ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଓଡ଼ିଶା ହାଇକୋର୍ଟ ଏବଂ ରାୟଗଡ଼ାର କେତେକ ନିମ୍ନ ଅଦାଲତଙ୍କ ପକ୍ଷରୁ ଅଭିଯୁକ୍ତମାନଙ୍କୁ ଜାମିନ ପ୍ରଦାନ ସମୟରେ ଲଗାଯାଇଥିବା ବିଚିତ୍ର ସର୍ତ୍ତାବଳୀକୁ ସୁପ୍ରିମକୋର୍ଟ ତୀବ୍ର ନିନ୍ଦା କରିଛନ୍ତି । ବିଶେଷକରି ଦଳିତ ଓ ଆଦିବାସୀ ସମ୍ପ୍ରଦାୟର ଅଭିଯୁକ୍ତଙ୍କୁ ଦୁଇ ମାସ ପାଇଁ ପୋଲିସ ଥାନା ସଫା କରିବା ପରି ବାଧ୍ୟତାମୂଳକ ଶ୍ରମ ଭିତ୍ତିକ ସର୍ତ୍ତକୁ ସର୍ବୋଚ୍ଚ ଅଦାଲତ ‘କ୍ରୂରତା’ ଓ ‘ଔପନିବେଶିକ ମାନସିକତା’ର ପରିଚୟ ବୋଲି ଅଭିହିତ କରିଛନ୍ତି। ତେବେ ସୋମବାର ଏକ ସୁଓ ମୋଟୋ ରିଟ୍ ପିଟିସନର ଶୁଣାଣି କରି ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟ କାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଭଳି ସର୍ତ୍ତାବଳୀକୁ ‘ଅବୈଧ’ ଓ ‘ଶୂନ୍ୟ’ ବୋଲି ଘୋଷଣା କରିଛନ୍ତି । ଅଦାଲତ କହିଛନ୍ତି ଯେ, ଏଭଳି ନିର୍ଦ୍ଦେଶ ମାନବାଧିକାରର ଖୋଲାଖୋଲି ଉଲ୍ଲଂଘନ ଏବଂ ଏହା ଅଭିଯୁକ୍ତଙ୍କ ମର୍ଯ୍ୟାଦା ଉପରେ ଆଘାତ ଦେଉଛି । ବେଦାନ୍ତ ଗ୍ରୁପର ଖଣି ପ୍ରକଳ୍ପକୁ ନେଇ ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାରେ ହୋଇଥିବା ଆନ୍ଦୋଳନ ପରେ କୁମେଶ୍ୱର ନାୟକ ଓ ଲକ୍ଷ୍ମଣ ନାୟକଙ୍କ ସମେତ ଅନେକଙ୍କୁ ଗିରଫ କରାଯାଇଥିଲା।
ଓଡ଼ିଶା ହାଇକୋର୍ଟ ଏବଂ ରାୟଗଡ଼ା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ସେମାନଙ୍କୁ ଜାମିନ ଦେବା ବେଳେ ଏକ ସର୍ତ୍ତ ରଖିଥିଲେ ଯେ, ସେମାନେ ଦୁଇ ମାସ ଧରି ପ୍ରତିଦିନ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ କାଶୀପୁର ଥାନା ପରିସର ସଫା କରିବେ । ଥାନା ଅଧିକାରୀ ସେମାନଙ୍କୁ ଝାଡ଼ୁ ଓ ଫିନାଇଲ୍ ଯୋଗାଇ ଦେବାକୁ ନିର୍ଦ୍ଦେଶ ହୋଇଥିଲା । ଅଦାଲତଙ୍କ ନଜରକୁ ଆସିଛି ଯେ, ୨୦୨୫ ମେ’ ମାସରୁ ୨୦୨୬ ଜାନୁଆରୀ ମଧ୍ୟରେ ଓଡ଼ିଶାର ବିଭିନ୍ନ କୋର୍ଟ ପ୍ରାୟ ୮ଟି ଏଭଳି ଆଦେଶ ଦେଇଛନ୍ତି । ଏହି ସର୍ତ୍ତ ଗୁଡ଼ିକ କେବଳ ପଛୁଆ ବର୍ଗର ଲୋକଙ୍କ କ୍ଷେତ୍ରରେ ହିଁ ଲଗାଯାଇଛି । ସୁପ୍ରିମକୋର୍ଟ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ, ଏହା ରାଜ୍ୟ ନ୍ୟାୟପାଳିକାରେ ଜାତିଭିତ୍ତିକ ପକ୍ଷପାତିତାକୁ ପ୍ରତିଫଳିତ କରୁଛି । ଯାହା ଗୁରୁତର ସାମାଜିକ ସଂଘର୍ଷ ସୃଷ୍ଟି କରିବାର ସମ୍ଭାବନା ରଖୁଛି।
ଓଡ଼ିଶାର ସମସ୍ତ ଅଦାଲତ ତୁରନ୍ତ ଏଭଳି ଅମାନବୀୟ ସର୍ତ୍ତ ଗୁଡ଼ିକୁ ସେମାନଙ୍କ ଜାମିନ ଆଦେଶରୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି।
• ଦେଶବ୍ୟାପୀ ସର୍କୁଲାର: କୌଣସି ବି ରାଜ୍ୟର ନ୍ୟାୟପାଳିକା ଯେପରି ଏଭଳି ଅପମାନଜନକ ସର୍ତ୍ତାବଳୀର ପୁନରାବୃତ୍ତି ନକରନ୍ତି, ସେଥିପାଇଁ ଏହି ରାୟର କପି ଦେଶର ସମସ୍ତ ହାଇକୋର୍ଟଙ୍କୁ ପଠାଇବାକୁ ସୁପ୍ରିମକୋର୍ଟଙ୍କ ରେଜିଷ୍ଟ୍ରିକୁ ନିର୍ଦ୍ଦେଶ ହୋଇଛି।
• ଅନୁପାଳନ ରିପୋର୍ଟ : ଓଡ଼ିଶା ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ୍ ଏହି ନିର୍ଦ୍ଦେଶର ଅନୁପାଳନ ସମ୍ପର୍କରେ ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବେ। ଅଦାଲତ ସ୍ପଷ୍ଟ କରିଛନ୍ତି ଯେ, ସମ୍ବିଧାନର ଧାରା ୧୪, ୧୫ ଓ ୧୭ ଅନୁଯାୟୀ ସମସ୍ତେ ସମାନ ଏବଂ ନ୍ୟାୟପାଳିକାର ଦାୟିତ୍ୱ ହେଉଛି ଅବହେଳିତ ଲୋକଙ୍କ ଅଧିକାରକୁ ସୁରକ୍ଷା ଦେବା । ମାମଲାର ପରବର୍ତ୍ତୀ ଶୁଣାଣି ମେ’ ୧୧ ତାରିଖରେ ହେବ।
