ମୁମ୍ବାଇ: ଇଡି ଦ୍ଵାରା ହେପାଜତରେ ଶିବସେନା ନେତା ସଞ୍ଜୟ ରାଉତ । ତେବେ ଇଡି ତାଙ୍କୁ ନିଜ ହେପାଜତକୁ ନେବା ପରେ ମଧ୍ୟ ନରମ ପଡି ନାହାନ୍ତି ସଞ୍ଜୟ ରାଉତ । ରବିବାର ଇଡି ଅଫିସ ସାମ୍ନାରେ ସେ ଜୋରଦାର ହୁଙ୍କାର ଭରିଛନ୍ତି।

ସଞ୍ଜୟ ରାଉତ କହିଛନ୍ତି, ମୋ ବିରୋଧରେ ମିଥ୍ୟା ମୋକଦ୍ଦମା କରାଯାଉଛି। ଶିବସେନାକୁ ଦୁର୍ବଳ କରିବାକୁ ଷଡଯନ୍ତ୍ର ରଚାଯାଉଛି।

ଉଲ୍ଲେଖନୀୟ, ଇଡି ରବିବାର ସକାଳ ୭ଟାରେ ସଞ୍ଜୟ ରାଉତଙ୍କ ଘରେ ଚଢାଉ କରିଥିଲା। ପ୍ରାୟ ନଅ ଘଣ୍ଟାର ତନାଘନା ପରେ ତାଙ୍କୁ ଇଡି ନିଜ ହେପାଜତରେ ନେଇଛି।

ଏହା ପୂର୍ବରୁ ସଞ୍ଜୟ ରାଉତ ଟୁଇଟ୍ କରି ଲେଖିଥିଲେ, ସେହିବ୍ୟକ୍ତିଙ୍କୁ ହରାଇ ପାରିବେ ନାହିଁ, ଯିଏ କେବେ ବି ହାର ମାନି ନାହିଁ। ମୁଁ ଜମାରୁ ନଇଁବି ନାହିଁ, ଜୟ ମହାରାଷ୍ଟ୍ର। ଇଡି କାର୍ଯ୍ୟାଳୟ ବାହାରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ସଞ୍ଜୟ ରାଉତ କହିଛନ୍ତି, ତାଙ୍କ ବିରୋଧରେ ମିଥ୍ୟା ମୋକଦ୍ଦମା, ମିଥ୍ୟା କାଗଜପତ୍ର ଏବଂ କାର୍ଯ୍ୟାନୁଷ୍ଠାନ କରାଯାଉଛି। ମହାରାଷ୍ଟ୍ର ଏବଂ ଶିବସେନାକୁ ଦୁର୍ବଳ କରିବା ପାଇଁ ଷଡଯନ୍ତ୍ର ରଚାଯାଉଛି। କିଛି ବି ହୋଇଯାଉ ଶିବସେନା ଛାଡିବି ନାହିଁ। ଏହି ଟୁଇଟ୍‌ରେ ସେ ବାଲାସାହେବ୍ ଠାକରେ ଏବଂ ଉଦ୍ଧବ ଠାକରେଙ୍କ ସହିତ ଫଟୋ ଲଗାଇଛନ୍ତି।

ସଞ୍ଜୟ ରାଉତ କହିଛନ୍ତି, ମୁଁ କେବେ ମଧ୍ୟ ଧୋକା ଦେଇନି। ମୁଁ ଶିବସେନା ସହିତି ରହିଛି ଏବଂ ରହିବି। ମୋତେ ଫାଶିରେ ଝୁଲାଇ ଦେଲେ ବି ଶିବସେନା ଛାଡିବି ନାହିଁ। ମୁଁ ଛଅ ମାସ ପୁର୍ବେ ଭେଙ୍କେୟା ନାଇଡୁଙ୍କୁ ଚିଠି ଲେଖି ଜଣାଇଥିଲି ଯେ, ମୋ ଉପରେ ଚାପ ପକାଯାଉଛି। ମୋତେ ଜେଲ୍‌ରେ ଭର୍ତ୍ତି କରିବାକୁ ଷଡଯନ୍ତ୍ର ରଚାଯାଉଛି ବୋଲି ରାଉତ କହିଛନ୍ତି ।