ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): SI ନିଯୁକ୍ତି ସ୍କାମ ର ଯେଉଁ ତଦନ୍ତ ଚାଲିଥିଲା ତାହା ବର୍ତ୍ତମାନ କେଉଁ ସ୍ଥାନରେ ବା କେଉଁ ସ୍ଥିତିରେ ପହଞ୍ଚିଛି ତାହା ଆପଣ ମାନେ ନଜର ରଖିଛନ୍ତି କି ନାହିଁ?ଯଦି ଏହା ଭିତରକୁ ଆପଣ ଗଭୀର ଭାବରେ ଦେଖିବେ ତେବେ ସ୍ପଷ୍ଟ ବାରି ପାରିବେ ପରିସ୍ଥିତି ସୁଧୁରିବା ବଦଳରେ ଏହା ଆହୁରି ଭୟଙ୍କର ସ୍ଥିତି ସୃଷ୍ଟି କଲାଣି।ତେଣୁ କୁହାଯାଏ ମୁଖ୍ୟମନ୍ତ୍ରୀ ବା ଜଣେ ମୁଖିଆଙ୍କ ଯେଉଁମାନେ ପରାମର୍ଶ ଦାତା ଅଛନ୍ତି ସେମାନେ ଯଦି ସଠିକ୍ ଢଙ୍ଗରେ କାର୍ଯ୍ୟ ନକରନ୍ତି ତେବେ ଏମାନଙ୍କ ପାଇଁ ଯେଉଁ ଅଡୁଆ ପରିସ୍ଥିତି ସୃଷ୍ଟି ହେବ ବିଚାରା ସେ ନେତା ଜଣଙ୍କ ବା ମୁଖିଆ ଜଣଙ୍କ ଅଡୁଆ ସୂତା ଖିଅରେ ଅଧିକ ଅଧିକ ଗୁଡ଼ାଇ ହେବା ସାର ହେବ।ଆମେ ଆଜି ସତ୍ୟପାଠରେ ଏହି ପ୍ରସଙ୍ଗରେ କିଛି କଥା ଆଲୋଚନା କରିବାକୁ ଯାଉଛି।
ପ୍ରଥମ କଥା ହେଲା କ୍ରାଇମବ୍ରାଞ୍ଚ ଯେଉଁ ଶୈଳୀରେ ଏହି ସ୍କାମର ତଦନ୍ତ କରୁଛି ବାସ୍ତବରେ ଏହା ମୁଖ୍ୟମନ୍ତ୍ରୀ ବା ସରକାରକୁ ବଞ୍ଚାଇବା ପାଇଁ କରୁଛି ନା ଏଭଳି ସ୍ଥିତି ଉପୁଜାଉଛି ପୁଣି ଅଧିକ ଅଧିକ ସରକାର ବା ମୁଖ୍ୟମନ୍ତ୍ରୀ ଭିତରକୁ ପଶି ପଶି ଯାଉଛନ୍ତି!ସେ ବିଗତ ସରକାରର ମୁଖ୍ୟମନ୍ତ୍ରୀ ହୁଅନ୍ତୁ ଅବା ବର୍ତ୍ତମାନର ମୂଖ୍ୟମନ୍ତ୍ରୀ ହୁଅନ୍ତୁ ନିଶ୍ଚିନ୍ତ ସମସ୍ତଙ୍କୁ ଅବଗତ ଅଛି ଯେ ଏଭଳି ସ୍କାମରେ ପ୍ରାୟତଃ କୌଣସି ମୁଖ୍ୟମନ୍ତ୍ରୀ ସିଧା ସଳଖ ସଂପୃକ୍ତ ନଥାନ୍ତି।କିନ୍ତୁ ପ୍ରଶ୍ନ ହେଉଛି କାହିଁକି ଫସୁଛନ୍ତି ମୂଖ୍ୟମନ୍ତ୍ରୀ?ବାସ୍ତବରେ ଏ ଫସିବାର କାରଣ କଣ?କାହିଁକି ଏହି SI ନିଯୁକ୍ତି ସ୍କାମ କଥା ଉଠିବା ମାତ୍ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଚେହେରା ବା ନାମ ଆଗକୁ ପଳାଇ ଆସୁଛି?