ସୋନପୁର: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ଏହି ଅବସରରେ ଯୋଗମୟ ହୋଇଛି ସମଗ୍ର ଦେଶ । ଦେଶର ବିଭିନ୍ନ ସ୍ଥାନରେ ପାଳିତ ହୋଇଛି ଯୋଗ । କରୋନା ଭାଇରସ ଯୋଗୁ ଗତ ୨ ବର୍ଷ ହେବ ସାଧାରଣ ସ୍ଥାନରେ ଯୋଗ ଦିବସ ପାଳନ ବନ୍ଦ ହୋଇଥିବା ବେଳେ ଚଳିତ ବର୍ଷ ପୁଣି ଥରେ ସମଗ୍ର ଦେଶରେ ଯୋଗ ନିମନ୍ତେ ଦେଖାଦେଇଛି ଉତ୍ସାହ । ସର୍ବସାଧାରଣ ସ୍ଥାନରେ ପୁଣି ଆରମ୍ଭ ହୋଇଛି ଯୋଗ ।

ତେବେ ଯୋଗ କୁ ନେଇ ଶାଢ଼ୀ ମାଧ୍ୟମରେ ସଚେତନତାର ବାର୍ତ୍ତା। ଶାଢ଼ୀ ଖୋଲିଦେଲେ କେଉଁଠି ଯୋଗର ଭିନ୍ନ ଭିନ୍ନ ମୁଦ୍ରା ତ କେଉଁଠି ରହିଛି ଭିନ୍ନ ଭିନ୍ନ ଭାଷାରେ ଲେଖା ହୋଇଥିବା ବାର୍ତ୍ତା। ଶାଢ଼ୀ ମାଧ୍ୟମରେ ଏପରି ଯୋଗ ସଚେତନତା ବାର୍ତ୍ତା ଦେଇଥିବା ସୁବର୍ଣ୍ଣପୁର ଜିଲ୍ଲାର ବାନ୍ଧଶିଳ୍ପୀ ତ୍ରିପୁରାରୀ ମେହେରଙ୍କୁ ନେଇ ପୁଣି ଥରେ ଚର୍ଚ୍ଚା।

ପ୍ରତିବର୍ଷ ଯୋଗ ଦିବସ ପାଖେଇ ଆସିଲେ ମନେ ପଡ଼ନ୍ତି ତ୍ରିପୁରାରୀ ମେହେର। ଯୋଗ ସଚେତନତା ବାର୍ତ୍ତା ଦେଇ ପ୍ରାୟ ୭ ବର୍ଷ ପୂର୍ବେ ପୁରସ୍କୃତ ହୋଇଥିବା ତ୍ରିପୁରାରୀ ମେହେରଙ୍କ ଦ୍ୱାରା ପ୍ରସ୍ତୁତ ଶାଢ଼ୀ ଦେଖିବାକୁ ବିଭିନ୍ନ ସମୟରେ ଭିଡ଼ ଜମୁଥିବା ବେଳେ ଯୋଗ ଦିବସ ଆସିଲେ କିନ୍ତୁ କଥା ନିଆରା। ପ୍ରତିବର୍ଷ ଯୋଗ ଦିବସ ଆସିଲେ ଏହି ଶାଢ଼ୀ ଦେଖିବାକୁ ଭିଡ଼ ଜମୁଥିବା ବେଳେ ଗଣମାଧ୍ୟମରେ ଏହାକୁ ନେଇ ଚର୍ଚ୍ଚା ହୁଏ।

ଫିଟ୍‌ ରହିବା ପାଇଁ ଯୋଗ ନିହାତି ଆବଶ୍ୟକ। ଆଜିକାଲି ଦୁନିଆରେ ଅନେକ ସ୍ୱାସ୍ଥ୍ୟ ସଚେତନ ବ୍ୟକ୍ତି ଯୋଗରୁ ହିଁ ନିଜ ଦିନ ଆରମ୍ଭ କରୁଛନ୍ତି। ଦିନକୁ ଦିନ ଅଧିକ ସଂଖ୍ୟକ ଲୋକଙ୍କୁ ଯୋଗ ପ୍ରତି ଆକୃଷ୍ଟ କରିବାକୁ ବାନ୍ଧଶିଳ୍ପୀ ତ୍ରିପୁରାରୀ ମେହେର ପ୍ରାୟ ୭ ବର୍ଷ ତଳେ ଉଠାଇଥିଲେ ନିଆରା ପଦକ୍ଷେପ। ଏଥିନିମନ୍ତେ ଆଜି ବି ତାଙ୍କୁ ଖୁବ୍‌ ପ୍ରଶଂସା ମିଳୁଛି।