ନିଦ୍ରାରେ ଓଡ଼ିଶା: ପ୍ରଧାନମନ୍ତ୍ରୀଙ୍କୁ ଭେଟି ପୋଲାଭରମ ପାଇଁ ୧୦ ହଜାର କୋଟି ଟଙ୍କା ମାଗିଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଅଣ୍ଟା ଭିଡ଼ିଲେ ଆନ୍ଧ୍ର ସରକାର । ବିବାଦୀୟ ପୋଲାଭରମ ଇନ୍ଦିରା ସାଗର ବହୁମୁଖୀ ଜଳସେଚନ ପ୍ରକଳ୍ପ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାବେଳେ ପ୍ରକଳ୍ପ କାର୍ଯ୍ୟକୁ ଶୀଘ୍ର ଶେଷ କରିବାକୁ ଜୋର୍‌ସୋର ଉଦ୍ୟମ ଆରମ୍ଭ କରିଛନ୍ତି ଆନ୍ଧ୍ର ସରକାର । ସୋମବାର ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ଼ି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରି ଏହି ପ୍ରକଳ୍ପ କ‌ାର୍ଯ୍ୟ ତ୍ବରାନ୍ବିତ ପାଇଁ ୧୦ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ମାଗିଛନ୍ତି।

କେବଳ ସେତିକି ନୁହେଁ, ବୈଷୟିକ ପରାମର୍ଶଦାତା କମିଟି ପ୍ରକଳ୍ପ ପାଇଁ ୫୫ ହଜାର ୫୪୯ କୋଟି ଟଙ୍କାର ଯେଉଁ ସଂଶୋଧିତ ବ୍ୟୟ ଅଟକଳ ସୁପାରିସ କରିଛି ତାହାକୁ ମଞ୍ଜୁର କରିବା ଓ ପ୍ରକଳ୍ପ ପାଇଁ ରାଜ୍ୟ ପକ୍ଷରୁ ଖର୍ଚ୍ଚ କରାଯାଇଥିବା ୨୯୦୦ କୋଟି ଟଙ୍କାର ଭରଣା ପାଇଁ ମଧ୍ୟ ସେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଥିଲେ। କେନ୍ଦ୍ର ସରକାର ଆନ୍ଧ୍ରପ୍ରଦେଶକୁ ସମସ୍ତ ପ୍ରକାର ସହାୟତା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଥିବା ଅତି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ପୋଲାଭରମ୍ ପ୍ରକଳ୍ପ କ୍ଷେତ୍ରରେ ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ମାମଲାଟିଏ ରୁଜୁ କରି ଦାୟିତ୍ବ ଝାଡ଼ି ଦେଇଛନ୍ତି। ସୁପ୍ରିମକୋର୍ଟରେଏହି ମାମଲାର ତ୍ବରିତ ଶୁଣାଣି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ତତ୍ପରତା ପ୍ରକାଶ ପାଉନାହିଁ। ପୋଲାଭରମ ପ୍ରକଳ୍ପକୁ ବିରୋଧ କରି ଓଡ଼ିଶା ପକ୍ଷରୁ ୨୦୦୭ରେ ଦାଖଲ କରାଯାଇଥିବା ଅରିଜିନାଲ ସୁଟ୍‌ ତଥା ପରବର୍ତ୍ତୀ ସମୟ‌ରେ ଦାଖଲ କରାଯାଇଥିବା ଏକାଧିକ ମଧ୍ୟବର୍ତ୍ତିକାଳୀନ ଆବେଦନଗୁଡ଼ିକ ଏବେ ବି ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରାଧୀନ ରହିଛି। ପୋଲାଭରମ ପ୍ରକଳ୍ପ ଯୋଗୁଁ ମାଲକାନଗିରି ଜିଲ୍ଲାର ଜନଜାତି ପ୍ରଭାବିତ ହେବା ସହ ବ୍ୟାପକ ଅଂଚଳ ବୁଡ଼ିବା ସହ ଜୈବ ବିବିଧତା ନଷ୍ଟ ହେବାର ଆଶଙ୍କା କରାଯାଇଛି। ଏଥି ସହିତ ପଛୁଆ ବନ୍ୟାଜଳ ସମସ୍ୟାର ସମାଧାନ ପାଇଁ ସାବେରୀ ଓ ସିଲେରୁ ନଦୀରେ ଆଡ଼ିବନ୍ଧ ପ୍ରସ୍ତାବକୁ ଓଡ଼ିଶା ବିରୋଧ କରୁଛି।

ଓଡ଼ିଶା ସରକାର ସେବେ କହିଥିଲେ, ପୋଲାଭରମ ପ୍ରକଳ୍ପର ବନ୍ୟା ଜଳ ପରିମାଣ ୩୬ ଲକ୍ଷ କ୍ୟୁସେକରୁ ୫୦ ଲକ୍ଷ କ୍ୟୁସେକ୍‌କୁ ସଂଶୋଧନ କରାଯାଇଛି। ଏମିତି ହେଲେ ମାଲକାନଗିରି ଜିଲ୍ଲାର ୨୫୦ ଟି ଗ୍ରାମ ଓ ୬ ହଜାର ୯୨୩ ଲୋକ ପ୍ରଭାବିତ ହେବେ। ବିଡ଼ମ୍ବନା ହେଲା, ସର୍ବୋଚ୍ଚ ନ୍ୟାୟାଳୟରେ ଏହି ମାମଲାର ଶୁଣାଣି ୫୨ଥର ହୋଇସାରିଛି। କରୋନା କଟକଣା ଯୋଗୁଁ ମାର୍ଚ୍ଚ ୨୦୨୦ ପରଠାରୁ ବର୍ତ୍ତମାନ ସୁଦ୍ଧା କୌଣସି ଶୁଣାଣି ହୋଇପାରିନାହିଁ।

