ସମ୍ବଲପୁର କୋର୍ଟ ପରିସରରେ ଭଙ୍ଗାରୁଜା ଘଟଣା; ୨୯ ଓକିଲଙ୍କୁ ସର୍ତ୍ତମୂଳକ ଜାମିନ ଦେଲେ ହାଇକୋର୍ଟ

ଭୁବନେଶ୍ୱର,୧୦/୨(ସତ୍ୟପାଠ ବ୍ୟୁରୋ): ସମ୍ବଲପୁର ଓକିଲଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ। ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଅନ୍ଦୋଳନକୁ ଓହ୍ଲାଇଥିବା ଓକିଲ ସଂଘ କୋର୍ଟ ପରିସରରେ ଭଙ୍ଗାରୁଜା କରିବା ମାମଲାରେ ଗିରଫ ହୋଇଥିବା ୨୯ ଜଣ ଓକିଲଙ୍କୁ ଆଜି ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଗତକାଲି ଏହି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ କୋର୍ଟ। ଗତ ୨୦୨୨ ଡିସେମ୍ବର ୧୨ ତାରିଖରେ ଗିରଫ ହୋଇଥିଲା ୨୯ ଆଇନଜୀବୀ ।

ତେବେ ଜାମିନ ପ୍ରଦାନ କରି କୌଣସି ରାଲି ନକରିବା, ଧାରଣା ନ ଦେବା ସହ ବୟାନବାଜି ନକରିବାକୁ ସର୍ତ୍ତ ରଖିଛନ୍ତି ହାଇକୋର୍ଟ । ଗତକାଲି ଏହି ଘଟଣାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ କୋର୍ଟ । ନିକଟରେ ସୁପ୍ରିମକୋର୍ଟ ମଧ୍ୟ ଏହି ମାମଲାକୁ ନେଇ ଓକିଲ ସଂଘ ଉପରେ ବର୍ଷିଥିଲେ । ଏହାସହିତ ଅବମାନନା ମାମଲା ଜାରି ରହିବ ବୋଲି କହିଥିଲେ ସୁପ୍ରିମକୋର୍ଟ ।

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି କରି ଆଇନଜୀବୀ କରିଥିବା ଆନ୍ଦୋଳନ ସେମାନଙ୍କ ପାଇଁ ମହଙ୍ଗା ପଡିଥିଲା । ସମ୍ବଲପୁର ଓକିଲ ଆନ୍ଦୋଳନ ଘଟଣାରେ ୨୯ ଜଣ ଆଇନଜୀବୀ ଗିରଫ ହୋଇଥିଲେ । କୋର୍ଟ ଭିତରେ ବିଶୃଙ୍ଖଳା ଓ ଭଙ୍ଗାରୁଜା ଘଟଣାକୁ ନେଇ ଏହି କାର୍ଯ୍ୟାନୁଷ୍ଠାନ ନେଇଥିଲା ପୋଲିସ । ଆନ୍ଦୋଳନ ବେଳେ ଜିଲ୍ଲା ଜଜ୍‌ଙ୍କ ଚାମ୍ବରରେ ଭଙ୍ଗାରୁଜା ଘଟଣାରେ ପୋଲିସ ୨୯ ଜଣଙ୍କୁ ଗିରଫ କରିଥିଲା ।

କୋର୍ଟ ପରିସରରେ ୧୪୪ ଧାରା ଲଗାଯାଇଥିବା ବେଳେ ଏହି ଅଞ୍ଚଳରେ ୧୫ ପ୍ଲାଟୁନ ପୋଲିସ ମୁତୟନ କରାଯାଇଥିଲା l ଏହା ସହିତ ଯେଉଁମାନେ ୨୦୦ ମିଟର ନିଷିଦ୍ଧାଞ୍ଚଳକୁ ଆସିବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ ଚେତାବନୀ ଦିଆଯାଇଥିଲା । ୨୯ ଓକିଲଙ୍କ ଲାଇସେନ୍ସ ସସପେଣ୍ଡ ହୋଇଥିଲା ।

ଏହି ଆନ୍ଦୋଳନରେ ସମ୍ବଲପୁର କୋର୍ଟ ଭିତରେ ବିଶୃଙ୍ଖଳା ଘଟଣାକୁ ନେଇ କଠୋର ହୋଇଥିଲେ ବାର କାଉନସିଲ ଅଫ ଇଣ୍ଡିଆ । ସମ୍ବଲପୁର ବାର ଆସୋସିଏସନ୍‌ର ୨୯ ଜଣ ଆଇନଜୀବୀଙ୍କ ଲାଇସେନ୍ସ ଦେଢ ବର୍ଷ (୧୮ ମାସ) ପାଇଁ ସସପେଣ୍ଡ କରିଥିଲେ ବାର କାଉନସିଲ ଅଫ ଇଣ୍ଡିଆ । ଆନ୍ଦୋଳନ ସମୟରେ କୋର୍ଟ ପରିସରରେ ତୁମୁଳକାଣ୍ଡ ଘଟାଇଥିଲେ ଆନ୍ଦୋଳନକାରୀ ଆଇନଜୀବୀ । ବିଭିନ୍ନ ବିରୋଧାତ୍ମକ ସ୍ଲୋଗାନ ଦେବା ସହିତ କୋର୍ଟ ପରିସରକୁ ଧସେଇ ପଶି ଭଙ୍ଗାରୁଜା କରିଥିଲେ ।

Related Posts