ରାଜ୍ୟରେ ବନ୍ୟା ସ୍ଥିତି ନେଇ ଏସଆରସିଙ୍କ ପ୍ରେସମିଟ; ମୁଣ୍ଡଳୀରେ ଆଉ ୬ରୁ ୭ ଘଣ୍ଟା ରହିବ ପିକ୍ ଫ୍ଲୋ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟର ବନ୍ୟା ସ୍ଥିତି ନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ।ଏସଆରସି ସୂଚନା ଦେଇ କହିଛନ୍ତି ଯେ, ବର୍ତ୍ତମାନ ମହାନଦୀରେ ପିକ ଫ୍ଲୋ ଚାଲିଛି । ମୁଣ୍ଡଳୀରେ ଆଉ ୬ରୁ ୭ ଘଣ୍ଟା ଏହି ପିକ୍ ଫ୍ଲୋ ରହିବ। ରାତି ୩ଟା ପର୍ଯ୍ୟନ୍ତ ଏହି ଫ୍ଲୋ ରହିବା ନେଇ ଆଶା କରାଯାଉଛି । ସେହିଭଳି ଏହା ଡେଲଟାରେ ପହଞ୍ଚିବା ବେଳକୁ ରାତି ୧୨ଟାରୁ ୧ଟା ପରେ କେନ୍ଦ୍ରାପଡା, ଜଗତସିଂହପୁର ପୁରୀ ଜିଲ୍ଲାରେ ପିକ୍ ଫ୍ଲୋ ରହିବ ।ଆସନ୍ତାକାଲି ସନ୍ଧ୍ୟା ପର୍ଯ୍ୟନ୍ତ ଏହି ପିକ ଫ୍ଲୋ ଜାରି ରହିବ ।

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟର ୪୯ ଟି ବ୍ଲକର ୧୩୬୬ଟି ଗାଁ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ୨୩୭ଟି ଗାଁ ଏବେ ମଧ୍ୟ ପାଣି ଘେରରେ ରହିଛନ୍ତି । ସେହିଭଳି ରାଜ୍ୟର ୨୪ ହଜାର ହେକ୍ଟର ଚାଷ ଜମି ବନ୍ୟା ଜଳରେ ବୁଡ଼ି ରହି କ୍ଷତିଗ୍ରସ୍ତ ହୋଇଛି । ମହାନଦୀ ସିଷ୍ଟମରେ ଦୁଇଟି ସ୍ଥାନରେ ଘାଇ ହୋଇଛି । ଖୋର୍ଦ୍ଧାର ଦୟାନଦୀରେ ଏକ ଘାଇ ହୋଇଥିବା ବେଳେ ପୁରୀର ମକରା ନଦୀରେ ଏକ ଘାଇ ହୋଇଛି । ଅନେକ ସ୍ଥାନରେ ଘଳିଆ ପଡ଼ିଛି । ତାର ମରାମତି କାର୍ଯ୍ୟ କରାଯାଉଛି । ମୁଣ୍ଡଳୀରେ ୯ଘଣ୍ଟା ବନ୍ୟାପାଣି ପିକରେ ରହିବ । ଏବେ ୧୨ ଲକ୍ଷ ୧ହଜାର ୪୨୬ କ୍ୟୁସେକ ଜଳ ପ୍ରବାହିତ ହେଉଛି ।

ସେହିପରି ବର୍ଷାରେ ମଧ୍ୟ ୪୭ ବ୍ଲକର ୧୭୫ ଗ୍ରାମପଞ୍ଚାୟତ ପ୍ରଭାବିତ ହୋଇଛନ୍ତି । ମହାନଦୀରେ ଜଳସ୍ତର ବୃଦ୍ଧି ପାଉଛି । ବ୍ରାହ୍ମଣୀରେ ବିପଦ ସଙ୍କେତରେ ବହୁତ ତଳେ ଅଛି ପାଣି । ରାତି ୩ଟା ପରେ କେନ୍ଦ୍ରପଡ଼ା, ଜଗତସିଂହପୁର ଓ କଟକ ଜିଲ୍ଲାରେ ବନ୍ୟା ଜଳ ପିକରେ ପ୍ରବାହିତ ହେବ । ତେଣୁ ସତର୍କ ରହିବାକୁ ନିବେଦନ କରିଛନ୍ତି ଏସଆରସି । ସରକାରଙ୍କ ପକ୍ଷରୁ ଜିରୋ କାଜୁଆଲିଟିକୁ ଦୃଷ୍ଟିରେ ରଖାଯାଇ କାର୍ଯ୍ୟ ଜାରି ରହିଛି । ଲୋକମାନେ ଭୟଭୀତ ନହୋଇ ସତର୍କତା ଅବଲମ୍ବନ କରିବାକୁ ଏସଆରସି ପ୍ରଦୀପ ଜେନା କହିଛନ୍ତି ।

Related Posts