କାହିଁକି ଏବେ ଲୋକେ ତାଙ୍କୁ ଆଙ୍ଗୁଳି ଦେଖାଇବା ଆରମ୍ଭ କଲେଣି?ଆଉ ଏମାନେ ଯଦି ଯଥା ଶୀଘ୍ର ଏକଥା ବୁଝି ନପାରାନ୍ତି ତେବେ ନୂଆପଡ଼ା ଉପ ନିର୍ବାଚନରେ ଏହାର କିଛି ନା କିଛି ପ୍ରଭାବ ପଡ଼ିବ ହିଁ ପଡ଼ିବ,ଏକଥାକୁ ଏଡ଼ାଇ ଦିଆଯାଇନପାରେ।ତେବେ ଗୋଟିଏ କଥା ଦେଖିବାକୁ ମିଳୁଛି ବା ମାଝି ସରକାରରେ ଗୋଟିଏ ପ୍ରୟାସ ଚାଲିଛି ଯେ, ବର୍ତ୍ତମାନର ସରକାରରେ ଯାହା ସବୁ କିଛି ଅସୁବିଧା ହେବ ସେଗୁଡିକ ସବୁ ବିଗତ ସରକାର ବା ବିଜୁ ଜନତା ଦଳର ସରକାର ହିଁ ଦାୟୀ ବୋଲି ପ୍ରଚାର କରାଯିବ।ତେବେ ଏହି କୌଶଳ ତୃତୀୟ ମହଲାରୁ ଉତ୍ପନ ହେଉଛି ବା ଲୋକସଭା ଭବନରୁ ନା ରାମମନ୍ଦିର ପାଖ କାର୍ଯ୍ୟାଳୟରୁ ଉତ୍ପନ ହେଉଛି ଏକଥା ବୁଝା ପଡୁନି।କିନ୍ତୁ ବାସ୍ତବରେ ସବୁ ପ୍ରସଙ୍ଗରେ ଏମାନେ ଯେଉଁ ବିଜେଡ଼ି ମୁଣ୍ଡରେ ଦୋଷ ଲଗାଇ ଖସିଯିବା ପାଇଁ ଚାହୁଁଛନ୍ତି ତାହା ଲୋକ ଆଉ ସହଜରେ ଗ୍ରହଣ କରିବା ସ୍ଥିତିରେ ନାହାଁନ୍ତି ବୋଲି ଲାଗୁଛି ଏମାନେ ଏକଥା ବୁଝି ପାରୁନାହାନ୍ତି।
ହଟାତ ବଣିକ ସଂସ୍ଥାକୁ ଏହି ସ୍କାମ ଭିତରକୁ ଟଣା ଗଲା।ଏଠାରେ ଆମେ କହି ରଖୁଛୁ ଆମେ କୌଣସି ତଦନ୍ତକାରୀ ସଂସ୍ଥା ନୁହଁ ବା ଆମେ ବଣିକ ସଂସ୍ଥାକୁ କୌଣସି କ୍ଲିନ୍ ଚିଟ୍ ଦେଉନାହୁଁ।ତେବେ ବଣିକ ସଂସ୍ଥାରେ କ୍ରାଇମବ୍ରାଞ୍ଚ ପସିବାପରେ ,ବଣିକ ସଂସ୍ଥାର ମାଲିକ ଗଣମାଧ୍ୟମରେ କାଗଜଆଦି ଦେଖାଇ ଯେଉଁ ପ୍ରତିକ୍ରିୟା ଦେଉଛନ୍ତି ତାକୁ ଦେଖିବାପରେ ଲାଗୁଛି କ୍ରାଇମବ୍ରାଞ୍ଚର ଏହି ପଦକ୍ଷେପ ବା ବଣିକ ସଂସ୍ଥାରେ ପସିବା ନିଷ୍ପତ୍ତି ବୁମେରାଂ ହୋଇଛି।ସବୁଠାରୁ ବଡ ପ୍ରଶ୍ନ ହେଲା ବଣିକ ସଂସ୍ଥାର ମାଲିକ ଗଣ ମାଧ୍ୟମରେ ଯେଉଁ କାଗଜ ବା ଚିଠା ଦେଖାଉଛନ୍ତି ସେ କପି କେଉଁଠୁ ଆସିଲା?