ସୁପ୍ରିମକୋର୍ଟ ମାମଲାର ତ୍ବରିତ ଶୁଣାଣି ପାଇଁ ପଦକ୍ଷେପ ନାହିଁ
୭୨% ନିର୍ମାଣ ସରିଲାଣି, ଆସନ୍ତା ଖରିଫ୍ ସୁଦ୍ଧା ସରିବା ଲକ୍ଷ୍ୟ
ନବୀନ ବି ମୋଦୀଙ୍କୁ ଭେଟିଥିଲେ, କେନ୍ଦ୍ର ସହଯୋଗ କଲାନି

ଓଡ଼ିଶା ଦ୍ବାରା ଦାଖଲ କରାଯାଇଥିବା ପିଟିସନ ଉପରେ ସୁପ୍ରିମକୋର୍ଟ କୌଣସି ପ୍ରକାର ଆଦେଶ ଜାରି କରିନାହାନ୍ତି। ଅରିଜିନାଲ ସୁଟର ଶୁଣାଣି ପାଇଁ ଅଗଷ୍ଟ ୨,୨୦୧୮ରେ ନିର୍ଦ୍ଧାରଣ କରାଯାଇଥିବା ୧୪ଟି ପ୍ରସଙ୍ଗର ଶୁଣାଣିରେ ଅହେତୁକ ବିଳମ୍ବ ହୋଇଛି। ଆଗକୁ ଏହି ମାମଲାର ଶୁଣାଣି କେବେ ହେବ ସେ ନେଇ ସ୍ପଷ୍ଟ କିଛି ଜଣାପଡ଼ିନାହିଁ। ଓଡ଼ିଶାର ବୃହତର ସ୍ବାର୍ଥକୁ ଅଣଦେଖା କରି ପୋଲାଭରମ ନିର୍ମାଣ କାର୍ଯ୍ୟ ଜାରି ରହିଥିବା ନେଇ ଓଡ଼ିଶା ଏକାଧିକ ଥର କେନ୍ଦ୍ର ସରକ‌ାରଙ୍କର ଦୃଷ୍ଟି ଆକର୍ଷଣ କରିଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁପ୍ରିମକୋର୍ଟରେ ଏ ସଂପର୍କିତ ମାମଲା ବିଚାରାଧୀନ ଥିବା କାରଣରୁ ପ୍ରକଳ୍ପ ଉପରେ ତୁରନ୍ତ ରୋକ୍‌ ଲଗାଇବାକୁ ଅନୁରୋଧ କରିଛନ୍ତି।

ଯଦି କୋର୍ଟରେ ମାମଲା ସମାଧାନ ନ ହେବା ପୂର୍ବରୁ ପ୍ରକଳ୍ପ ନିର୍ମାଣକୁ ଅନୁମତି ମିଳେ ଏହା ରାଜ୍ୟର ବୃହତର ସ୍ବାର୍ଥରେ ସ୍ଥାୟୀ କ୍ଷତି କରିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ।‌ ନିକଟରେ ସଂସଦର ମୌସୁମୀ ଅଧିବେଶନରେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଲୋକସଭା‌ରେ ମାଲକାନଗିରି ଜିଲ୍ଲାର ମୋଟୁ ଅଂଚଳରେ ପୋଲାଭରମ ପ୍ରକଳ୍ପ ବନ୍ୟା କରାଉଛି ବୋଲି କହିବା ସହ ଅତିରିକ୍ତ ସ୍ପିଲ୍‌ ୱେ ନିର୍ମାଣ ପାଇଁ ଦାବି କରିଥିଲେ। ହେଲେ କେନ୍ଦ୍ର ସରକାରଙ୍କୁ ସବୁ କଥାରେ ସହଯୋଗ ଯୋଗାଇ ଦେଉଥିବା ଓଡ଼ିଶା ସରକାରଙ୍କ କୌଣସି ଗୋଟିଏ ବି ଦାବିକୁ କେନ୍ଦ୍ର ଗୁରୁତ୍ବ ଦେଇ ସମାଧାନ କରୁଥିବା ପରିଲକ୍ଷିତ ହେଉନାହିଁ।
ଅନ୍ୟପକ୍ଷରେ ପୋଲାଭରମ ପ୍ରକଳ୍ପରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ସ୍ତରୀୟ ବୈଠକ ପରେ ଦୁଇ ରାଜ୍ୟର ସଚିବ ସ୍ତରୀୟ ବୈଠକରେ ମାମଲାର ସମାଧାନ ପାଇଁ ବିଚାରବିମର୍ଶ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ତାହାର ମଧ୍ୟ କୌଣସି ନିଷ୍କର୍ଷ ବାହାରି ପାରିନାହିଁ। ଆନ୍ଧ୍ର ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା ପ୍ରକଳ୍ପର ୭୨ ପ୍ରତିଶତ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଆସନ୍ତା ବର୍ଷ ଖରିଫ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ସାରିବା ପାଇଁ ଆନ୍ଧ୍ର ଯୋଜନା ରଖିଛି।

Related Posts