ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨: ପହିଲମାନ ଦିବ୍ୟା କାକରାନଙ୍କ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା: ଉତ୍ତରରେ ଦୁଃଖ ବଖାଣିଲେ ଦିବ୍ୟା

ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଭାରତୀୟ ଖେଳାଳି ମାନେ ଗୋଟିଏ ପରେ ଗୋଟିଏ ପଦକ ହାସଲ କରିବାରେ ଲାଗିଛନ୍ତି । ଦମଦାର ପ୍ରଦର୍ଶନ କରି ଦେଶ ପାଇଁ ଗୌରବ ଆଣିଛନ୍ତି । ତେବେ ଏହାରି ମଧ୍ୟରେ ପହିଲମାନ୍ ରେ ୬ ସ୍ଵର୍ଣ୍ଣ ସହ ୧୨ ପଦକ ଜିତି ସାରିଛି ଭାରତ । ଏହି ସମୟରେ ମହିଳା ପହିଲମାନ ଦିବ୍ୟା କାକରାନ କାଂସ୍ୟ ପଦକ ଜିତିଛନ୍ତି। ଏହା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ କାକରାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ତେବେ କେଜ୍ରିଓ୍ଵାଲଙ୍କ ଶୁଭେଚ୍ଛାର ଜବାବରେ ତାଙ୍କୁ ଦିଲ୍ଲୀ ସରକାରଙ୍କ ପକ୍ଷରୁ କୌଣସି ପ୍ରକାରର ପୁରସ୍କାର ରାଶି କିମ୍ବା ସହାୟତା ମିଳିନଥିବା ପ୍ରସଙ୍ଗ ଉଠାଇଛନ୍ତି। ଭାରତୀୟ ଯୁବ ମହିଲମାନ ଦିବ୍ୟା ରାଜ୍ୟଗୋଷ୍ଠୀ କ୍ରୀଡାରେ ମହିଳା କୁସ୍ତି ପ୍ରତିଯୋଗିତାର ୬୮ କିଗ୍ରା ବର୍ଗରେ କାଂସ୍ୟ ପଦକ ଜିତିଥିଲେ। ଏଥିପାଇଁ ତାଙ୍କୁ ଟୁଇଟ୍ କରି ଅଭିନନ୍ଦନ ଜଣାଇଥିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ।

ଦିବ୍ୟା କାକରାନ ରବିବାର ଗୋଟିଏ ପରେ ଗୋଟିଏ ଟୁଇଟ୍ କହିଛନ୍ତି, ପଦକ ଜିତିବା ନେଇ ଶୁଭେଚ୍ଛା ଜଣାଇଥିବାରୁ ଦିଲ୍ଲୀର ମାନନୀୟ ମୁଖ୍ୟମନ୍ତ୍ରୀ ଜୀଙ୍କୁ ହୃଦୟରୁ ଧନ୍ୟବାଦ। ମୋର ଆପଣଙ୍କୁ ଗୋଟିଏ ନିବେଦନ, ମୁଁ ଗତ ୨୦ ବର୍ଷ ଧରି ଦିଲ୍ଲୀରେ ରହୁଛି ଏବଂ ଏଠାରେ ହିଁ ନିଜ ଖେଳ କୁସ୍ତିର ଅଭ୍ୟାସ୍ କରୁଛି। କିନ୍ତୁ ଏ ପର୍ଯ୍ୟନ୍ତ ମୋତେ ରାଜ୍ୟ ସରକାରଙ୍କ ତରଫରୁ ନା କୌଣସି ପୁରସ୍କାର ରାଶି ମିଳିଛି ନା କୌଣସି ସହାୟତା। ମୁଁ ଆପଣଙ୍କୁ ଏମିତି ନିବେଦନ କରୁଛି ଯେ, ଯେଉଁଭଳି ଆପଣ ଅନ୍ୟ ଖେଳାଳିଙ୍କୁ ସମ୍ମାନିତ କରୁଛନ୍ତି ଯେଉଁମାନେ ଦିଲ୍ଲୀର ହୋଇ ଅନ୍ୟ ରାଜ୍ୟରୁ ଖେଳୁଛନ୍ତି, ଠିକ୍ ସେହି ପରି ମୋତେ ସମ୍ମାନିତ କରନ୍ତୁ।

ଏଥିସହ ଦିବ୍ୟା ୨୦୧୮ ମସିହାର ଏକ ଭିଡିଓ ସେୟାର କରି କହିଛନ୍ତି, ଲାଗୁଛି ସମୟ ପୁଣି ଥରେ ଦୋହରାଇଛି। ସବୁ କିଛି ପୂର୍ବ ପରି ରହିଛି, ନା କାଲି ମୋ ପାଇଁ କିଛି କରାଯାଇଥିଲା ନା ଏବେ।

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଶନିବାର ରାଜ୍ୟଗୋଷ୍ଠୀ କ୍ରୀଡାରେ ପଦକ ଜିତିଥିବା ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ ଟୁଇଟ୍ କରି କହିଥିଲେ, ସାବାସ୍ ପହିଲମାନମାନେ। ଆମର ପହିଲମାନମାନେ ରାଜ୍ୟଗୋଷ୍ଠୀ କ୍ରୀଡାରେ ଧୂମ ମଚାଇଛନ୍ତି। କୁସ୍ତିରେ ଭାରତକୁ ଗୋଟିଏ ଦିନରେ ମୋଟ୍ ଛଅଟି ପଦକ ମିଳିଥିବା ବେଳେ ଏଥିରେ ରହିଛି ୩ଟି ସ୍ଵର୍ଣ୍ଣ। ସାକ୍ଷୀ ମଲିକ ଏବଂ ଦୀପକ ପୁନିଆଙ୍କୁ ତାଙ୍କର ସ୍ଵର୍ଣ୍ଣ ଏବଂ ଦିବ୍ୟା କାକରାନ ଏବଂ ମୋହିତ ଗ୍ରେଓ୍ଵାଲଙ୍କୁ କାଂସ୍ୟ ପଦକ ପାଇଁ ବହୁତ ବହୁତ ଅଭିନନ୍ଦନ।

ସୂଚନାଯୋଗ୍ୟ, ଗରିବ ପରିବାରରୁ ଆସିଥିବା ଦିବ୍ୟା କାକରାନ ମହିଳା ୬୮ କିଲୋ ବର୍ଗରେ କାଂସ୍ୟ ପଦକ ଜିତିଥିଲେ। ଆର୍ଥିକ ସମସ୍ୟା ସତ୍ଵେ ଦିବ୍ୟା ହାର ମାନିନଥିଲେ ଏବଂ ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ପଦକ ଜିତି ଭାରତକୁ ଗୌରବାନ୍ଵିତ କରିଚନ୍ତି।

Related Posts