ଖୁବଶୀଘ୍ର ଆମେ ବିହାରରେ ଜେଡିୟୁ-ଆରଜେଡି ଗଠବନ୍ଧନ ଭାଙ୍ଗି ରାଜ୍ୟକୁ ଜେଡିୟୁ ମୁକ୍ତ କରିବୁ: ସୁଶୀଲ ମୋଦି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମଣିପୁରରେ ଭାରତୀୟ ଜନତା ପାର୍ଟି ନୀତୀଶ କୁମାରଙ୍କ ଜନତା ଦଳ ୟୁନାଇଟେଡ (ଜେଡିୟୁ)କୁ ଏକ ବଡ ଝଟକା ଦେଇଛି। ମଣିପୁରରେ ଜେଡିୟୁର ମୋଟ ୬ଜଣ ବିଧାୟକଙ୍କ ମଧ୍ୟରୁ ୫ଜଣ ବିଜେପିରେ ସାମିଲ ହୋଇଛନ୍ତି। ଏହାପରେ ପୁଣି ଥ‌ରେ ବିଜେପି- ଜେଡିୟୁ ମୁହାଁ ମୁହିଁ ହୋଇଛନ୍ତି। ୫ଜଣ ବିଧାୟକ ବିଜେପିରେ ସାମିଲ ହେବା ପରେ ବିଜେପି ରାଜ୍ୟସଭା ସାଂସଦ ତଥା ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀ କହିଛନ୍ତି ଯେ, ପ୍ରଥମେ ଅରୁଣାଚଳ ପ୍ରଦେଶ ଓ ବର୍ତ୍ତମାନ ମଣିପୁର ମଧ୍ୟ ଜେଡିୟୁ ମୁକ୍ତ ହୋଇଛି। ଏହା ଛଡା ସୁଶୀଲ ମୋଦୀ ଏହା ମଧ୍ୟ କହିଛନ୍ତି ଯେ ଖୁବ୍ ଶୀଘ୍ର ଆମେ ବିହାରରେ ଜେଡିୟୁ-ଆରଜେଡି ଗଠବନ୍ଧନ ଭାଙ୍ଗି ରାଜ୍ୟକୁ ଜେଡିୟୁ ମୁକ୍ତ କରିବୁ। ତେବେ ନୀତୀଶଙ୍କୁ କଟାକ୍ଷ କରି ସୁଶୀଲ କହିଛନ୍ତି ଯେ, ହୋର୍ଡିଙ୍ଗ ଓ ପୋଷ୍ଟର ଲଗାଇ କେହି ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ।

ତେବେ ସୁଶୀଲ ମୋଦୀଙ୍କ ଅରୁଣାଚଳ ପ୍ରଦେଶ ପରେ ମଣିପୁର ମଧ୍ୟ ଜେଡିୟୁ ମୁକ୍ତ ହେବା ବିବୃତି ଉପରେ ପ୍ରତିକ୍ରିୟା ଦେଇ ଜେଡିୟୁର ଜାତୀୟ ସଭାପତି ରାଜୀବ ରଂଜନ ସିଂ କହିଛନ୍ତି ଯେ, ସୁଶୀଲଜୀ ଆପଣଙ୍କୁ ମନେ ପକାଇବାକୁ ଚାହୁଁଛି ଯେ ଉଭୟ ଅରୁଣାଚଳ ଏବଂ ମଣିପୁରରେ ଜେଡିୟୁ ବିଜେପିକୁ ପରାସ୍ତ କରି ଆସନ ଜିତିଥିଲା। ତେଣୁ ଏହି ଦୁଇ ରାଜ୍ୟ ଜେଡିୟୁ ମୁକ୍ତି ହୋଇଛି ବୋଲି ସ୍ୱପ୍ନ ଦେଖ ନାହିଁ। ଆପଣଙ୍କର ମନେ ଥିବ ଯେ ୨୦୧୫ରେ ଅରୁଣାଚଳ ପ୍ରଦେଶରେ ପ୍ରଧାନମନ୍ତ୍ରୀ ୪୨ଟି ବୈଠକ କରି ୫୩ଟି ସିଟ୍ ଜିତିଥିଲେ। ହେଲେ ୨୦୨୪ରେ ଦେଶ ବିଜେପି ମୁକ୍ତ ହେବ, ଅପେକ୍ଷା କରନ୍ତୁ।

Related Posts