ଏହା ଠିକ୍ ନା ଭୁଲ୍?ଏହା ସାମାଜିକ ଗଣମାଧ୍ୟମକୁ କିପରି ଆସିଲା?କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରୁ କୌଣସି ମନ୍ଦ ଉଦ୍ଦେଶ୍ୟ ରଖି ଏହାକୁ କେହି ବାହାରକୁ ଛାଡ଼ିଚି ନା ଏହା କେଉଁଠୁ ଆସିଲା?ସେ ଯାହା ବି ହେଉ,ସେ ଚିଠାକୁ ଦେଖାଇ ବଣିକ ସଂସ୍ଥାର ମାଲିକ କହୁଛନ୍ତି ଯେ,ଆମ ସଂସ୍ଥାର ୧୩ଜଣ ପିଲା ଶ୍ରୀକାକୁଲମ ଯାଉଥିଲେ ବୋଲି କ୍ରାଇମବ୍ରାଞ୍ଚ ଆମ ନାମରେ ମିଛ କହୁଛି।ବାସ୍ତବରେ ଆମ ସଂସ୍ଥାର ବା ଆମ କୋଚିଂ ସେଣ୍ଟର୍ ର ୬ଜଣା ପିଲା ଯାଉଥିଲେ ବୋଲି ବଣିକ ସଂସ୍ଥାର ମାଲିକ ଗଣମାଧକୁ କହୁଥିବା ଦେଖା ଯାଉଛି।କିନ୍ତୁ ମୂଳ ପ୍ରଶ୍ନ ହେଉଛି PRB କରୁଥିଲା କଣ?ହୋଇପାରେ PRB କହିପାରେ ପ୍ରଶ୍ନ ପତ୍ର ତ ଲିକ୍ ହୋଇନାହିଁ ତେଣୁ ଆମର କୌଣସି ଦୋଷ ନାହିଁ।କିନ୍ତୁ ଯେଉଁ କଥା ସାମ୍ନାକୁ ଆସୁଛି ବା କ୍ରାଇମବ୍ରାଞ୍ଚର ପ୍ରେସ୍ ରିଲିଜ୍ ରେ ଯାହା ଉଲ୍ଲେଖ ରହିଛି ତାହା ହେଉଛି ଏହା ଏକ କ୍ରାଇମ୍ ସିଣ୍ଡିକେଟ ଅପରାଧ। ତା ମାନେ ଏହି ସ୍କାମ ପଛରେ କ୍ରାଇମ୍ ସିଣ୍ଡିକେଟ ର ହାତ ଅଛି ବୋଲି କ୍ରାଇମବ୍ରାଞ୍ଚ ଜାଣି ସାରିଲାଣି। କିନ୍ତୁ ଏବେ କଥା ହେଉଛି ଏହି ତିନୋଟି ବସ୍ ଯାଉଥିଲା କୁଆଡେ ବା ଏହି ପରୀକ୍ଷାର୍ଥୀ ମାନେ କେଉଁଠିକୁ ଯାଉଥିଲେ? ଶୁଣା ଯାଉଛି ଯେ ଏମାନଙ୍କୁ କାଳେ ନିଆଯାଉଥିଲା ପ୍ରଶ୍ନ ପତ୍ର ଦେଖାଇଦିଆଯିବ,ଉତ୍ତର ମଧ୍ୟ ଅବଗତ କରାଇ ଦିଆଯିବ କିନ୍ତୁ ଏହାକୁ କୌଣସି ପରୀକ୍ଷାର୍ଥୀ ଆଣି ପାରିବେନି କି ଫଟୋ ଉଠାଇ ପାରିବେନି ବୋଲି କାଳେ ସର୍ତ୍ତ ରଖାଯାଇଥିଲା।ତେଣୁ ଆମେ ପଚାରିବା ପାଇଁ ଚାହୁଁଚୁ ଏସବୁ କାର୍ଯ୍ୟ ଯେଉଁମାନେ କରିଛନ୍ତି ବା କରୁଛନ୍ତି ସେମାନଙ୍କୁ କାହିଁକି ବନ୍ଧା ଯିବା ନାହିଁ?
