କଟକ: ରାଜ୍ୟର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ବରଙ୍କ ଭକ୍ତଙ୍କ ପାଇଁ ଖୁସି ଖବର । ଧବଳେଶ୍ବରଙ୍କ ଦର୍ଶନ ପାଇଁ ଯାଉଥିବା ଆଉ ଭକ୍ତଙ୍କୁ ଝୁଲା ପୋଲ କିମ୍ବା ନଦୀ ପାର ହୋଇ ଯିବାକୁ ପଡ଼ିବ ନାହିଁ । ଧବଳେଶ୍ବରଙ୍କ ମନ୍ଦିର ସହ ସଂଯୋଗ କରିବ କଂକ୍ରିଟ୍ ସେତୁ। ପୂର୍ବରୁ ଝୁଲାପୋଲ ମାଧ୍ୟମରେ ପୀଠକୁ ସଂଯୋଗ କରାଯାଇଥିବାବେଳେ ଏବେ ମଂଚେଶ୍ବର ପଟୁ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ୨୨କୋଟି ୨୮ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ଚାଲିଥିବା ଏହି କଂକ୍ରିଟ୍ ସେତୁ ଫେବ୍ରୁଆରି ୨୦୨୩ ସୁଦ୍ଧା ସାରିବା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ଲକ୍ଷ୍ୟ ଧାର୍ଯ୍ୟ କରିଛି। ୭ଟି ସ୍ପାନ୍ ଉପରେ ନିର୍ମାଣ ହେବାକୁ ଥିବା ସେତୁର ୫ଟି ସ୍ପାନ୍ର କାମ ସରିଥିବା ଜଣାପଡିଛି। ବ୍ରିଜ୍ର ଲମ୍ବ ୨୪୬.୮୦ମିଟର ଓ ଚଉଡା ୫.୩୦ ମିଟର ରହିବ। ଅନ୍ୟପଟେ ଏହି ସେତୁ ନିର୍ମାଣ ହେଲେ ଧବଳେଶ୍ବର ପୀଠକୁ ଅଧିକ ଶ୍ରଦ୍ଧାଳୁ ଆସିପାରିବେ ଓ ଯାନବାହନ ପୀଠ ପର୍ଯ୍ୟନ୍ତ ଯାଇପାରିବ। ଅନ୍ୟପଟେ ଧବଳେଶ୍ବର ପୀଠ ବିକାଶ ପାଇଁ ୪୦କୋଟି ଟଙ୍କାର ଯୋଜନା କରାଯାଇଥିବାବେଳେ ଏ ନେଇ ବାରମ୍ବାର କେବଳ ସମୀକ୍ଷା ବୈଠକ କରାଯାଇଛି।
କିନ୍ତୁ ଆଜି ପର୍ଯ୍ୟନ୍ତ କାମ ଆରମ୍ଭ ହୋଇ ପାରିନି। ଏଥିପାଇଁ ସର୍ଭେ ଚାଲିଥିବାବେଳେ ଖୁବ୍ଶୀଘ୍ର ଏହାର କାର୍ଯ୍ୟ ଆରମ୍ଭ କରିବାକୁ ପ୍ରଶାସନ ଯୋଜନା କରିଛି। ମନ୍ଦିରର ବିକାଶ ତଥା ପାରିପାର୍ଶ୍ବିକ ଉନ୍ନୟନ ପାଇଁ ପୀଠ ଚାରିପାଖରେ ରିଂ-ରୋଡ୍, ସୋନ୍ଦର୍ଯ୍ୟୀକରଣ, ୪ଟି ଯାତାୟତ ପଥ, ଆଲୋକୀକରଣ, ଏଥିସହ ପଥର ପ୍ୟାକିଂ କରାଯିବ। ଅନ୍ୟପଟେ ଶ୍ରଦ୍ଧାଳୁଙ୍କ ଯାନବାହନ ରଖିବା ପାଇଁ ବ୍ୟବସ୍ଥା ଓ ସୋନ୍ଦର୍ଯ୍ୟୀକରଣ ପାଇଁ ପାଖାପାଖି ୭୧ଟି ଘର ଭଙ୍ଗାଯିବା ସହ ଯେଉଁ ପୂଜକଙ୍କ ଘର ଭଙ୍ଗାଯିବ ସେମାନଙ୍କୁ ପ୍ରଥମେ ଘର ଯୋଗାଇ ଦିଆଯିବ। ସୋନ୍ଦର୍ଯ୍ୟୀକରଣ, ପୂଜକଙ୍କ ଘର ଭାଙ୍ଗିବା ଓ ନୂତନ ଗୃହ ନିର୍ମାଣ କାର୍ଯ୍ୟ ୨୪କୋଟି ଟଙ୍କା ବ୍ୟୟରେ କରିବା ପାଇଁ ଆର୍ଆଣ୍ଡବି ବିଭାଗ ଯୋଜନା କରିଛି। ଏନେଇ ଦୁଇଥର ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିବାବେଳେ ଏହାର ସର୍ଭେ କାର୍ଯ୍ୟ ସରିନଥିବାରୁ କାର୍ଯ୍ୟ ଆରମ୍ଭ ହୋଇପାରିନଥିବା ଜଣାପଡିଛି। ପୀଠର ଡିଜାଇନ୍ ଆର୍କିଟେକ୍ ସ୍ବାଗତ ଜେନା ପ୍ରସ୍ତୁତ କରିଥିବାବେଳେ ଚାରବାଟିଆ ଆର୍ଆଣ୍ଡବି ବିଭାଗ ପକ୍ଷରୁ ଏହାର ବିକାଶ ନେଇ ପ୍ଲାନ୍, ଏଷ୍ଟିମେଟ୍ ଓ ଟେଣ୍ଡର୍ ଆଦି ସମସ୍ତ ପ୍ରକ୍ରିୟା ବର୍ଷା ସରିବା ପୂର୍ବରୁ ସାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବର୍ଷା ପରେ ପରେ ଏହାର କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ବାଇଁ ସୂଚନା ଦେଇଛନ୍ତି।
