ଭୁବନେଶ୍ବର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗରେ ଲାଉଡସ୍ପିକର ଓ ଧାର୍ମିକ କାର୍ଯ୍ୟରେ ରୋକ ଲଗାଇଲେ ଶୁଭେନ୍ଦୁ ଅଧିକାରୀ । ତେବେ ନବାନ୍ନାରେ ବରିଷ୍ଠ ଆଇପିଏସ ଅଧିକାରୀଙ୍କ ସହ ତାଙ୍କର ପ୍ରଥମ ଆନୁଷ୍ଠାନିକ ବୈଠକରେ, ମୁଖ୍ୟମନ୍ତ୍ରୀ ରାଜ୍ୟର ଆଇନ ଶୃଙ୍ଖଳା ସମ୍ପର୍କରେ ତାଙ୍କର ପ୍ରାଥମିକତା ସ୍ପଷ୍ଟ କରିଛନ୍ତି। ଅଧିକାରୀଙ୍କ ଏହି ପ୍ରାରମ୍ଭିକ ନିଷ୍ପତ୍ତିଗୁଡ଼ିକ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମଡେଲ ସହ ସମାନ ବୋଲି କୁହାଯାଉଛି। ଏଥିରେ କୁହାଯାଇଛି ଯେ, ସାର୍ବଜନୀନ ଶୃଙ୍ଖଳା ଏବଂ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯିବ।

କୌଣସି ଧାର୍ମିକ ସ୍ଥଳର ଲାଉଡସ୍ପିକରର ଶବ୍ଦ ଯେପରି ପରିସର ବାହାର ନ ଶୁଭିବ ତାହା ନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପୁଲିସ ପ୍ରଶାସନକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ, ବିଶେଷ ଅବସର ବ୍ୟତୀତ ସାଧାରଣ ଜନତାଙ୍କୁ ଅସୁବିଧାରେ ପକାଉଥିବା ତଥା ଟ୍ରାଫିକ ଜାମ୍ କରୁଥିବା କୌଣସି ପ୍ରାର୍ଥନା ସମାବେଶ କିମ୍ବା ଧାର୍ମିକ କାର‌୍ୟ୍ୟକଳାପକୁ ରାସ୍ତାରେ କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।