କଟକ: କଟକ ଜିଲ୍ଲା ତିଗିରିଆ ବ୍ଲକର ବିଭିନ୍ନ ଜଙ୍ଗଲ ପାର୍ଶ୍ବବର୍ତ୍ତୀ ଅଞ୍ଚଳଗୁଡ଼ିକରୁ ଚାଲାଣ ହେଉଛି ଦେଶୀ ମଦ। ଏଠାରୁ ରାଜ୍ୟର କୋଣ ଅନୁକୋଣକୁ ହଜାର ହଜାର ଲିଟର ଦେଶୀ ମଦ ରନ୍ଧା ଯାଇ ଚୋରା ଚାଲାଣ କରାଯାଉଛିl ଏହାକୁ ଦୃଷ୍ଟିରେ ରଖି ତିଗିରିଆ ପୋଲିସ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି। ବାଲିପୁଟ ପଞ୍ଚାୟତ ଇଲାକାରେ ‌ଥିବା ଜଙ୍ଗଲରେ ଚୋରାରେ ରନ୍ଧା ହେଉଥିବା ଦେଶୀ ଭାଟିରେ ଚଢାଉ କରାଯାଇଛି।

ପୁଲିସ ପକ୍ଷରୁ ୧୭୫୦ ଲିଟର ଗୁଡ ପୋଚ ଓ ୧୦୦ ଲିଟର ଦେଶୀ ମଦ ଜବତ କରିବା ସହ ମଦ ପ୍ରସ୍ତୁତି ପାଇଁ ବ୍ୟବହୃତ ହେଉଥିବା ଆସବାସପତ୍ରକୁ ଘଟଣା ସ୍ଥଳରେ ନଷ୍ଟ କରିଦିଆଯାଇଥିଲା। ଏହି ଚଢାଉରେ ତିଗିରିଆ ଥାନା ଅଧିକାରୀ ସୁଚିତ୍ରା ଜେନା, ସବ ଇନ୍ସପେକ୍ଟର ସନ୍ତୋଷ କୁମାର ପ୍ରଧାନ, ସବ ଇନ୍ସପେକ୍ଟର ସୁନୀଲ ପାହାଡ ସିଂଙ୍କ ସହିତ ତିଗିରିଆ ଥାନାର କର୍ମଚାରୀ ମାନେ ସାମିଲ ହୋଇଥିଲେ। ଚଢାଉ ସମୟରେ ପଞ୍ଚାୟତ ଅନ୍ତର୍ଗତ ଭୁତିଆଡିହ ଗ୍ରାମର କୁଳମଣି ବେହେରା ନାମକ ମଦ ବେପାରୀ ଗିରଫ ହୋଇଥିବା ତିଗିରିଆ ଥାନା ପକ୍ଷରୁ ସୂଚନା ଦିଆଯାଇଛି।