ନୂଆବର୍ଷ ପାଇଁ ଶ୍ରୀମନ୍ଦିରରେ ସ୍ଵତନ୍ତ୍ର ବ୍ୟବସ୍ଥା; ଆଜି ରାତି ୧ଟାରେ ହେବ ଦ୍ବାରଫିଟା ଓ ମହାପ୍ରଭୁଙ୍କ ଦର୍ଶନ

ଭୁବନେଶ୍ୱର,୩୧/୧୨(ସତ୍ୟପାଠ ବ୍ୟୁରୋ): ରାତି ପାହିଲେ ଇଂରାଜୀ ନବବର୍ଷ। ଏଥିପାଇଁ ଆଜି ପୁରୀରେ ଦେଖିବାକୁ ମିଳିଛି ଅସମ୍ଭାଳ ଭିଡ। ତେବେ ଆସନ୍ତାକାଲି ନବବର୍ଷର ଆରମ୍ଭ ହେଉଥିବାରୁ ଆହୁରି ଅଧିକ ଭକ୍ତଙ୍କ ସମାଗମ ହେବ ବୋଲି ଆକଳନ କରାଯାଉଛି। ସ୍ଵାଭାବିକ ଭାବେ ସମସ୍ତ ଭକ୍ତ ନିଜ ନୂତନ ବର୍ଷ ମହାପ୍ରଭୁଙ୍କ ଦର୍ଶନ କରି ଆରମ୍ଭ କରିବାକୁ ଚାହିଁବେ। ତେଣୁ ଏହିଦିନ ଦର୍ଶନ ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ। କୌଣସି ଭକ୍ତ ମହାପ୍ରଭୁଙ୍କ ଦର୍ଶନରୁ ଯେପରି ବଞ୍ଚିତ ନହୁଅନ୍ତି, ସେଥିପାଇଁ ଡିସେମ୍ବର ୩୧ ରାତି ୧ଟାରୁ ଦ୍ବାରାଫିଟା ନୀତି ଆରମ୍ଭ ହେବ। ଏଥିପାଇଁ ମହାପ୍ରଭୁଙ୍କର ୩୧ ତାରିଖରେ ସଅଳ ପହୁଡ଼ କରାଯିବ।

ସୂଚନା ଅନୁସାରେ, ରାତି ୧ଟାରୁ ଦ୍ବାର ଫିଟା ସହ ମହାପ୍ରଭୁଙ୍କ ଦର୍ଶନ ଓ ନୀତିକାନ୍ତି ଚାଲିବ। ତେଣୁ ଶନିବାର ବିଳମ୍ବିତ ରାତିରୁ ମହାପ୍ରଭୁଙ୍କ ଦର୍ଶନର ସୁଯୋଗ ନେବେ ଭକ୍ତ। ଏଥିପାଇଁ ବଡ଼ଦାଣ୍ଡ ମଝିରେ ମାର୍କେଟ ଛକଠାରୁ ୨୦ଫୁଟର ଅସ୍ଥାୟୀ ବ୍ୟାରିକେଡ୍‌ କରାଯାଇଛି। ଖରାରୁ ରକ୍ଷା ପାଇଁ ବ୍ୟାରିକେଡ୍‌ ଉପରେ ସାମିଆନା ବନ୍ଧାଯାଇଛି। ଏଥିସହିତ, ୩୧ ତାରିଖ ମଧ୍ୟରାତ୍ରରୁ ବଡ଼ଦାଣ୍ଡକୁ ଭାରିଯାନ ପ୍ରବେଶ ନିଷିଦ୍ଧ କରାଯାଇଛି। ମାର୍କେଟ୍‌ ଛକରୁ ସିଂହଦ୍ବାର ପର୍ଯ୍ୟନ୍ତ ୱାନ-ୱେ ଟ୍ରାଫିକ୍‌ ବ୍ୟବସ୍ଥା କରାଯାଇଛି। ତେଣୁ, ଯେଉଁମାନେ ମାର୍କେଟ ଛକରୁ ବାହାରି ସିଂହଦ୍ବାର ଅଭିମୁଖେ ଯିବେ, ସେମାନେ ମନ୍ଦିର ପଛ ପାର୍ଶ୍ବରେ ବୁଲି ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ବାହାରି ମାର୍କେଟ୍‌ ଛକ ଆଡ଼କୁ ଆସିବେ।

Related Posts