ଭୁବନେଶ୍ୱର,୧୦/୨(ସତ୍ୟପାଠ ବ୍ୟୁରୋ): ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ନାମରେ ଆସିଥିବା ଦୁଷ୍କର୍ମ ମାମଲାର ଅଭିଯୋଗକରିଣୀ ତଥା ତାଙ୍କର ପ୍ରେମିକା ସୋମାଲିକାଙ୍କର ହେବ ବୟାନ ରେକର୍ଡ । ମାଜିଷ୍ଟ୍ରେଟଙ୍କ ନିକଟରେ ଏହି ବୟାନ ରେକର୍ଡ କରାଯିବ । ସିଆରପିସି ଧାରା ୧୬୪ ଅନୁସାରେ ତାଙ୍କର ବୟାନ ରେକର୍ଡ କରାଯିବ । ଏଥି ନିମନ୍ତେ ସୋମାଲିକା ଜଗତସିଂହପୁର କୋର୍ଟରେ ଆସି ହାଜର ହୋଇଛନ୍ତି ।

ସୋମାଲିକାଙ୍କ ବୟାନ ରେକର୍ଡ ପରେ ତଦନ୍ତ ଅନୁସାରେ ବିଧାୟକ ବିଜୟ ଶଙ୍କରଙ୍କୁ ଜେରା କରାଯିବ ବୋଲି ଜଣାପଡ଼ିଛି । ତେବେ ଚାରି ଦିନ ତଳେ ଜଗତସିଂହପୁର ସଦର ଥାନାରେ ସୋମାଲିକାଙ୍କର ଧାରା ୧୬୧ରେ ବୟାନ ରେକର୍ଡ କରାଯିବା ସହିତ ଡାକ୍ତରୀ ମାଇନା ମଧ୍ୟ କରାଯାଇଥିଲା । ଦୀର୍ଘ ୮ ମାସ ତଳେ ଆରମ୍ଭ ହୋଇଥିବା ଏହି ଘଟଣା ଚାପି ଯାଇଥିବା ବେଳେ ପୁଣିଥରେ ଏବେ ଏହି ମାମଲା ସକ୍ରିୟ ହୋଇଛି । ଏହି ଘଟଣାକୁ ନେଇ ବିଧାୟକଙ୍କୁ ଗିରଫ ଦାବିରେ ପୂର୍ବରୁ ତିର୍ତ୍ତୋଲ ବ୍ଲକ ମହିଳା କଂଗ୍ରେସ ପକ୍ଷରୁ ଜଗତସିଂହପୁର ଏସପି ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିବା ବେଳେ ସମାନ ଦାବିରେ ଜିଲା ବିଜେପି ପକ୍ଷରୁ ମଧ୍ୟ ଏସପି ଙ୍କ କାର୍ଯ୍ୟାଳୟ ଆଗରେ ବିଖୋଭ ପଦର୍ଶନ କରା ଯାଇଥିଲା ।