କିଛି ବିଦେଶୀ ଶକ୍ତି ଓଡ଼ିଶାର ଖଣିଜ ସମ୍ପଦ ଓ ରତ୍ନ ଭଣ୍ଡାରକୁ ଲୁଟିବାକୁ ଚାହୁଁଛନ୍ତି: ସଞ୍ଜୟ ଦାସବର୍ମା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରାରେ ସଞ୍ଜୟ ଦାସବର୍ମାଙ୍କ ବିସ୍ଫୋରକ ବୟାନ। କାହାରି ନାଁ ନନେଇ ବର୍ଷିଲେ ବିଜେଡିର ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା। କିଛି ବିଦେଶୀ ଶକ୍ତି ଓଡିଶାକୁ ଲୁଟିବାକୁ ଚାହୁଁଛନ୍ତି । ଓଡିଶାର ଖଣିଜ ସମ୍ପଦ ଓ ରତ୍ନ ଭଣ୍ଡାରକୁ ଲୁଟିବାକୁ ଚାହୁଁଛନ୍ତି । ଗତ ରବିବାର ପୁରୀ ସଦର ବ୍ଲକ ମାଳସାହିରେ ପଦଯାତ୍ରା ସମୟରେ ସଂଜୟ ଏଭଳି ବୟାନ ଦେଇଛନ୍ତି । ଯାହାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି।

ସଞ୍ଜୟ କହିଛନ୍ତି ଯେ, ମା ମାନଙ୍କୁ ନିବେଦନ କରିବି ମୋତେ ତାଙ୍କ ପଣତ କାନିରେ ଘୋଡେଇକି ରଖିବେ। ଏଇ ଷଡଯନ୍ତ୍ର ବିରୋଧରେ ଲଢେଇ ପାଇଁ ଶକ୍ତି ଦେବେ। ଏବେ କିଛି ବିଦେଶୀ ଶକ୍ତିଙ୍କ ନଜର ଓଡ଼ିଶା ଉପରେ ପଡ଼ିଛି। ସେମାନେ ଓଡିଶାର ଖଣିଜ ସମ୍ପଦ ଓ ରତ୍ନ ଭଣ୍ଡାରକୁ ଲୁଟିବାକୁ ଚାହୁଁଛନ୍ତି । ସେମାନେ ଭାବୁଛନ୍ତି ଓଡିଶାକୁ ଲୁଟି ପଳାଇବେ । ଆଉ ସେମାନଙ୍କୁ ଓଡ଼ିଶାର କିଛି ଶକ୍ତି ସହଯୋଗ କରୁଛନ୍ତି। ସେମାନଙ୍କୁ ପରାସ୍ତ କରିବାକୁ ପଡିବ, ଷଡଯନ୍ତ୍ର ପଣ୍ଡ କରିବାକୁ ପଡିବ ବୋଲି ସଞ୍ଜୟ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ମୋତେ ମନ୍ତ୍ରୀ କରିଥିଲେ, ବଡ ବଡ ପଦବୀ ଦେଇଥିଲେ । ହାରିଲା ପରେ ବି ଯୋଜନା ବୋର୍ଡ ଉପାଧ୍ୟକ୍ଷ କରିଥିଲେ ମୁଖ୍ୟମନ୍ତ୍ରୀ । ହେଲେ ଆଜି ପରିସ୍ଥିତି ବଦଳି ଯାଇଛି , ଆମକୁ ସତର୍କ ରହିବାକୁ ପଡିବ । ଏ ଷଡଯନ୍ତ୍ରର ଉଚିତ ଜବାବ ଦିଆଯିବ କହିଲେ ସଂଜୟ ଦାସ ବର୍ମା । କିଛି ଲୋକ ଭାବୁଛନ୍ତି ଆମେ ଯାହା ନିଷ୍ପତ୍ତି ନେବୁ ସମସ୍ତେ ମାନିଯିବେ । କିନ୍ତୁ ମୁଁ କହି ରଖିବାକୁ ଚାହେଁ ଆମେ ଯେଉଁ ମାନେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ସ୍ୱାଭିମାନ ସହିତ ଆନ୍ଦୋଳନ ପ୍ରତି ଥିଲୁ । କିନ୍ତୁ ଆମେ ମୁରିଯିବୁ ସିନା , ସାଲିସ ରାଜନୀତିରେ ବ୍ରହ୍ମଗିରିକୁ ଭସେଇ ଦେବୁନି ବୋଲି ସଞ୍ଜୟ କହିଛନ୍ତି।

ତେବେ ଏଠାରେ ସୂଚନାଯୋଗ୍ୟ ଯେ, ସଞ୍ଜୟ ଦାସବର୍ମା ଏବେ ରାଜ୍ୟ ବିଜେଡିର ସାଧାରଣ ସମ୍ପାଦକ ( ମୁଖ୍ୟାଳୟ ) ଅଛନ୍ତି। ଏହା ପୂର୍ବରୁ ରାଜ୍ୟ କ୍ୟାବିନେଟ ରେ ବଡ ବଡ଼ ବିଭାଗର ମନ୍ତ୍ରୀ ମଧ୍ୟ ରହି ସାରିଛନ୍ତି । ତେବେ ୨୦୧୯ ସାଧାରଣ ନିର୍ବାଚନରେ ବ୍ରହ୍ମଗିରି ଆସନରେ ବିଜେପି ପ୍ରାର୍ଥୀ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଠାରୁ ପରାଜିତ ହୋଇଥିଲେ। ଏହାପରେ ତାଙ୍କୁ ରାଜ୍ୟ ଯୋଜନା ବୋର୍ଡର ଉପଧକ୍ଷ ଭାବେ ନିଯୁକ୍ତ ଦେଇଥିଲେ। ମାତ୍ର ନିକଟରେ ତାଙ୍କୁ ସେହି ପଦରୁ ଅବ୍ୟାହତି ଦିଆଯାଇଛି।

ପଦ ଯିବାଠାରୁ ରାଜ୍ୟ ରାଜନୀତିରେ ସବୁବେଳେ ଚର୍ଚ୍ଚାରେ ଥିବା ସଞ୍ଜୟଙ୍କ ପତିଆରା ହ୍ରାସ ପାଇଲା ଭଳି ଲାଗୁଛି। ତେବେ ଦୀର୍ଘଦିନ ପରେ ନିଜ ଦଳର ଏକ ସଭାମଞ୍ଚ ଉପରୁ ଏଭଳି ମନ୍ତବ୍ୟ ଦେଇ ସେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏହି ପୁରା ଭାଷଣ ସମୟରେ ସେ କାହାର ନାମ ନେଇ ନଥିଲେ ମଧ୍ୟ ତାଙ୍କର ଏହି ବୟାନ ଏବେ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି କରିଛି।

Related Posts