ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଉତ୍ତର ପ୍ରଦେଶରେ ନିର୍ମାଣାଧୀନ ପ୍ରାୟ ୧ କିଲୋମିଟର ଲମ୍ବା ପୋଲର ଏକ ଅଂଶ ଭୁଶୁଡ଼ି ପଡ଼ିବାରୁ ୬ ଶ୍ରମିକ ମୃତ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିଛି । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶ ଲାଲପୁରା ଅଞ୍ଚଳର ମୋରାକାନ୍ଦର ପରସାନି ଏବଂ କୁରାର ନୈଥି ଏବଂ କାଣ୍ଡୌର ଗ୍ରାମରେ ।
ତେବେ ନିର୍ମାଣାଧୀନ ପ୍ରାୟ ୧ କିଲୋମିଟର ଲମ୍ବା ସେତୁର ଏକ ଅଂଶ, ଗୁରୁବାର ରାତି ପ୍ରାୟ ୩ଟା ସମୟରେ ବେତୱା ନଦୀରେ ଭୁଶୁଡ଼ି ପଡ଼ିବାରୁ ଛଅ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏମାନେ ସମସ୍ତେ ପୋଲର ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ। ତିନି ଜଣ ଲୋକ ସ୍ତମ୍ଭ ନିକଟରେ ଫସି ରହିଥିଲେ ଏବଂ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ସେମାନେ ରାତିରେ ସେତୁର ଏହି ଅଂଶରେ ଶୋଇଥିଲେ।
ଝଡ଼ ଏବଂ ବର୍ଷା ସମୟରେ ଏହି ଘଟଣା ଘଟିଥିଲା, ଯାହା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଥାଏ। ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି। ସେପଟେ ରାଜ୍ୟ ସଭା ସଦସ୍ୟ ବାବୁରାମ ନିଷାଦଙ୍କ ପ୍ରୟାସରେ ଅନୁମୋଦିତ ଏହି ସେତୁ ତାଙ୍କ ଗ୍ରାମ ମୋରାକାନ୍ଦର ପରସାନି ନିକଟରେ ନିର୍ମାଣ କରାଯାଉଥିଲା। ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଅନୁମାନ କରାଯାଉଛି। ପୋଲିସ ସୂଚନା ଅନୁଯାୟୀ, ତିନୋଟି ସ୍ତମ୍ଭରେ ଫସି ରହିଥିବା ଆହତମାନଙ୍କୁ ଏବଂ ଭଗ୍ନାବଶେଷ ତଳେ ପୋତାଯାଇଥିବା ମୃତଦେହଗୁଡ଼ିକୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି।
