➡️ ହେମଗିରି ବ୍ଲକ ନୂଆଡିହି ଗାଁରେ ଅଘଟଣ
➡️ ଝାରସୁଗୁଡ଼ା ଜିଲ୍ଲାର ୪ ଗୁରୁତର ହସ୍ପିଟାଲରେ ଭର୍ତ୍ତି, ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ୨୩ ମାସର ଶିଶୁ କନ୍ୟା

ସତ୍ୟପାଠ ବ୍ୟୁରୋ: ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ ଅନ୍ତର୍ଗତ ନୂଆଡ଼ିହି ଗାଁରେ ଏକ ଦୁଃଖଦ ଓ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏକ ଦଶାହ (ଶ୍ରାଦ୍ଧ) ଭୋଜି ଖାଇବା ପରେ ବିଷାକ୍ତ ଖାଦ୍ୟ ପ୍ରଭାବରେ ୪ ଜଣଙ୍କ ର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧୭ ଜଣ ଗୁରୁତର ଭାବେ ଆକ୍ରାନ୍ତ ହୋଇଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ପ ଗଭୀର ଶୋକର ଛାୟା ଖେଳାଇ ଦେଇଛି।
ମିଳିଥିବା ସୂଚନା ଅନୁଯାୟୀ, ନୂଆଡ଼ିହି ଗାଁରେ ଆୟୋଜିତ ଏକ ଦଶାହ ଭୋଜିରେ ଯୋଗଦେଇ ଲୋକେ ଖାଦ୍ୟ ଗ୍ରହଣ କରିଥିଲେ। ତେବେ ଭୋଜି ଖାଇବାର କିଛି ସମୟ ପରେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡ଼ିବାକୁ ଲାଗିଥିଲା। ଲୋକଙ୍କୁ ବାନ୍ତି ଓ ପେଟ କାଟିବା ଭଳି ଲକ୍ଷଣ ଦେଖାଯାଇଥିଲା।

ଖାଦ୍ୟ ବିଷକ୍ରିୟା ଯୋଗୁଁ ୪ ଜଣଙ୍କର ଦୁର୍ଭାଗ୍ୟଜନକ ମୃତ୍ୟୁ ଘଟିଛି। ସୁନ୍ଦରଗଡ଼ ଜିଲ୍ଲାର ୨ ମୃତକ ପରିଚୟ ମିଳି ନଥିବା ବେଳେ ଝାରସୁଗୁଡା ଜିଲ୍ଲାର ମୃତକ ଦ୍ୱୟ ହେଲେ ଅତାବିରା ପଞ୍ଚାୟତ ଅନ୍ତର୍ଗତ ସୁନାଖାଏନ ଗାଁର ଦ୍ୱିତୀୟା ଖଡ଼ିଆଙ୍କ ପତ୍ନୀ ଉଲ୍ଲାସ ଖଡ଼ିଆ (୪୦) ଏବଂ ମଙ୍ଗଳ ଖଡ଼ିଆଙ୍କ ପତ୍ନୀ ସୁକାନ୍ତି ଖଡ଼ିଆ (୬୦)। ପ୍ରାଥମିକ ସ୍ତରରେ ଖାଦ୍ୟ ବିଷାକ୍ତ (ଫୁଡ୍ ପଏଜନିଂ) ହେବା ଯୋଗୁଁ ହିଁ ଏହି ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।

ଅନ୍ୟପଟେ ଝାରସୁଗୁଡା ଜିଲ୍ଲାର ୪ ଗୁରୁତର
ଏହି ଅଘଟଣରେ ପ୍ରାୟ ୧୭ ଜଣ ଅସୁସ୍ଥ ହୋଇପଡ଼ିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କୁ ହେମଗିରି ସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ଝାରସୁଗୁଡ଼ା ଜିଲ୍ଲାର ୪ ଜଣ ବ୍ୟକ୍ତି ଗୁରୁତର ଆକ୍ରାନ୍ତ ହୋଇ ବିଭିନ୍ନ ହସ୍ପିଟାଲରେ ଜୀବନ ସହ ସଂଗ୍ରାମ କରୁଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୨୩ ମାସର ଶିଶୁ କନ୍ୟା ଏବଂ ଜଣେ ୧୧ ବର୍ଷର ନାବାଳିକା ମଧ୍ୟ ରହିଛନ୍ତି।

ଝାରସୁଗୁଡା ରେ ଚିକିତ୍ସିତ ହେଉଥିବା ଗୁରୁତର ବ୍ୟକ୍ତିମାନେ ହେଲେ:
| ଆକ୍ରାନ୍ତଙ୍କ ନାମ | ବୟସ | ଚିକିତ୍ସାଳୟ (Hospital) |
ଫକୀର ଖଡ଼ିଆ | ୬୨ ବର୍ଷ | ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH), ଝାରସୁଗୁଡ଼ା
ମଞ୍ଜରୀ ଖଡ଼ିଆ | ୩୧ ବର୍ଷ | ସମଲେଶ୍ୱରୀ ହସ୍ପିଟାଲ, ଝାରସୁଗୁଡ଼ା
ଅଞ୍ଜେଲିନା ଖଡ଼ିଆ | ୨୩ ମାସ | ସମଲେଶ୍ୱରୀ ହସ୍ପିଟାଲ, ଝାରସୁଗୁଡ଼ା
ରଶ୍ମି ଶ୍ମି ଖଡ଼ିଆ | ୧୧ ବର୍ଷ | ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH), ଝାରସୁଗୁଡ଼ା

ଘଟଣା ସମ୍ପର୍କରେ ଖବର ପାଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ମେଡିକାଲ ଟିମ୍ ତୁରନ୍ତ ନୂଆଡିହି ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଗାଁରେ ଅନ୍ୟ କୌଣସି ସନ୍ଦିଗ୍ଧ ଆକ୍ରାନ୍ତ ଅଛନ୍ତି କି ନାହିଁ, ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଖାଦ୍ୟରେ କେଉଁ କାରଣରୁ ବିଷକ୍ରିୟା ହେଲା, ସେ ନେଇ ନମୁନା ସଂଗ୍ରହ କରାଯିବା ସହ ପୋଲିସ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିତ ତଦନ୍ତ ଜାରି ରହିଛି।