‘ସଚିନ୍‌ ପାଇଲଟ୍‌ ଜଣେ ଗଦ୍ଦାର, ହାଇକମାଣ୍ଡ କେବେ ବି ତାଙ୍କୁ ମୁଖ୍ୟମନ୍ତ୍ରୀ କରିବେ ନାହିଁ’; ଅଶୋକ ଗେହଲଟ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ‘ସଚିନ୍‌ ପାଇଲଟ୍‌ ଜଣେ ଗଦ୍ଦାର, ସେ କେବେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ। ସେ ଦଳକୁ ଧୋକା ଦେଇଛନ୍ତି, ହାଇକମାଣ୍ଡ କେବେ ବି ତାଙ୍କୁ ମୁଖ୍ୟମନ୍ତ୍ରୀ କରିବେ ନାହିଁ..’; ଏମିତି କିଛି କହି ଆଜି ସଚିନ୍‌ ପାଇଲଟ୍‌ଙ୍କ ଉପରେ ବର୍ଷିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ସମୟରେ ଏମିତି କିଛି କହିଥିଲେ ଗେହଲଟ। ପାଇଲଟଙ୍କ ପ୍ରତି ଥିବା ଅସନ୍ତୋଷକୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଏବେ ଗଣମାଧ୍ୟମ ଆଗରେ ବଖାଣିଛନ୍ତି।

ଦଳର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କ ସହ ଗୁଜୁରାଟରେ ପ୍ରଚାର କରିବାକୁ ଆସିଥିବା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଜାତୀୟ ଗଣମାଧ୍ୟମ ସହ ଏକ ସ୍ୱତନ୍ତ୍ର ବାର୍ତ୍ତାଳାପରେ ନିଜ ମନର ଉଦ୍‌ବେଗକୁ ପ୍ରକାଶ କରିଛନ୍ତି। ଏହି ସାକ୍ଷାତକାର ସମୟରେ ସେ ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟଙ୍କୁ ୬ ଥର ‘ଦଳଦ୍ରୋହୀ’ ବୋଲି ସମ୍ବୋଧନ କରିଛନ୍ତି। ସେ କହିଛନ୍ତି ଯେ, ‘ଜଣେ ଦଳଦ୍ରୋହୀ କେବେ ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ ।ହାଇକମାଣ୍ଡ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରି ପାରିବେ ନାହିଁ, ତାଙ୍କ ଗୋଷ୍ଠୀରେ ୧୦ ଜଣ ବି ବିଧାୟକ ନାହାଁନ୍ତି, ସେ ଜଣେ ବିଦ୍ରୋହୀ। ସେ ଦଳ ପ୍ରତି ବିଶ୍ୱାସଘାତକତା କରିଛନ୍ତି, ସେ ଜଣେ ବେଇମାନ।”

ସାକ୍ଷାତକାର ସମୟରେ ଅଶୋକ ଗେହଲଟ୍‌ ୨୦୨୦ରେ ହୋଇଥିବା ‘ବିଦ୍ରୋହ’ ବିଷୟରେ ବିସ୍ତୃତ ଭାବରେ ବୁଝାଇଥିଲେ। ସେ କହିଥିଲେ ଯେ, “ଏମିତି ହୁଏତ ଭାରତରେ ପ୍ରଥମ ଥର ଘଟିଥିଲା, ଯେତେବେଳେ କି ଗୋଟିଏ ଦଳର ଅଧ୍ୟକ୍ଷ ନିଜ ସରକାରକୁ ହଟାଇବାକୁ ଚେଷ୍ଟା କରିଥିଲେ।’ “ଅଶୋକ ଗେହଲୋଟ୍‌ ଏନେଇ କୌଣସି ପ୍ରମାଣ ଦେଇନଥିଲେ କିନ୍ତୁ କହିଥିଲେ ଯେ, ଏହି ବିଦ୍ରୋହକୁ ଭାରତୀୟ ଜନତା ପାର୍ଟି (ବିଜେପି) ଆର୍ଥିକ ଅନୁଦାନ ଦେଇଛି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ବରିଷ୍ଠ ବିଜେପି ନେତା ଏହା ପଛରେ ଅଛନ୍ତି।

ସେତେବେଳେ ଦୁଇ ବର୍ଷ ଧରି ରାଜସ୍ଥାନର ଡେପୁଟି ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ସଚିନ୍ ପାଇଲଟ୍ ୧୯ ଜଣ ବିଧାୟକଙ୍କ ସହ ଦିଲ୍ଲୀ ନିକଟରେ ଏକ ପଞ୍ଚ ତାରକା ରିସର୍ଟରେ ପହଞ୍ଚିଥିଲେ। ଏହା କଂଗ୍ରେସ ପାଇଁ ସେତେବେଳେ ଏକ ବଡ଼ ଚ୍ୟାଲେଞ୍ଜ ଥିଲା ଯେ, ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ଉଚିତ ନା ସେ କଂଗ୍ରେସ ଛାଡିବେ ଏବଂ ଏହି କାରଣରୁ କେବଳ ଅଳ୍ପ କିଛି ରାଜ୍ୟରେ ଶାସନ କରୁଥିବା କଂଗ୍ରେସ ଗୋଟିଏ ରାଜ୍ୟରେ ଦୁଇଭାଗ ହୋଇଯାଇଥିଲା।

ଏକ ପଞ୍ଚତାରାକା ହୋଟେଲରେ ୧୦୦ରୁ ଅଧିକ ବିଧାୟକଙ୍କୁ ନେଇ ବିଦ୍ରୋହର ମଞ୍ଜି ବୁଣୁଥିବା ସଚିନ୍‌ ପାଇଲଟ୍‌ ହରଡ଼ଘଣାରେ ପଡ଼ିଥିଲେ। ସଚିନ ପାଇଲଟଙ୍କୁ ତାଙ୍କ କାମର ପରିଣାମ ଭୋଗିବାକୁ ପଡ଼ିଥିଲା। ତେବେ ଯଦିଓ ଗେହଲଟ ଓ ସଚିନ୍‌ଙ୍କ ମଧ୍ୟରେ ଏକ ଆପୋଷ ବୁଝାମଣା କରାଯାଇଥିଲା ତଥାପି ଜୋରିମାନା ଭାବରେ ତାଙ୍କୁ କେବଳ ରାଜ୍ୟ ଦଳର ସଭାପତି ପଦରୁ ହଟାଇ ଦିଆଯାଇନଥିଲା, ବରଂ ଉପମୁଖ୍ୟମନ୍ତ୍ରୀ ପଦ ମଧ୍ୟ ଛାଡ଼ିବାକୁ ପଡ଼ି‌ଥିଲା। ତେବେ କଂଗ୍ରେସରେ ସଚିନ୍‌ଙ୍କର ଦବଦବା ହ୍ରାସ ପାଇଥାଇ ପାରେ, କିନ୍ତୁ ରାଜ୍ୟର ଶୀର୍ଷ ପଦବୀରେ ପହଞ୍ଚିବାକୁ ତାଙ୍କର ଇଚ୍ଛା ଅକ୍ଷୁର୍ଣ୍ଣ ରହିଥିଲା ​​ଏବଂ ରାଜ୍ୟ ରାଜନୀତିରେ ଏକ ଅଜବ ଅଶାନ୍ତି ସୃଷ୍ଟି ହୋଇଥିଲା।

Related Posts