ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବାସି ଖାଦ୍ୟ ନେଲା ଛାତ୍ରୀଙ୍କ ଜୀବନ, ଶତାଧିକ ଅସୁସ୍ଥ । ତେବେ ପଖାଳ ଭାତ ସହ ଆଳୁ ଓ ଆମ୍ବଚଟଣି ଖାଇ ଆଶ୍ରମ ସ୍କୁଲ୍ର ଶତାଧିକ ଅନ୍ତେବାସୀ ଗତକାଲି ଅସୁସ୍ଥ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆଜି ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ବିଜେଡି ପକ୍ଷରୁ ଡାକ୍ତରଖାନା ସମ୍ମୁଖରେ ମୃତଦେହ ରଖି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଅନ୍ୟପଟେ ସଂଧ୍ୟାରେ ଛାତ୍ରୀଙ୍କ ମରଶରୀର କାକବନ୍ଧ ଆଶ୍ରମ ନିକଟରେ ପହଞ୍ଚିବା ପରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଗ୍ରାମବାସୀ ନିଆଁ ଜାଳି ରାଜଘାଟ-ବାରିପଦା ରାସ୍ତା ଅବରୋଧ କରିଛନ୍ତି। ଗାଡ଼ିରୁ ଶବ ଓହ୍ଲାଇବାକୁ ଦେଉନାହାନ୍ତି। ଲୋକେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମାଡ଼ ମାରିବା ସହ ଉପସ୍ଥିତ ପୁଲିସ ଉପରକୁ ଇଟାପଥର ଓ ନିଆଁହୁଳା ମାଡ଼ କରିଛନ୍ତି।
