
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଅନଲାଇନ ପାଠପଢ଼ା ପାଇଁ ବାପାମାଆ ମୋବାଇଲଟିଏ ଦେଇ ପାରିନଥ୍ôବାରୁ ପାଠ ଛାଡ଼ି ଦାଦନ ଖଟିବାକୁ ଗଲା ପୁଅ । ତେବେ ଭୋଗରାଇ ବ୍ଲକ ରସଲପୁର ପଞ୍ଚାୟତ ଅନ୍ତର୍ଗତ ଇସଲାମପୁର ବସ୍ତିର ପ୍ରାୟ ୧୦ଜଣ ପିଲା ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେବାପାଇଁ ଫର୍ମ ପୂରଣ କରିଥିଲେ। ମାତ୍ର ପରୀକ୍ଷା ଦେଇ ପାରିଲେନି ଜଣେ ଗରିବ ଛାତ୍ର ସକିଲ ଖାଁ। ବାପା ସବାନ୍ ଖାଁ ବେଙ୍ଗାଲୁରୁରେ ଶ୍ରମିକ ଭାବେ କାମ କରୁଥିବା ବେଳେ ମାଆ କରିଜାନ୍ ବିବି ଘରେ ରହନ୍ତି। ବଡ଼ପୁଅ ସାବିର ମାଟ୍ରିକ ପାସ ପରେ ଅଧାରୁ ପାଠପଢ଼ା ଛାଡ଼ି ବାପାଙ୍କ ସହିତ ଦାଦନ ଖଟିବାକୁ ଚାଲିଯାଇଛି।
୪ ଝିଅଙ୍କ ମଧ୍ୟରୁ ୩ ଝିଅଙ୍କୁ ବାପା ମାଆ ମାଗିଯାଚି ବାହାଘର କରିଦେଇଥିବା ବେଳେ ୧୦ ବର୍ଷର ଝିଅ ମର୍ଜିନା ମାଆଙ୍କ ସହ ରହିଛନ୍ତି। ତେବେ ମହାମାରୀ କରୋନା ଏହି ପରିବାରର ସବୁ ଆଶା ଓ ସ୍ବପ୍ନ ଧୂଳିସାତ କରି ଦେଇଥିଲା। କଟକଣା ମଧ୍ୟରେ ଅନଲାଇନ୍ ପାଠପଢ଼ା ପାଇଁ ବାପାମାଆ ମୋବାଇଲଟିଏ ଆଣି ଦେଇ ନ ପାରିବାରୁ ପାଠପଢ଼ାରେ ଡୋରିବାନ୍ଧି ଶେଷରେ ସକିଲ୍ ବି ଦାଦନ ଖଟିବାକୁ ଚାଲିଗଲେ ବୋଲି ମାଆ କରିଜାନ ବିବି କୋହଭରା କଣ୍ଠରେ କହିଥିଲେ। ଏଭଳି ପରିସ୍ଥିତିରେ ଏହି ଦୁସ୍ଥ ପରିବାର ଆବଶ୍ୟକ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ପ୍ରଶାସନକୁ ଅନୁରୋଧ କରିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।