ଏବେ କଥା ହେଉଛି କ୍ରାଇମବ୍ରାଞ୍ଚ ତାର ନିଜର ଲୋକଙ୍କୁ ବଞ୍ଚାଇବା ପାଇଁ ଯେଉଁ କୌଶଳ ଆପଣାଉଛି ତାହା ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ପାଇଁ ଆହୁରି ଅଡୁଆ ପରିସ୍ଥିତି ସୃଷ୍ଟି କଲାଣି।କାରଣ ଆପଣ ଲକ୍ଷ୍ୟ କରିଥିବେ ବିଜେପି ଦଳ ତରଫରୁ ଗଣମାଧ୍ୟମକୁ ଯେଉଁ ନେତେମାନେ ଆସୁଛନ୍ତି ଏହି ସ୍କାମ ବିଷୟରେ କହିବା ପାଇଁ ଏମାନେ ପୋଲିସ ବାବଦରେ ମଧ୍ୟ ଦୁଇପଦ କହିବା ପାଇଁ ସାହାସ ଯୁଟାଇ ପାରୁନାହାନ୍ତି।ପୋଲିସ ବଦମାସୀ କରିଛି,ପୋଲିସ ଅଧିକାରୀ ମାନେ ଏଥିରେ ସଂପୃକ୍ତି ଅଛନ୍ତି କି OPRB ଏହାକୁ ଠିକ୍ ଢଙ୍ଗରେ ପରିଚାଳନା କରିପାରିଲା ନାହିଁ କ୍ରାଇମବ୍ରାଞ୍ଚ ତଦନ୍ତ ଏହାକୁ ଗୋଳମାଳ କରୁଛି ଏକଥା କହିବା ମାନେ ନୁହେଁ ଯେ ମୋହନ ମାଝି ଙ୍କ ସରକାର ଭୁଲ୍ କରିଛି ବା ମୁଖ୍ୟମନ୍ତ୍ରୀ ଏଥିରେ ସଂପୃକ୍ତ ଅଛନ୍ତି କିନ୍ତୁ ବିଜେପି ନେତାମାନେ ଏକଥା କହିବାକୁ ସାସାହ ଜୁଟାଇ ପାରୁ ନାହାଁନ୍ତି।ତେବେ କଥା ହେଉଛି ITI ସଂସ୍ଥା ବିରୋଧରେ ଗୋହାଟି ୟୁନଭରସିଟି ଅତ୍ୟନ୍ତ ପ୍ରତିକୂଳ ମନ୍ତବ୍ୟ ଦେବା ସହ ତାଙ୍କ ହାତରୁ କାମ ଫେରସ୍ତ ନେଇଯାଇଥିବା ଅର୍ଥାତ ITI ସଂସ୍ଥାର ଚରିତ୍ର ଠିକ୍ ନୁହେଁ ବୋଲି ଜଣା ପଡ଼ିବା ପରେ ବି ଏହି ITI ସଂସ୍ଥାକୁ କେମିତି ମିଳିଲା କାମ ବା କିଏ ଦେଲା ତାହା ପ୍ରଶ୍ନ ଛିଡା କରିଛି।