‘ମହିଳା ବିରୋଧୀ ଗୁଣ୍ଡା’ କହି କଂଗ୍ରେସ ନେତାଙ୍କ ‘ଲଟକ, ଝଟକ’ ବୟାନର ଜବାବ ଦେଲେ ସ୍ମୃତି ଇରାନୀ

ଭୁବନେଶ୍ୱର,୨୦/୧୨(ସତ୍ୟପାଠ ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ସମ୍ପର୍କରେ କଂଗ୍ରେସ ନେତା ଅଜୟ ରାୟ ଦେଇଥିବା ବୟାନକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ପୂର୍ବ ଉତ୍ତରପ୍ରଦେଶର କଂଗ୍ରେସ ମୁଖ୍ୟ ଅଜୟ ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ, ‘ସ୍ମୃତି ଇରାନୀ କେବଳ ଆମେଠିରେ ଲଟକ, ଝଟକ ଦେଖାଇ ଚାଲି ଯାଉଛନ୍ତି।’ ତେବେ ତାଙ୍କର ଏହି ବିବାଦୀୟ ବୟାନର କଡା ଜବାବ ଦେଇଛନ୍ତି ନିଜେ ସ୍ମୃତି ଇରାନୀ।

ତେବେ କ’ଣ ୨୦୨୪ରେ ରାହୁଲ ଗାନ୍ଧି ପୁଣି ଆମେଠିରୁ ନିର୍ବାଚନ ଲଢ଼ିବେ କି? ବୋଲି ସାମ୍ବାଦିକମାନେ ଅଜୟ ରାୟଙ୍କୁ ପ୍ରଶ୍ନ କରିଥିଲେ। ଏହାର ଜବାବରେ ସେ କହିଛନ୍ତି, “ଆମେଠି ହେଉଛି ଗାନ୍ଧି ପରିବାରର ଆସନ। ରାହୁଲ ଗାନ୍ଧି, ରାଜୀବ ଗାନ୍ଧି ଓ ସଞ୍ଜୟ ଗାନ୍ଧି ଏଠାରୁ ବାରମ୍ବାର ଜିତି ଲୋକସଭାକୁ ଯାଇଛନ୍ତି। ସେମାନେ ଏଠାକାର ଲୋକଙ୍କ ସେବା କରିଛନ୍ତି। ହେଲେ ବର୍ତ୍ତମାନ ଆମେଠିରେ ଅଧିକାଂଶ କଳକାରଖାନା ବନ୍ଦ ହେଲାଣି। ଜଗଦୀଶପୁର ଶିଳ୍ପା ଅଞ୍ଚଳରେ ଥିବା ଅଧାରୁ ଅଧିକ ଫ୍ୟାକ୍ଟ୍ରୀ ବନ୍ଦ ହୋଇଯାଇଛି। ସ୍ମୃତି ଇରାନୀ ଏଠାକୁ କେବଳ ଲଟକ, ଝଟକ ଦେଖାଇବାକୁ ଆସୁଛନ୍ତି ଓ ଚାଲି ଯାଉଛନ୍ତି।”

ତେବେ ୨୦୧୯ ସାଧାରଣ ନିର୍ବାଚନରେ ରାହୁଲ ଗାନ୍ଧି ଆମେଠିରୁ ପ୍ରତିଦ୍ବନ୍ଦିତା କରିଥିଲେ ମଧ୍ୟ ତାଙ୍କୁ ସ୍ମୃତି ଇରାନୀଙ୍କ ଠାରୁ ହାରିବାକୁ ପଡ଼ିଥିଲା। ତେଣୁ ତାଙ୍କ ସମ୍ପର୍କରେ ଅଜୟ ରାୟ ଏପରି ଟିପ୍ପଣୀ କରିଛନ୍ତି।

ତେବେ ଅଜୟଙ୍କ ଏହି ବୟାନ ସାମ୍ନାକୁ ଆସିବା ପରେ ସ୍ମୃତି ଇରାନୀ କାଉଣ୍ଟର ଆଟାକ କରିଛନ୍ତି। ସେ କହିଛନ୍ତି ଯେ, “ରାହୁଲ ଗାନ୍ଧି ଆପଣ ନିଜର ଜଣେ ସ୍ଥାନୀୟ ନେତାଙ୍କ ଦ୍ୱାରା ଅତ୍ୟନ୍ତ ଅଭଦ୍ର ଭାବେ ୨୦୨୪ରେ ଆମେଠିରୁ ଲଢ଼ିବା ସମ୍ପର୍କରେ ଘୋଷଣା କରିବାକୁ କହିଥିବା ଶୁଣିବାକୁ ପାଇଛି। କ’ଣ ଆମେଠିରୁ ଲଢ଼ିବା କଥା ପକ୍କା? ଆପଣ ଆଉ କେଉଁ ସିଟ୍‌କୁ ଦୌଡ଼ି ପଳାଇବେନି ତ? ଡରିବେନି ତ? ମହିଳାଙ୍କ ପ୍ରତି ଅଭଦ୍ର ବୟାନ ରଖୁଥିବା ଆପଣଙ୍କ ଗୁଣ୍ଡାମାନଙ୍କ ପାଇଁ ନୂଆ ସ୍ପିଚ ରାଇଟର ଆପଣ ଓ ଆପଣଙ୍କ ମମ୍ମିଜୀ ଯୋଗାଇ ଦିଅନ୍ତୁ।”

ତେବେ ଉତ୍ତର ପ୍ରଦେଶ ବିଜେପି ମୁଖପାତ୍ର ଆନନ୍ଦ ଦୁବେ ମଧ୍ୟ କଂଗ୍ରେସ ନେତା ଅଜୟ ରାୟଙ୍କୁ ସମାଲୋଚନା କରିଛନ୍ତି। ଯେଉଁ ଦଳ ଜଣେ ମହିଳାଙ୍କୁ ଦେଶର ପ୍ରଧାନମନ୍ତ୍ରୀ କରାଇଥିଲା, ସେଭଳି ଦଳର ନେତା ଏମିତି ବୟାନ ଦେବା ଲଜ୍ଜାଜନକ। କଂଗ୍ରେସ ନେତାମାନେ ବ୍ୟବହାର କରୁଥିବା ଭାଷା ସବୁବେଳେ ମହିଳା ବିରୋଧୀ ବୋଲି ସେ ଅଭିଯୋଗ କରିଛନ୍ତି।

Related Posts