ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଓଡ଼ିଶା ଏକ ନମ୍ବର ରାଜ୍ୟ ଭାବରେ ରାଷ୍ଟ୍ରୀୟ ଖଚ୍ଚିଜ ବିକାଶ ପୁରସ୍କାର ପାଇଛି । ଏହା ମଧ୍ୟରେ ରାଜ୍ୟର ଖଣିମନ୍ତ୍ରୀ ପ୍ରଫୁଲ ମଲିକଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି । ତେବେ ବର୍ତ୍ତମାନ ସୁଦ୍ଧା ୨ ଟି ଅବଧି ଶେଷ ହୋଇଥିବା ଖଣିଜ ଲିଜ ସମେତ ୩୭ ଖଣିଜ ବ୍ଲକର ନିଲାମ ପ୍ରକ୍ରିୟା ଶେଷ ହୋଇଛି। ୫-ଟି ପଦକ୍ଷେପ ଆଧାରରେ ଖଣିଜ ଉତ୍ତୋଳନ, ମ୍ୟାପିଂ ପାଇଁ ଆଇ୩ଏମ୍ଏସ୍ ବ୍ୟବସ୍ଥା କରାଯାଇଛି । ଆଗକୁ ଆଉ ୧୫ଟି ପ୍ରମୁଖ ଖଣି ଏବଂ ୧୬ଟି ଲଘୁ ଖଣିଜ ବ୍ଲକର ନିଲାମ କରାଯିବ ବୋଲି କହିଛନ୍ତି । ଏହା ସହ ଚଳିତ ବର୍ଷ ମୋଟ ଖଣିଜ ପଦାର୍ଥର ଉତ୍ପାଦନ ୧୦୭.୫୪୬ ମିଲିୟନ ଟନ୍ ହୋଇଛି ।
ସେହିପରି ୧୦୦.୬୧୨ ମିଲିୟନ ଟନ ପରିବହନ ହୋଇଛି, ଯାହାକି ଦେଶରେ ଆବଶ୍ୟକ ହେଉଥିବା ଲୁହା ପଥରର ୫୦ ପ୍ରତିଶତ କେବଳ ଓଡିଶା ପୂରଣ କରୁଛି । ଆର୍ଥିକ ବର୍ଷ ୨୦୨୦-୨୧ରେ ୧୩,୭୯୧ କୋଟି ଟଙ୍କାର ଖଣି ରାଜସ୍ୱ ମିଳିଥିବା ବେଳେ ୨୦୨୧-୨୨ରେ ୪୯,୫୩୦ କୋଟି ଟଙ୍କାର ଖଣି ରାଜସ୍ୱ ଆସିଛି । ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୧୧,୮୮୭ କୋଟି ଟଙ୍କାର ରାଜସ୍ୱ ସଂଗ୍ରହ କରାଯାଇଛି, ଯାହାକି ବିଗତ ବର୍ଷ ତୁଳନାରେ ୨୧.୭୮ ପ୍ରତିଶତ ଅଧିକ ବୋଲି ଖଣି ମନ୍ତ୍ରୀ ପ୍ରଫୁଲ ମଲିକ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।
