ଏକତା କପୁରଙ୍କ ଓଟିଟି ପ୍ଲାଟଫର୍ମରେ ପ୍ରଦର୍ଶିତ ଓ୍ଵେବ୍ ସିରିଜ୍ XXXକୁ ନେଇ ସୁପ୍ରିମକୋର୍ଟଙ୍କ କଡା ଭର୍ତ୍ସନା

ନୂଆଦିଲ୍ଲୀ: ଓଟିଟି ପ୍ଲାଟଫର୍ମରେ ପ୍ରଦର୍ଶିତ ହୋଇଛି ଏକତା କପୁରଙ୍କ ଓ୍ଵେବ୍ ସିରିଜ୍ XXX । ତେବେ ଯାହାକୁ ନେଇ ଶୁକ୍ରବାର ସୁପ୍ରିମକୋର୍ଟ କଡା ଭର୍ତ୍ସନା କରିଛନ୍ତି। ସିରିଜ୍‌କୁ ନେଇ ଅଦାଲତରେ ଲମ୍ବା ସମୟ ଧରି ମାମଲା ଚାଲିଛି। ସଂପ୍ରତି ମାମଲାର ଶୁଣାଣି ବେଳେ ଉଚ୍ଚତମ ନ୍ୟାୟାଳୟ ଏକତା କପୁରଙ୍କୁ କହିଛନ୍ତି, ଆପଣ ଦେଶର ଯୁବ ପିଢିଙ୍କ ମସ୍ତିଷ୍କକୁ ଦୂଷିତ କରୁଛନ୍ତି। ଏକତା କପୁରଙ୍କ ତରଫରୁ ଗୋଟିଏ ଯାଚିକା ଦାଖଲ କରାଯାଇଥିଲା। ଏହାକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଚେତାବନୀ ଦେଇଛନ୍ତି ଯେ, ଏମିତି ଯଦି ଆଉ କୌଣସି ଆବେଦନ ତାଙ୍କ ନିକଟକୁ ଆସେ ତେବେ ମୋଟା ଅଙ୍କର ଜରିମାନା ଆଦାୟ କରାଯିବ।

ଶୁକ୍ରବାର ଉଚ୍ଚତମ ନ୍ୟାୟାଳୟ ଏକତା କପୁରଙ୍କ ଦ୍ଵାରା ଦାଖଲ ଆବେଦନ ଉପରେ ଶୁଣାଣି କରିଛନ୍ତି। ଓଟିଟି ପ୍ଲାଟଫର୍ମ ଅଲ୍‌ଟ ବାଲାଜୀରେ ପ୍ରସାରିତ ଓ୍ଵେବ ସିସିଜ୍‌ XXXରେ ଆପତ୍ତିଜନକ କଣ୍ଟେଣ୍ଟ ଜରିଆରେ ସୈନିକଙ୍କୁ ଅପମାନ କରିବା ଏବଂ ତାଙ୍କ ପରିବାରର ଭାବନାକୁ ଆଘାତ ଦେବା ଅଭିଯୋଗ ହୋଇଥିଲା। ଏ ନେଇ ଏକତାଙ୍କ ବିରୋଧରେ ଗିରଫଦାରୀ ଓ୍ଵାରେଣ୍ଟ ଜାରି ହୋଇଥିଲା। ଏହାକୁ ବିରୋଧ କରି ଏକତା ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇଥିଲେ।

ବିହାରର ବେଗୁସରାୟର ଏକ ଟ୍ରାଏଲ କୋର୍ଟ ଜଣେ ପୂର୍ବତନ ସୈନିକ ଶମ୍ଭୁ କୁମାରଙ୍କ ଅଭିଯୋଗକ୍ରମେ ଏକତାଙ୍କ ବିରୋଧରେ ଓ୍ଵାରେଣ୍ଟ ଜାରି କରିଥିଲେ। ସୈନିକ ଅଭିଯୋଗ କରିଥିଲେ ଯେ, ଓ୍ଵେବ୍‌ ସିରିଜ୍‌ର ଦ୍ଵିତୀୟ ସିଜିନରେ ଜଣେ ସୈନିକଙ୍କ ପତ୍ନୀ ସହିତ ଆପତ୍ତିଜନକ ଦୃଶ୍ୟ ପ୍ରସାରଣ କରାଯାଇଛି।

ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ଏକତାଙ୍କ ପକ୍ଷରୁ ହାଜର ହୋଇ ତାଙ୍କ ମହକିଲଙ୍କୁ ସୁରକ୍ଷା ପ୍ରଦାନ କରାଯାଉ ବୋଲି କହିଥିଲେ। ରୋହତଗୀ କହିଛନ୍ତି, ଓ୍ଵେବ୍ ସିରିଜ୍‌କୁ ସବସ୍କ୍ରିପସନ୍ ପରେ ହିଁ ଦେଖା ଯାଇ ପାରିବ। ଆମ ଦେଶରେ ନିଜ ପସନ୍ଦରେ ଦେଖିବା ନେଇ ସ୍ଵାଧୀନତା ରହିଛି। ବିଚାରପତି ଅଜୟ ରସ୍ତୋଗୀ ଏବଂ ବିଚାରପତି ସିଟି ରବିକୁମାରଙ୍କ ଖଣ୍ଡପୀଠ କହିଛନ୍ତି, ଆପଣଙ୍କ ମହକିଲ୍ ଏକତା କପୁର ଦେଶର ଯୁବ ପିଢିଙ୍କ ମସ୍ତିଷ୍କ ଦୂଷିତ କରୁଛନ୍ତି। ଓଟିଟିରେ କଣ୍ଟେଣ୍ଟ ସମସ୍ତଙ୍କ ପାଇଁ ଉପଲବ୍ଧ। ଆପଣ ଲୋକଙ୍କୁ କେଉଁଭଳି ପ୍ରକାରର ବିକଳ୍ପ ଦେଉଛନ୍ତି। ଆପଣ ଯୁବ ପିଢିଙ୍କ ମସ୍ତିଷ୍କକୁ ଦୂଷିତ କରିବାରେ ଲାଗିଛନ୍ତି ବୋଲି ଅଦାଲତ କଡା ଟିପ୍ପଣୀ କରିଛନ୍ତି।

କୋର୍ଟ ଏକତାଙ୍କୁ ଚେତାବନୀ ଦେଇ କହିଛନ୍ତି, ପ୍ରତି ଥର ଆପଣ ଯେଉଁଭଳି କୋର୍ଟକୁ ଆସୁଛନ୍ତି, ଆମେ ଏହାର ପ୍ରଶଂସା କରୁନି। ଏହି ଧରଣର ଯାଚିକା ଦାଖଲ ପାଇଁ ଆପଣଙ୍କ ଉପରେ ଜରିମାନା ଲଗାଇବାକୁ ପଡିବ। ମିଷ୍ଟର ରୋହତଗୀ କୃପା କରି ନିଜର ମହକିଲଙ୍କୁ ବୁଝାଇ ଦେବେ। ଆପଣ ଜଣେ ଭଲ ଓକିଲଙ୍କ ସେବା ନେଇଥିବାରୁ ଆମେ କଣ ଆପଣଙ୍କ କେସ୍‌ର ଶୁଣାଣି କରିବୁ। ଏ ଅଦାଲତ ସେହି ଲୋକଙ୍କ ପାଇଁ ନୁହେଁ ଯାହା ନିକଟରେ ସବୁ କିଛି ଅଛି। ଏ ଅଦାଲତ ସେହି ଲୋକଙ୍କ ପାଇଁ କାମ କରିଥାଏ ଯାହାଙ୍କ ନିକଟରେ ସ୍ଵର ନଥାଏ। ଯେଉଁ ଲୋକଙ୍କ ନିକଟରେ ସବୁ ସୁବିଧା ଥାଇ ଯଦି ତାଙ୍କୁ ନ୍ୟାୟ ମିଳୁନାହିଁ ତେବେ ସାଧାରଣ ଲୋକଙ୍କ ସ୍ଥିତି ବିଷୟରେ ଟିକେ ଭାବନ୍ତୁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।

ଏହା ପୂର୍ବରୁ ଏକତାଙ୍କ ଓକିଲ ମୁକୁଲ ରୋହତଗୀ କହିଥିଲେ ଯେ, ମାମଲାରେ ପାଟନା ଉଚ୍ଚ ନ୍ୟାୟାଳୟରେ ଏକ ଯାଚିକା ଦାୟର କରାଯାଇଛି। ମାତ୍ର ସେଠାରେ ଶୀଘ୍ର ଶୁଣାଣି ପାଇଁ ସୂଚୀବଦ୍ଧ ହେବାର ଆଶା ନାହିଁ। ଏହା ଉପରେ ଉଚ୍ଚ ନ୍ୟାୟାଳୟ କହିଛନ୍ତି, ପାଟନା ଉଚ୍ଚ ନ୍ୟାୟାଳୟରେ ମାମଲାର ଶୁଣାଣିର ସ୍ଥିତି ପରଖିବା ପାଇଁ ଜଣେ ସ୍ଥାନୀୟ ଆଇନଜୀବୀଙ୍କୁ ନିଯୁକ୍ତ କରାଯାଇପାରିବ

Related Posts