ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଅଲିମ୍ପିଆନ୍ କୁସ୍ତିଯୋଦ୍ଧା ଭିନେଶ ଫୋଗଟ୍ଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଆଶ୍ବସ୍ତି ମିଳିଛି। ୨୦୨୬ ଏସୀୟ କ୍ରୀଡ଼ା ଚୟନ ଶିବିରରେ ଯୋଗ ଦେବାକୁ ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କୁ ଅନୁମତି ଦେଇଛନ୍ତି।
ମାମଲାର ଶୁଣାଣି କରି ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି ଯେ ଭିନେଶଙ୍କ ପୂର୍ବ ରେକର୍ଡକୁ ଦେଖି ସେ ଏସୀୟ କ୍ରୀଡ଼ା ଚୟନରେ ଭାଗନେବାକୁ ଯୋଗ୍ୟ। ଯଦି ଅନ୍ୟ କେହି ହୋଇଥାଏ ତେବେ ଅଲଗା କଥା ଥିଲା, କିନ୍ତୁ ଭିନେଶ ପୂର୍ବରୁ ଦେଶକୁ ଗର୍ବିତ କରିଛନ୍ତି। ତେବେ କୋର୍ଟ ଆହୁରି ମଧ୍ୟ କହିଛନ୍ତି କ୍ରୀଡ଼ା ପ୍ରଶାସନ ସମ୍ପର୍କିତ ମାମଲାର ଶୁଣାଣି ବେଳେ କୋର୍ଟମାନେ ସତର୍କତା ଅବଲମ୍ବନ କରିବା ଉଚିତ୍।
ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ମଧ୍ୟ ଭିନେଶଙ୍କ ସପକ୍ଷରେ ରାୟ ଶୁଣାଇଥିଲେ। କିନ୍ତୁ ଏହି ରାୟ ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲା ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫଆଇ)। ନିଜର ଆବେଦନରେ ଡବ୍ଲୁଏଫଆଇ ପକ୍ଷରୁ କୁହାଯାଇଥିଲା ଯେ ଦିଲ୍ଲୀ ହାଇକୋର୍ଟଙ୍କ ରାୟ ଆପାତତଃ ଆଇନସମ୍ମତ ଜଣାପଡ଼ୁନାହିଁ, କାରଣ ଭିନେଶଙ୍କ ସପକ୍ଷରେ ରାୟ ଶୁଣାଇବା ପୂର୍ବରୁ ମହାସଂଘକୁ ନିଜର ପକ୍ଷ ରଖିବାକୁ ଯଥେଷ୍ଟ ସୁଯୋଗ ଦିଆଯାଇନଥିଲା। କ୍ରୀଡ଼ା ବ୍ୟାପାରରେ ନ୍ୟାୟିକ ହସ୍ତକ୍ଷେପକୁ ବି ମହାସଂଘ ବିରୋଧ କରିଥିଲା।
