ମୁମ୍ବାଇ: ଜମି ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ପାଇଁ ଅଡ଼ୁଆ ବଢ଼ିବାକୁ ଲାଗିଛି । କୋର୍ଟ ତାଙ୍କୁ ଚାରି ଦିନିଆ ଇଡି ରିମାଣ୍ଡରେ ପଠାଇଛନ୍ତି। ଇଡି କୋର୍ଟରେ ଆଠ ଦିନିଆ ରିମାଣ୍ଡ ଦାବି କରିଥିଲା ବେଳେ କୋର୍ଟ ତାଂକୁ ୪ ଦିନିଆ ରିମାଣ୍ଡରେ ନେବା ନେଇ ଅନୁମତି ପ୍ରଦାନ୍ କରିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସଞ୍ଜୟ ରାଉତଙ୍କୁ ତାଙ୍କ ବାସଭବନରୁ ହେପାଜତରେ ନେଇଥିଲା। ଏହାପରେ ମଧ୍ୟ ରାତ୍ରିରେ ତାଙ୍କୁ ଗିରଫ କରାଯାଇଥିଲା। ସୋମବାର ସକାଳେ ଡାକ୍ତରୀ ପରୀକ୍ଷା ପରେ ଇଡି ତାଙ୍କୁ କୋର୍ଟରେ ହାଜର କରାଇଥିଲା। ଦୀର୍ଘ ସମୟ ଶୁଣାଣି ପରେ କୋର୍ଟ ସଞ୍ଜୟ ରାଉତଙ୍କୁ ଚାରି ଦିନିଆ ଇଡି ରିମାଣ୍ଡରେ ପଠାଇଛନ୍ତି।

ଅନ୍ୟପଟେ ଆଜି ସକାଳେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସଞ୍ଜୟ ରାଉତଙ୍କ ଖୋଲାଖୋଲି ସମର୍ଥନ କରିଛନ୍ତି। ସେ ସଞ୍ଜୟ ରାଉତଙ୍କୁ ପ୍ରକୃତ ଶିବସୈନିକ ଏବଂ ବାଲାସାହେବଙ୍କ ଅସଲି ସିପାହୀ କହିଛନ୍ତି। ଏହି ସମୟରେ ଉଦ୍ଧବ ଠାକରେ ବିଜେପି ଉପରେ ଖୁବ୍ ବର୍ଷିଛନ୍ତି। ସେ କହିଛନ୍ତି ସଞ୍ଜୟ ରାଉତ କେବେ ବି ସେମାନଙ୍କ ସାମ୍ନାରେ ମୁଣ୍ଡ ନୁଆଁଇବେ ନାହିଁ। ଏହା ପୂର୍ବରୁ ଉଦ୍ଧବ ଠାକରେ ସଞ୍ଜୟ ରାଉତଙ୍କ ଘରେ ପହଞ୍ଚିଥିଲେ ଏବଂ ତାଙ୍କ ପରିବାର ଲୋକଙ୍କୁ ଭେଟିଥିଲେ।

ଇଡି ରବିବାର ରାତିରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଗିରଫ କରିଥିଲା। ୧୨୦୦ କୋଟି ଟଙ୍କାର ପାତ୍ରା ଚଲ ଜମି ଦୁର୍ନୀତି ମାମଲାରେ ତାଙ୍କୁ ଗିରଫ କରାଯାଇଛି। ଏହା ପୂର୍ବରୁ ଇଡି ସଞ୍ଜୟଙ୍କ ଘରେ ପାଖାପାଖି ୧୭ ଘଣ୍ଟା ତଲାସି କରିଥିଲା। ଏହି ସମୟରେ ତାଙ୍କୁ ଏବଂ ତାଙ୍କ ପତ୍ନୀଙ୍କୁ ପଚରା ଉଚୁରା କରିଥିଲା।