ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ଦକ୍ଷିଣ ଆଫ୍ରିକାର ଷ୍ଟାର ଅଲରାଉଣ୍ଡର ଡ୍ୱେନ ପ୍ରେଟୋରିୟସ

ଭୁବନେଶ୍ୱର,୯/୧(ସତ୍ୟପାଠ ବ୍ୟୁରୋ): ସମସ୍ତଙ୍କୁ ଚକିତ କରି ଆଜି ହଠାତ୍‌ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଦକ୍ଷିଣ ଆଫ୍ରିକାର ଷ୍ଟାର ଅଲରାଉଣ୍ଡର ଡ୍ୱେନ ପ୍ରେଟୋରିୟସ। ସେ ୨୦୧୬ ମସିହାରେ ଦକ୍ଷିଣ ଆଫ୍ରିକା ପାଇଁ ଡେବ୍ୟୁ କରିଥିବା ବେଳେ ଏବେ ତାଙ୍କୁ ମାତ୍ର ୩୩ ବର୍ଷ। ତେବେ ଏତେ ଶୀଘ୍ର ସେ ଅନ୍ତିର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିବାରୁ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି।ଅନ୍ତର୍ଜାତୀୟ କ୍ରିକେଟକୁ ପ୍ରେଟୋରିୟସ ଅଲବିଦା କହିଥିଲେ ମଧ୍ୟ ବିଶ୍ୱର ବିଭିନ୍ନ ସ୍ଥାନରେ ଖେଳାଯାଉଥିବା ଟି-୨୦ ଲିଗ୍‌ରେ ସେ ନଜର ଆସିବେ।

ଦକ୍ଷିଣ ଆଫ୍ରିକା ପାଇଁ ପ୍ରେଟୋରିୟସ କ୍ରିକେଟର ୩ଟି ଯାକ ଫର୍ମାଟରେ ଖେଳିଛନ୍ତି। ସେ ଦକ୍ଷିଣ ଆଫ୍ରିକା ପାଇଁ ୩୦ ଟି-୨୦, ୨୭ ଦିନିକିଆ ଓ ୩ଟି ଟେଷ୍ଟ ମ୍ୟାଚ୍‌ରେ ନଜର ଆସିଥିଲେ। ସେ ୨ଟି ବିଶ୍ୱକପ ମଧ୍ୟ ଖେଳିଛନ୍ତି। ୩ଟି ଯାକ ଫର୍ମାଟରେ ସେ ମୋଟ ୭୭ଟି ୱିକେଟ ନେଇଛନ୍ତି। ଦକ୍ଷିଣ ଆଫ୍ରିକା ପାଇଁ ଟି-୨୦ରେ ଶ୍ରେଷ୍ଠ ପ୍ରଦର୍ଶନର ରେକର୍ଡ ପ୍ରେଟୋରିୟସଙ୍କ ନାଁରେ ରହିଛି। ସେ ପାକିସ୍ତାନ ବିପକ୍ଷ ଗୋଟିଏ ଟି-୨୦ରେ ୧୭ ରନ ଦେଇ ୫ ୱିକେଟ ଦଖଲ କରିଥିଲେ। ଟି-୨୦ରେ ତାଙ୍କ ଷ୍ଟ୍ରାଇକ ରେଟ ୧୬୪ ରହିଥିଲା।

କ୍ରିକେଟ ଦକ୍ଷିଣ ଆଫ୍ରିକାର ଅଫିସିଆଲ ୱେବସାଇଟ୍‌ରେ ଥିବା ବିବୃତିରେ ପ୍ରେଟୋରିୟସ କହିଛନ୍ତି, ଅନ୍ତର୍ଜାତୀୟ କ୍ୟାରିୟରକୁ ଶେଷ କରିବା ନିଷ୍ପତ୍ତି ଆଦୌ ସହଜ ନଥିଲା। କିନ୍ତୁ ସବୁ କିଛି ଭାବିବା ପରେ ଅବସର ନିଷ୍ପତ୍ତି ନେଉଛି। ଏଣିକି ଟି-୨୦ ଓ ଅନ୍ୟ ଛୋଟ ଫର୍ମାଟ ଉପରେ ସେ ଅଧିକ ଫୋକସ କରିବେ ବୋଲି କହିଛନ୍ତି। ଏଥିସହ ୩୩ ବର୍ଷୀୟ ପ୍ରେଟୋରିୟସ ନିଜର କୋଚ୍‌, ସାଥୀ ଖେଳାଳି ଓ ପରିବାର ଲୋକଙ୍କୁ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି। ସ୍ୱତନ୍ତ୍ର ଭାବେ ସେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଫାଫ ଡୁପ୍ଲେସିସଙ୍କୁ କୃତଜ୍ଞତା ଜଣାଇଛନ୍ତି। କାରଣ ଡୁପ୍ଲେସିସଙ୍କ ଅଧିନାୟକତ୍ଵରେ ସେ ଦକ୍ଷିଣ ଆଫ୍ରିକା ପାଇଁ ଡେବ୍ୟୁ କରିଥିଲେ।

Related Posts