ପୁରୀ : ଜ୍ବରରେ କମ୍ପୁଛନ୍ତି ମହାପ୍ରଭୁ | ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଏବେ ଅଣସର ଘରେ ମହାପ୍ରଭୁ | ଭଗବାନଙ୍କ ଅସୁସ୍ଥତାରେ ଯେମିତି ଶ୍ରୀମନ୍ଦିରରେ ନିରବତା ଛାଇଯାଇଛି। ମହାପ୍ରଭୁଙ୍କ ସୁସ୍ଥତା ପାଇଁ ସେବକମାନେ ଦିନରାତି ଏକ କରି ଦେଇଛନ୍ତି।
ଅସୁସ୍ଥ ଶ୍ରୀବିଗ୍ରହଙ୍କୁ ଦଇତାପତି ସେବକମାନେ ଶୁକ୍ଳବସ୍ତ୍ର ଲାଗି କରାଇଛନ୍ତି। ଖଣ୍ଡିଏ ମାତ୍ର ଶୁକ୍ଳ ବସ୍ତ୍ରରେ ମହାପ୍ରଭୁ ଅଣସର ପିଣ୍ଡିରେ ବିଶ୍ରାମ ନେଇଛନ୍ତି। ସମସ୍ତ ଦଇତାପତି ମଧ୍ୟ ଶୁକ୍ଳ ବସ୍ତ୍ର ପରିଧାନ କରି ସେବାରେ ଯୋଗ ଦେଇଛନ୍ତି। ଶୁକ୍ଲ ବସ୍ତ୍ର ସହ ମହାପ୍ରଭୁଙ୍କୁ ଫୁଲ ବି ଧଳା ରଙ୍ଗର ଲାଗି ହୋଇଛି।
ସେହିପରି ଅସୁସ୍ଥତା କାରଣରୁ ମହାପ୍ରଭୁଙ୍କ ପ୍ରିୟ ତୁଳସୀ ଲାଗି ହୋଇନାହିଁ। ଟଗର ସହ ଅନ୍ୟାନ୍ୟ ଧଳା ଫୁଲକୁ ମହାପ୍ରଭୁଙ୍କଠାରେ ଲାଗି କରାଯାଇଛି। ଅନ୍ୟ କୌଣସି ରଙ୍ଗର ଫୁଲ ଅଣସର ପିଣ୍ଡିକୁ ସଂପୂର୍ଣ୍ଣ ନିଷେଧ କରାଯାଇଛି। ଅସୁସ୍ଥ ମହାପ୍ରଭୁଙ୍କ ନିକଟରେ କୋଠ ଭୋଗ ଲାଗି ବାରଣ କରାଯାଇଥିବାରୁ ଅସୁସ୍ଥ ଶ୍ରୀଜିଉଙ୍କୁ ଗତକାଲିଠୁ ପଥି ଆକାରରେ କ୍ଷୀର, ସର, ଛେନା, ରାବିଡ଼ି ସହ ଆମ୍ବ, କଦଳୀ, ପଣସ ଆଦି ଫଳ ଭୋଗ ହୋଇଛି। ଏହି ଭୋଗ ଅଣସର ଘରୁ ବାହାରକୁ ନ ଆସିବାର ବିଧି ରହିଛି। ଏଣୁ ଅଣସର ପିଣ୍ଡିରେ ଥିବା ଶ୍ରୀଜିଉଙ୍କୁ ଏହି ଭୋଗ ଲାଗି ହେବା ପରେ ଦଇତାପତିମାନେ ଏହାକୁ ସେବନ କରିଥିଲେ।
ଅନ୍ୟପଟେ ମହାପ୍ରଭୁ ଏବେ ବିଶ୍ରାମ ନେଉଥିବା ବେଳେ, ଦୈନନ୍ଦିନ ଭଜନ, କୀର୍ତ୍ତନ, ଗୀତ, ଘଣ୍ଟଘଣ୍ଟା, ବାଜା ଶ୍ରୀମନ୍ଦିରରେ ନିଷେଧ କରାଯାଇଛି।