ଆଉ ଗୋଟିଏ ତଥ୍ୟ ହେଉଛି OPRB ର ପରୀକ୍ଷା ପରିଚାଳନା କରିବା ପାଇଁ ଯେଉଁ କମିଟି ଗଠନ କରାଯାଇଥିଲା ସେଥିରେ ଜଣେ OPS କ୍ୟାଡର SP ପାହ୍ୟାର ଅଧିକାରୀ ଅଛନ୍ତି ଏବଂ ତାଙ୍କ ପୁଅ ମଧ୍ୟ ଜଣେ ପରୀକ୍ଷାର୍ଥୀ ଥିଲେ ବୋଲି କୁହାଯାଉଛି କିନ୍ତୁ ଆମେ କହୁନାହୁଁ ତାଙ୍କ ପୁଅ ଏହି ସ୍କାମ ରେ ସାମିଲ ଅଛି ବା ସେ ଅଧିକାରୀ ଜଣଙ୍କ କୌଣସି ଦଲାଲ ସହିତ ଜଡ଼ିତ ଅଛନ୍ତି।
ଆମ କହିବା କଥା ହେଉଛି ଅଧିକାରୀ ଜଣଙ୍କ ପୁଅ ଜଣେ ପରୀକ୍ଷାର୍ଥୀ ହୋଇଥିବାରୁ ନିୟମ ଅନୁସାରେ ସେ ନିଜ ତରଫରୁ ଏହି ପରୀକ୍ଷା ପରିଚାଳନା କମିଟିରୁ ଓହରି ଯିବା ପାଇଁ କହିଛନ୍ତି କି ନାହିଁ?ଯଦି କହିଛନ୍ତି ତେବେ OPRB ଏବଂ କ୍ରାଇମବ୍ରାଞ୍ଚ ଏହା ସ୍ପଷ୍ଟ କରି ନିଜର ସତୀତ୍ୱର ପ୍ରମାଣ ଦେବା ସହିତ ମୋହନ ମାଝିଙ୍କ ସରକାରର ଦବଦବା ଦେଖନ୍ତୁ।ତେବେ ମୋହନ ମାଝି ଜାଣିବା ଦରକାର ପୁରା ହାଣ୍ଡିଏ ଅମୃତ କୁ ଦୁଇ ବୁନ୍ଦା ବିଷ ମଧ୍ୟ ବିଷାକ୍ତ କରିଦେବାର ଶକ୍ତି ରଖିଛି।ଆଗକୁ ନୂଆପଡ଼ା ଉପ ନିର୍ବାଚନ ଆସୁଛି।ତମାମ ଓଡ଼ିଶା ଏହି ସ୍କାମର ତଦନ୍ତ କେଉଁ ଦିଗକୁ ଯାଉଛି ତାହା ମଧ୍ୟ ନଜର ରଖିଛନ୍ତି।ଏହା ନୂଆପଡ଼ା ଉପ ନିର୍ବାଚନରେ ନିଶ୍ଚିନ୍ତ କାଣିଚାଏ ହେଉ ମଧ୍ୟ ପ୍ରଭାବ ପକାଇବ ତେଣୁ ସମୟ ଆସିଛି ଯେଉଁମାନେ ଏହାର ତଦନ୍ତ ଭାର ନେଇଛନ୍ତି ସେମାନଙ୍କୁ ଢିଲା ନଛାଡ଼ିଦେଇ ମୋହନ ମାଝି ତୀକ୍ଷ୍ଣ ଦୃଷ୍ଟିରେ ରଖିବା ଆବଶ୍ୟକ ନଚେତ୍ ନେଡି ଗୁଡ କହୁଣୀକୁ ବୋହି ଯିବାକୁ ଜମାରୁ ଅଧିକ ସମୟ ଲାଗିବ ନାହିଁ।





