ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): କଂଗ୍ରେସ ନେତା ପବନ ଖେରାଙ୍କ ଅଡୁଆ ବଢ଼ିବାରେ ଲାଗିଛି। ଜାଲିଆତି ଏବଂ ଅପରାଧିକ ଷଡ଼ଯନ୍ତ୍ର ମାମଲାରେ ତେଲେଙ୍ଗାନା ହାଇକୋର୍ଟ ତାଙ୍କୁ ଦେଇଥିବା ‘ଟ୍ରାଞ୍ଜିଟ୍ ଆଗୁଆ ଜାମିନ’ ଉପରେ ଆଜି ସୁପ୍ରିମକୋର୍ଟ ରୋକ୍ ଲଗାଇଛନ୍ତି। ଆସାମ ସରକାରଙ୍କ ଆବେଦନ ଉପରେ ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ଏହି ଅନ୍ତରୀଣ ଆଦେଶ ପ୍ରଦାନ କରିଛନ୍ତି।

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ପତ୍ନୀ ରିନିକି ଭୂୟାଁ ଶର୍ମାଙ୍କ ବିରୋଧରେ ଖେରା ଆଣିଥିବା ସାଂଘାତିକ ଅଭିଯୋଗକୁ ନେଇ ଏହି ବିବାଦ ଉପୁଜିଛି। ଏକ ସମ୍ବାଦିକ ସମ୍ମିଳନୀରେ ଖେରା ଦାବି କରିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ପତ୍ନୀଙ୍କ ପାଖରେ ଏକାଧିକ ପାସପୋର୍ଟ ଏବଂ ବିଦେଶରେ ଗୋପନୀୟ ସମ୍ପତ୍ତି ରହିଛି। ଏହାକୁ ଭିତ୍ତି କରି ଗୁଆହାଟୀ କ୍ରାଇମବ୍ରାଞ୍ଚ ପକ୍ଷରୁ ଜାଲିଆତି ଓ ମାନହାନି ଭଳି ସିରିୟସ୍ ଧାରାରେ ମାମଲା ରୁଜୁ ହୋଇଥିଲା।

ବିଚାରପତି ଜେ.କେ. ମାହେଶ୍ୱରୀ ଏବଂ ଜେ. ସି. ଚନ୍ଦୁରକରଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି ସମୟରେ ତେଲେଙ୍ଗାନା ହାଇକୋର୍ଟଙ୍କ ଆଦେଶକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। କୋର୍ଟ କହିଛନ୍ତି ଯେ, ଯେତେବେଳେ ଏହି ମାମଲା ଆସାମ କିମ୍ବା ଦିଲ୍ଲୀର ଅଧିକାର ଭୁକ୍ତ, ସେତେବେଳେ ତେଲେଙ୍ଗାନା ହାଇକୋର୍ଟ ଏଥିରେ ହସ୍ତକ୍ଷେପ କରିବା ସନ୍ଦେହଜନକ।
ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଅଦାଲତରେ ଯୁକ୍ତି ଦର୍ଶାଇଥିଲେ ଯେ, ପବନ ଖେରା ନିଜ ସ୍ତ୍ରୀ ହାଇଦ୍ରାବାଦରେ ରହୁଥିବା କହି ମିଥ୍ୟା ତଥ୍ୟ ଆଧାରରେ ତେଲେଙ୍ଗାନାରୁ ଜାମିନ ନେବାକୁ ଚେଷ୍ଟା କରିଥିଲେ। ମାତ୍ର ପ୍ରକୃତରେ ତାଙ୍କ ସ୍ତ୍ରୀଙ୍କ ଆଧାର କାର୍ଡ ଠିକଣା ଦିଲ୍ଲୀର ରହିଛି। ଏହା ଏକ ପ୍ରକାର ‘ଫୋରମ ଶପିଂ’ (ନିଜ ସୁବିଧା ଅନୁସାରେ କୋର୍ଟ ଚୟନ କରିବା) ବୋଲି ସେ ଦର୍ଶାଇଥିଲେ।

ସୁପ୍ରିମକୋର୍ଟ ଖେରାଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇ କହିଛନ୍ତି ଯେ, ସେ ଆସାମର ସମ୍ପୃକ୍ତ ନିମ୍ନ ଅଦାଲତରେ ଆଗୁଆ ଜାମିନ ପାଇଁ ପୁନର୍ବାର ଆବେଦନ କରିପାରିବେ। ତେବେ ସୁପ୍ରିମକୋର୍ଟଙ୍କ ଏହି ‘ଷ୍ଟେ-ଅର୍ଡର’ ପରେ ଏବେ ଖେରାଙ୍କ ଗିରଫଦାରୀକୁ ନେଇ ଚର୍ଚ୍ଚା ଜୋର ଧରିଛି। ଖୁବଶୀଘ୍ର ଆସାମ ପୋଲିସ ଏହି ଦିଗରେ ବଡ଼ ପଦକ୍ଷେପ ନେଇପାରେ ବୋଲି ଅନୁମାନ କରାଯାଉଛି।