍ତବ୍ୟରେ ଶାହ ଗୋଟିଏ କଥାକୁ ବାରମ୍ବାର ଦୋହରାଇ କହିଛନ୍ତି ଯେ, ବିଜେପି ଓଡ଼ିଶାରେ ଉଭୟ ବିଧାନସଭା ଓ ଲୋକସଭାରେ ଭଲ ପ୍ରଦର୍ଶନ କରିବ । ଆସନ ସଂଖ୍ୟା ବଢ଼ିବ । ଓଡ଼ିଶାରେ ବିଜେପି ଶକ୍ତିରେ ବଡ଼ ଅଭିବୃଦ୍ଧି ଘଟିବ । କିନ୍ତୁ ମେଣ୍ଟକୁ ପ୍ରତ୍ୟାଖାନ ନକରି ଶାହ କହିଛନ୍ତି ଯେ, ପ୍ରଥମେ ଓଡ଼ିଶାରେ ଆମେ ମେଣ୍ଟ କରିବୁ କି ଏକା ଲଢିବୁ ଏହା ସ୍ପଷ୍ଟ ହୋଇ ଯାଉ। ଏହା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । ଅର୍ଥାତ ପରୋକ୍ଷରେ ହେଉ ପଛେ ବିଜେଡି-ବିଜେପି ମେଣ୍ଟ ଆଡକୁ ଇସାରା କରିଛନ୍ତି ଶାହ ।

ଅନ୍ୟପଟେ ଗତକାଲି ଭିକେ ପାଣ୍ଡିଆନ୍‌ ମଧ୍ୟ ଏକ ଜାତୀୟ ଗଣେମାଧ୍ୟମରେ ସାକ୍ଷାତକାରରେ ମେଣ୍ଟ ଚର୍ଚ୍ଚାକୁ ଖଣ୍ଡନ କରିନଥିଲେ । ବରଂ ସେ କହିଥିଲେ କେନ୍ଦ୍ରରେ ଯେମିତି ବିଜେପି ସରକାର ଗଢ଼ିବା ପାଇଁ କାହାରି ସହ ମେଣ୍ଟ କରିବାର ଆବଶ୍ୟକତା ନାହିଁ । ଠିକ୍ ସେମିତି ଓଡ଼ିଶାରେ ବିଜେଡି ସରକାର ଗଢ଼ିବା ପାଇଁ କାହା ସହ ମେଣ୍ଟ କରିବା ଆବଶ୍ୟକ ନାହିଁ । କେବଳ ଓଡ଼ିଶାର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ମୋଦି-ନବୀନ ଏକାଠି ହୋଇପାରନ୍ତି । ତେବେ ଦୁଇ ଦିନରେ ଦୁଇ ଦଳର ଦୁଇ ନେତାଙ୍କ ଏଭଳି ବୟାନ ରାଜ୍ୟ ରାଜନୀତିକୁ ଅଧିକ ସରଗରମ କରିଛି |

Related Posts