ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ମାତ୍ରାରେ ସାମାନ୍ୟ ସୁଧାର, କୋହଳ ହେଲା କଟକଣା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦେଶର ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ମାତ୍ରାରେ ଧୀରେ ଧୀରେ ସୁଧାର ଆସୁଛି। ଲଗାତାର ପ୍ରଦୂଷଣ ମାତ୍ରା ବଢ଼ିବା ପରେ ଏବେ ଏଥିରେ ସାମାନ୍ୟ ବ୍ରେକ ଲାଗିଛି। ଫଳରେ ତିନି ଦିନ ତଳେ ଲଗାଯାଇଥିବା କଟକଣାକୁ ପ୍ରତ୍ୟାହାର କରି ନିଆଯାଇଛି। ତଥାପି ଆଜି ସକାଳୁ ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ ଅତ୍ୟନ୍ତ ଖରାପ ଶ୍ରେଣୀରେ ଥିବା ରେକର୍ଡ କରାଯାଇଛି।

କଟକଣା ହଟିବା ପରେ ଏଣିକି ଦିଲ୍ଲୀ ମଧ୍ୟକୁ ଟ୍ରକ ଗୁଡିକ ପ୍ରବେଶ କରିପାରିବେ। କେବଳ ଏତିକି ନୁହେଁ ଅଣ ବିଏସ-୬ ଡିଜେଲ ବାହନ ଉପରେ ଲାଗିଥିବା କଟକଣା ମଧ୍ୟ ପ୍ରତ୍ୟାହୃତ ହୋଇଛି। ଦିଲ୍ଲୀରେ ସବୁ ଉଦ୍ୟୋଗ ବନ୍ଦ ଲାଗି କରାଯାଇଥିବା ସୁପାରିଶ ମଧ୍ୟ ପ୍ରତ୍ୟାହାର ହୋଇଛି।

ଦିଲ୍ଲୀରେ ବାୟୁ ମାନ ହ୍ରାସ ଲାଗି ଗ୍ରେଡେଡ ରେସପନ୍ସ ଆକ୍ସନ ପ୍ଲାନ(ଜିଆରଏପି)-୪ ଅନୁସାରେ କାର‌୍ୟ୍ୟାନୁଷ୍ଠାନ ହୋଇଥିଲା। ଜିଆରଏପି-୪ ବାୟୁର ମାନ ଖରାପ ହେଲେ କାର‌୍ୟ୍ୟାନୁଷ୍ଠାନ ନିମନ୍ତେ ସୁପାରିଶ କରିଥାନ୍ତି। ତେବେ ବାୟୁ ମାନରେ ସାମାନ୍ୟ ସୁଧାର ପରେ ଜିଆରଏପି-୪କୁ ହଟାଇ ୩୩୯ କରି ଦିଆଯାଇଛି।

ତେବେ ଅନାବଶ୍ୟକ ନିର୍ମାଣ ଗତିବିଧି ଯେପରିକି ଇଟା ଭାଟି ଉପରେ ଏବେବି କଟକଣା ବଳବତ୍ତର ରହିଛି। ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟ ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିଛି। ଏହି ସମୟରେ କୌଣସି ସ୍କୁଲ ଆଉଟଡୋର ଗତିବିଧି ସଞ୍ଚାଳିତ କରିପାରିବେନି।

ତେବେ ଗତକାଲି ଦିଲ୍ଲୀର ପ୍ରଦୂଷଣ ମାତ୍ରାରେ ସାମାନ୍ୟ ସୁଧାର ଆସିଥିବା ବେଳେ ଆଜି ଏଠାକାର ଏଆଇକ୍ୟୁ ୩୪୭ ଥିବା ରେକର୍ଡ କରାଯାଇଛି। ସେହିପରି ନୋଏଡା ଅଞ୍ଚଳରେ ମଧ୍ୟ ବାୟୁର ଗୁଣବତ୍ତା ଅତ୍ୟନ୍ତ ଖରାପ ଥିବା ଦେଖିବାକୁ ମିଳିଛି। ଏଠାରେ ଏଆଇକ୍ୟୁ ୩୩୧ ରହିଛି। ସେହିପରି ଗୁରୁଗ୍ରାମରେ ମଧ୍ୟ ୩୦୯ ଥିବା ରେକର୍ଡ କରାଯାଇଛି।

Related Posts