ନୂଆଦିଲ୍ଲୀ : ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ଖେଳାଳିମାନେ ଦମଦାର ଖେଳ ପଦର୍ଶନ୍ କରିଛନ୍ତି । ଭାରତକୁ ଗୌରବାନ୍ୱିତ କରିଛନ୍ତି ଖେଳାଳି । ତେବେ ଖେଳ ଶେଷ ହୋଇଥିବା ବେଳେ, ନିଜ ନିଜ ଦେଶ ଫେରିଛନ୍ତି ସମସ୍ତ ଖେଳାଳୀ । ଶନିବାର ପ୍ରଧାନମନ୍ତୀର ନରେନ୍ଦ୍ର ମୋଦୀ ସମସ୍ତ ଖେଳାଳିଙ୍କୁ ଭେଟିବା ସହ ଦମଦାର ପ୍ରଦର୍ଶନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।
ବର୍ମିଂହାମରେ ଭାରତ ୬୧ଟି ପଦକ ହାତେଇଥିଲା । ଏହି ସବୁ ଖେଳାଳିଙ୍କ ସହ ଆଲୋଚନା କରି ମୋଦୀ ସବୁ ଖେଳାଳି ଦେଶ ପାଇଁ ଗର୍ବ ବୋଲି କହିଛନ୍ତି ।
ମୋଦୀ ଖେଳାଳିଙ୍କୁ କହିଛନ୍ତି ଯେ, ସମସ୍ତେ ଗୋଟିଏ ପରିବାରର ସଦସ୍ୟ । ଗୋଟିଏ ପରିବାର ଭାବେ ତାଙ୍କୁ ଭେଟିବାକୁ ଆସିଛନ୍ତି । ସଫଳତା ପାଇଁ ଦେଶ ଗର୍ବିତ । ଦୁଇ ଦିନ ପରେ ଦେଶ ସ୍ୱାଧିନତାର ୭୫ ବର୍ଷ ପୂରଣ କରିବ । ଖେଳାଳିଙ୍କ ଉପଲବ୍ଧି ସହ ଦେଶ ସ୍ୱାଧିନତାର ଅମୃତକାଳରେ ପ୍ରବେଶ କରୁଛି । ରାଜ୍ୟଗୋଷ୍ଠୀ କ୍ରୀଡା ସହ ଭାରତ ଚେସ୍ ଅଲମ୍ପିଆଡର ଆୟୋଜନ ମଧ୍ୟ କରିଥିଲା । ତେବେ ରାଜ୍ୟଗୋଷ୍ଠୀ କ୍ରୀଡାରେ ଖେଳାଳି ଭଲ ପ୍ରଦର୍ଶନ କରିବେ ବୋଲି ବିଶ୍ୱାସ ଥିଲା ବୋଲି ମୋଦୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ଖେଳ ବର୍ମିଂହାମରେ ହେଉଥିଲା କିନ୍ତୁ ଏଠାରେ କୋଟିକୋଟି ଭାରତୀୟ ବିଜୟ ପାଇଁ ପ୍ରାର୍ଥନା କରୁଥିଲେ । ରାତି ସାରା ଲୋକେ ଉଜାଗର ରହି ଖେଳ ଦେଖୁଥିଲେ । ଚଳିତ ଥରର ପ୍ରଦର୍ଶନକୁ ପଦକ ସହ ମପାଯାଇ ପାରିବ ନାହିଁ । କାରଣ ସବୁ ଖେଳାଳି ଜିତିବା ପାଇଁ ନିଜର ସବୁ କିଛି ଲଗାଇ ଦେଇଥିଲେ ।
ସେ ଆହୁରି କହିଛନ୍ତି ଯେ, ହକିରେ ଉଭୟ ଦଳ ଆଗକୁ ବଢିଛନ୍ତି । ଏଥର ଭାରତ ଚାରୋଟି ନୂଆ ଗେମରେ ପଦକ ପାଇଛି । ଯୁବକମାନେ ଦମଦାର୍ ଖେଳ ପ୍ରଦର୍ଶନ କରିଥିଲେ । ପଦାର୍ପଣ କରିଥିବା ୩୧ଜଣ ପଦକ ହାତେଇଛନ୍ତି । ଏହା ଭାରତୀୟ କ୍ରୀଡାର ସ୍ୱର୍ଣ୍ଣିମ ଇତିହାସ ହୋଇ ରହିବ ।
ସୂଚନାଯୋଗ୍ୟ, ରାଜ୍ୟଗୋଷ୍ଠୀ କ୍ରୀଡା ଅଗଷ୍ଟ ୮ରେ ଶେଷ ହୋଇଛି । ପଦକ ତାଲିକାରେ ଭାରତ ଚତୁର୍ଥ ନମ୍ବରରେ ରହିଥିଲା । ଭାରତ ୬୧ଟି ପଦକ ଜିତିଥିଲା । ଯେଉଁଥିରେ ୨୨ଟି ସୁନା ରହିଛି ।
