ଯଦି ସତସାହସ ଅଛି ତେବେ ଏବେ ନିର୍ବାଚନ ଲଢିକି ଦେଖାନ୍ତୁ; ବିଜେପି ଓ ସିନ୍ଦେ ଗୋଷ୍ଠୀଙ୍କୁ ଉଦ୍ଧବଙ୍କ ଖୋଲା ଚ୍ୟାଲେଞ୍ଜ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ର ରାଜନୀତି ଉପରେ ସାରା ଦେଶର ନଜର ରହିଛି । ସେପଟେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଏକନାଥ ସିନ୍ଦେ ଶପଥଗ୍ରହଣ କରିବା ପରେ ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି । ଏହା ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ସାଂଘାତିକ ଅଭିଯୋଗ ଆଣିବା ସହ କହିଛନ୍ତି ଯେ, ଶିବସେନାକୁ ଶେଷ କରିଦେବାକୁ ଚାହୁଁଛି ବିଜେପି । ଜିଲ୍ଲା ସଭାପତିଙ୍କ ସହ ବୈଠକ କରି କିଛି ଏଭଳି କହିଛନ୍ତି ଉଦ୍ଧବ । ଶିବସେନାକୁ ଆହୁରି ସୁଦୃଢ କରିବାକୁ ଜିଲ୍ଲା ସଭାପତି ମାନଙ୍କୁ ଆହ୍ୱାନ ଦେଇଛନ୍ତି ଉଦ୍ଧବ ଠାକରେ । ଏହାସହ ଉଦ୍ଧବ ଉଭୟ ବିଜେପି ଓ ସିନ୍ଦେ ଗୋଷ୍ଠୀକୁ ଚ୍ୟାଲେଞ୍ଜ ଦେଇ କହିଛନ୍ତି, ଯଦି ସତସାହସ ଅଛି ତେବେ ଏବେ ନିର୍ବାଚନ ଲଢିକି ଦେଖାନ୍ତୁ ।ଗୋଟିଏ ପଟେ ସିନ୍ଦେଙ୍କ ଗୋଷ୍ଠୀ ଲଗାତାର ନିଜର ଶକ୍ତି ବୃଦ୍ଧି କରୁଥିବା ବେଳେ ଅନ୍ୟପଟେ ଜିଲ୍ଲା ସଭାପତିମାନଙ୍କ ସହ ବୈଠକ କରି ଏବେ ବି ଶିବସୈନିକ ତାଙ୍କ ସହ ଥିବା ନେଇ ସଂକେତ ଦେଇଛନ୍ତି ।

ଏହି ବୈଠକରେ ଉଦ୍ଧବ କହିଛନ୍ତି ଏଭଳି ରାଜନୈତିକ ଖେଳ ଖେଳିବା ଅପେକ୍ଷା ସାଧାରଣ ଲୋକଙ୍କ ପାଖକୁ ଯାଅ । ଯଦି ଆମେ ଭୁଲ ଥିବୁ ତେବେ ଲୋକ ଆମକୁ ଘରେ ବସାଇଦେବେ ଯଦି ତୁମେ ଭୁଲ ଥିବ ତେବେ ତୁମର ମଧ୍ୟ ସମାନ ଅବସ୍ଥା କରିବେ । ଏହାସହ ଉଦ୍ଧବ କହିଛନ୍ତି, ଯଦି ଲଢିବାର ଅଛି ତେବେ ମୋ ସହ ରୁହ ବୋଲି କହିଛନ୍ତି । ସେପଟେ ଶିବସେନାର ୩୯ରୁ ଅଧିକ ବିଧାୟକ ସିନ୍ଦେଙ୍କ ଗୋଷ୍ଠୀରେ ସାମିଲ ହୋଇଛନ୍ତି । ଆଉ ଏହି ବିଧାୟକ ମାନଙ୍କ ବଳରେ ସିନ୍ଦେ ବିଜେପିର ସମର୍ଥନରେ ମହାରାଷ୍ଟ୍ରରେ ସରକାର ଗଢିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts