୮ ବର୍ଷ ପରେ ଗିରଫ ହେଲେ ରୋଜଭ୍ୟାଲି ଓଡ଼ିଶା ମୁଖ୍ୟ ବିକ୍ରମଜିତ୍ ଭୌମିକ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ରୋଜ୍ ଭ୍ୟାଲି ଚିଟଫଣ୍ଡ ସଂସ୍ଥାର ଓଡ଼ିଶା ଶାଖାର ମୁଖ୍ୟ ବିକ୍ରମଜିତ ଭୌମିକ ଶେଷରେ ଗିରଫ ହୋଇଛନ୍ତି। ତାଙ୍କୁ ପଶ୍ଚିମବଙ୍ଗର ମଇନାରୁ ଗିରଫ କରାଯାଇଛି। କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ବିକ୍ରମଜିତ ଭୌମିକଙ୍କୁ ଗିରଫ କରିଥିବାର ସୂଚନା ମିଳିଛି। ସେ ୨୦୧୩ ରୁ ଫେରାର ଥିଲେ ।

ଗିରଫ ପରେ ବିକ୍ରମଜିତଙ୍କୁ ବାଲେଶ୍ୱର OPID କୋର୍ଟରେ ହାଜର କରାଯାଇଛି । ତେବେ ଅଧିକ ପଚରାଉଚରା କରିବା ପାଇଁ ତାଙ୍କୁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେଇଛି । ରୋଜଭ୍ୟାଲିରେ ନିବେଶ କରିଥିବା ଲୋକଙ୍କୁ ଟଙ୍କା ଠକିଥିବା ଅଭିଯୋଗରେ ତାଙ୍କ ବିରୋଧରେ ବାଲେଶ୍ୱର ସୋର ଥାନାରେ ହୋଇଥିବା ୧୫/୨୦୧୩ ମାମଲାରେ ତାଙ୍କୁ ଗିରଫ କରାଯାଇଛି । ସରକାରୀ ଓକିଲ ସୁଲଳିତ କର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ , ଏହି ମାମଲାଟି ୨୦୧୩ ମସିହା, ସେବେଠୁ ଅଭିଯୁକ୍ତ ଫେରାର ଥିଲେ। ପଶ୍ଚିମବଙ୍ଗର ମଇନାରୁ ବାଲେଶ୍ୱର-ଇକୋନୋମିକ୍ସ ୱିଙ୍ଗ୍ସର ଡିଏସ୍‌ପି ତାଙ୍କୁ ଗିରଫ କରିଛନ୍ତି।

ପୂର୍ବରୁ ସିବିଆଇ ୨୦୧୫ରେ ଗୌତମ କୁଣ୍ଡୁଙ୍କ ଗିରଫ କରିଥିଲା। ଏଥିସହ ଗୌତମଙ୍କ ୨୩୦୦ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କରାଯାଇଥିଲା। ଯେଉଁଥିରେ ହୋଟେଲ, ରିସର୍ଟ ଆଦି ରହିଛି। ରୋଜ୍ ଭ୍ୟାଲି ସାଥି ୨୭ଟି କମ୍ପାନୀ ମାଧ୍ୟରେ ଚିଟଫଣ୍ଡ ସ୍କାମ କରି ଲୋକଙ୍କୁ ଲୁଟୁଥିଲା। ରୋଜଭ୍ୟାଲି ଗ୍ରୁପ୍ ୧୫ ହଜାର କୋଟିର ସ୍କାମ କରିଥିବା ଅଭିଯୋଗ ହୋଇଥିଲା। ରୋଜ୍ ଭ୍ୟାଲି ଚିଟଫଣ୍ଡ ସଂସ୍ଥାର ଅଧ୍ୟକ୍ଷ ଗୌତମ କୁଣ୍ଡୁ ଓ ପରିଚାଳନା ନିର୍ଦେଶକ ଶିବମୟ ଦତ୍ତଙ୍କୁ ଗିରଫ କରଯାଇଥିଲା। ଏହି ସଂସ୍ଥା ଲୋକଙ୍କ କୋଟି କୋଟି ଟଙ୍କା ଠକିଥିବାର ଅଭିଯୋଗ ହୋଇଥିଲା। ୨୦୨୧ରେ ଜାନୁଆରି ୧୫ରେ ରୋଜଭ୍ୟାଲିର ମୁଖ୍ୟ ଗୌତମକୁଣ୍ଡୁଙ୍କ ସ୍ତ୍ରୀକୁ ଗିରଫ କରାଯାଇଥିଲା। 

Related Posts