ଭୁବନେଶ୍ୱର : ରାଜଧାନୀରେ ଶୁଭଶ୍ରୀ ମହାପାତ୍ର ଆତ୍ମହତ୍ୟା ଘଟଣା ଚାଞ୍ଚଲ୍ୟ ଖେଳାଇଥିବା ବେଳେ, ପୋଲିସ ହାତରେ ଲାଗିଛି ଅଭିଯୁକ୍ତ । ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଶାସ୍ତ୍ରୀନଗର ଘରେ ସିନ ରିକ୍ରେସନ୍ କରିଛି । ବୟଫ୍ରେଣ୍ଡ୍ ଚିତ୍ତ ଦେଖାଇଛି ଲାଷ୍ଟ ସିନ । ସନ୍ଦେହରୁ ଝଗଡ଼ା । ପରେ ଆତ୍ମହତ୍ୟା । ଶାସ୍ତ୍ରୀନଗରରେ ଶୁଭଶ୍ରୀ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁର ଏମିତି ତଥ୍ୟ ରଖିଛି କମିଶନରେଟ୍‌ ପୁଲିସ୍‌ । ଶୁଭଶ୍ରୀଙ୍କ ପୁରୁଷବନ୍ଧୁ ଥିଲା ଚିତ୍ତରଞ୍ଜନ ଜେନା ଓରଫ ବାବୁନା ।

ଅନ୍ୟ ଯୁବକଙ୍କ ସହ ଦେଖି ଶୁଭଶ୍ରୀଙ୍କୁ ସନ୍ଦେହ ନଜରରେ ଦେଖିଲା ଚିତ୍ତ । ଆଉ ପ୍ରବଳ ଝଗଡ଼ା ସହ ମାର୍‌ଧର୍‌ ବି କରୁଥିଲା । ଯାହାକୁ ସହିନପାରି ଶୁଭଶ୍ରୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ । ଡିସିପି ପ୍ରତୀକ ସିଂ କହିଛନ୍ତି, ଆତ୍ମହତ୍ୟା ପାଇଁ ଉସ୍‌କେଇବା, ମାର୍‌ଧର୍‌ କରିବା ଓ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଶୁଭଶ୍ରୀଙ୍କ ପୁରୁଷବନ୍ଧୁ ଚିତ୍ତକୁ ଖାରବେଳନଗର ଥାନା ପୁଲିସ ଗିରଫ କରିଛି ।

ମାମଲାରୁ ଆଇପିସି ଦଫା ୩୦୨(ହତ୍ୟା) ହଟାଇ ଚିତ୍ତ ନାଁରେ ୩୦୬(ଆତ୍ମହତ୍ୟା ପାଇଁ ପ୍ରରୋଚନା), ୨୦୧(ପ୍ରମାଣ ନଷ୍ଟ) ଭଳି ଦଫା ଲଗାଯାଇଛି । ତା’ଠାରୁ ଏକ ସ୍କୁଟି, ମୋବାଇଲ୍‌ ଫୋନ୍‌ ଓ ଖୋର୍ଦ୍ଧା ବାଇପାସ୍‌ରୁ ଆତ୍ମହତ୍ୟାରେ ବ୍ୟବହୃତ ଓଢ଼ଣୀ ଜବତ କରାଯାଇଛି ।

ପଡ଼ୋଶୀଙ୍କୁ ପଚରାଉଚରା ସହ ସାଇଣ୍ଟିଫିକ୍‌ ଟିମ୍‌ର ତଥ୍ୟ ଓ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ମଧ୍ୟ ତର୍ଜମା କରାଯାଇଥିଲା । ଶ୍ୱାସରୁଦ୍ଧରୁ ମୃତ୍ୟୁ ହୋଇଥିବା ପୋଷ୍ଟମୋର୍ଟମ ରିପୋର୍ଟରୁ ସୂଚନା ମିଳିଥିଲା । ମୃତ୍ୟୁ ପୂର୍ବରୁ ଶୁଭଶ୍ରୀଙ୍କୁ ମାର୍‌ଧର୍‌ କରାଯାଇଥିବା ରିପୋର୍ଟରେ ଉଲ୍ଲେଖ ଥିଲା ।