ରାଜ୍ୟରେ ବନ୍ୟା ସ୍ଥିତି; ଜଗତସିଂହପୁର ଓ ପୁରୀ ଜିଲ୍ଲା ହେବ ଅଧିକ ପ୍ରଭାବିତ, ଜନସାଧାରଣ ଓ ଜନପ୍ରତିନିଧିଙ୍କ ସହଯୋଗ ଲୋଡିଲେ ଏସ୍‌ଆରସି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ରାଜ୍ୟରେ ବନ୍ୟା ସ୍ଥିତି ଦେଖା ଦେଇଛି। ବନ୍ୟାରେ ମହାନଦୀ ଅବବାହିକାରେ ଥିବା ଜିଲ୍ଲା ଗୁଡ଼ିକ ପ୍ରଭାବିତ ହେବ। ଜଗତସିଂହପୁର ଓ ପୁରୀ ଜିଲ୍ଲା ସମ୍ପୂର୍ଣ୍ଣ ପ୍ରଭାବିତ ହେବ। କେନ୍ଦ୍ରାପଡ଼ା ଜିଲ୍ଲାର ୩୦ରୁ ୪୦ ଭାଗ ପ୍ରଭାବିତ ହେବ। କଟକର ନିଶ୍ଚିନ୍ତକୋଇଲି, ଆଠଗଡ଼ ଓ ବାଙ୍କୀରେ ପ୍ରଭାବ ପଡ଼ିବ।ଆଜି ଏହି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍‌ଆରସି) ପ୍ରଦୀପ ଜେନା।

ସେ କହିଛନ୍ତି, ନୟାଗଡ଼ର କଣ୍ଟିଲୋ, ଭାପୁର ଓ ବୌଦ୍ଧର ହରଭଙ୍ଗା ଜଳମଗ୍ନ ହେବ। ସୋନପୁର ଜିଲ୍ଲାର ବୀରମହାରାଜପୁର ଉପରେ ପ୍ରଭାବ ପଡ଼ିବ। ଏସ୍‌ଆରସି ଆହୁରି କହିଛନ୍ତି, ବନ୍ୟାରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକର ଜିଲ୍ଲାପାଳଙ୍କ ସହ କଥା ହୋଇଛି। ରାତିରେ ପାଟ୍ରୋଲିଂ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି। ଗାଁ ଲୋକ ଓ ସ୍ଥାନୀୟ ଜନ ପ୍ରତିନିଧିଙ୍କ ସହଯୋଗ ଲୋଡ଼ାଯାଇଛି।

ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି, ଛତିଶଗଡ଼ ବର୍ଷା ସହ ତେଲ୍ ନଦୀ ଚିନ୍ତା ବଢ଼ାଇଛି। ଛତିଶଗଡ଼ରେ ବର୍ଷା ଲାଗି ରହିଥିବା ବେଳେ ଏପଟେ ତେଲ୍ ନଦୀରେ ପାଣି ବଢ଼ୁଥିବାରୁ ପ୍ରବଳ ବନ୍ୟା ହେବାର ସମ୍ଭାବନା ରହିଛି। ତେଲ୍ ନଦୀ ପାଣି ହୀରାକୁଦ ତଳ ମୁଣ୍ଡରେ ମିଶୁଥିବାରୁ ଏହା ଚିନ୍ତାର କାରଣ ପାଲଟିଛି। ଗତକାଲି ତେଲ୍ ନଦୀରୁ ଦେଢ଼ ଲକ୍ଷ କ୍ୟୁସେକ୍ ଜଳ ମହାନଦୀରେ ମିଶୁଥିଲା। ଆଜି ତାହା ବଢ଼ି ସାଢ଼େ ୫ ଲକ୍ଷ କ୍ୟୁସେକ୍ ହେଲାଣି। ଉପରମୁଣ୍ଡରୁ ହୀରାକୁଦକୁ ପ୍ରାୟ ୯ଲକ୍ଷ କ୍ୟୁସେକ୍ ଜଳ ପଶୁଛି। ଉପରମୁଣ୍ଡର ୯ ଲକ୍ଷ ଓ ତେଲ୍ ନଦୀର ସାଢ଼େ ୫ ଲକ୍ଷ ଜଳ ପ୍ରବେଶ କରିବା ଦ୍ୱାରା ପାଇଁ ଚିନ୍ତା ବଢ଼ିଛି। ସବୁ ପାଣି ମିଶିଗଲେ ପ୍ରବଳ ବନ୍ୟା ହୋଇପାରେ। ପ୍ରବଳ ବନ୍ୟା ଏଡ଼ାଇବାକୁ ହୀରାକୁଦର ୮ଟି ଗେଟ୍ ବନ୍ଦ କରୁଛୁ।

Related Posts