ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ):ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି । ନ୍ୟାୟିକ ପ୍ରକ୍ରିୟାକୁ ଦ୍ରୁତ ଓ ପ୍ରଭାବଶାଳୀ କରିବା ପାଇଁ ସବୁ କୋର୍ଟରେ ବ୍ୟବହାର କରାଯିବ AI। ତେବେ ସୁପ୍ରିମକୋର୍ଟଙ୍କ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) କମିଟି ‘ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ୟୁସେଜ ଇନ କୋର୍ଟସ ୨୦୨୬’ (Artificial Intelligence Usage in Courts 2026) ର ଏକ ଚିଠା (Draft) ଜାରି କରିଛନ୍ତି। ଏଥିରେ ରହିଯାଇଥିବା ତ୍ରୁଟିଗୁଡ଼ିକୁ ଦୂର କରି ଏହାକୁ ଲାଗୁ କରିବା ପାଇଁ ଦେଶର ସମସ୍ତ ଓକିଲ, ସାଧାରଣ ଜନତା, ନ୍ୟାୟିକ ଅଧିକାରୀ ଏବଂ ଆଇନ ବିଶେଷଜ୍ଞମାନଙ୍କୁ ଜୁନ ୨୦ ତାରିଖ ସୁଦ୍ଧା ନିଜର ମତାମତ ଓ ପରାମର୍ଶ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏହି ଚିଠା ପ୍ରସ୍ତାବ ଅନୁଯାୟୀ, ସାରା ଦେଶର ଅଦାଲତଗୁଡ଼ିକରେ ନ୍ୟାୟିକ ପ୍ରକ୍ରିୟାକୁ ଦ୍ରୁତ ଓ ପ୍ରଭାବଶାଳୀ କରିବା ପାଇଁ ଏଆଇ (AI) ର ବ୍ୟବହାର କରାଯାଇପାରିବ। ଏହା ଦ୍ୱାରା କେସ ମ୍ୟାନେଜମେଣ୍ଟ, କଜ ଲିଷ୍ଟ (Cause List) ପ୍ରସ୍ତୁତ କରିବା, ଶୁଣାଣିର ତାରିଖ ଧାର୍ଯ୍ୟ କରିବା ଏବଂ ମାମଲାଗୁଡ଼ିକର ପ୍ରାଥମିକତା ସ୍ଥିର କରିବାରେ ସହାୟତା ମିଳିବ। ଏହାସହ କୋର୍ଟ କାର୍ଯ୍ୟଧାରାର ଟ୍ରାନ୍ସକ୍ରିପ୍ସନ (Transcription), ରାୟ ଏବଂ ଆବେଦନଗୁଡ଼ିକର ଅନୁବାଦ, ଆଇନଗତ ଗବେଷଣା (Legal Research), ସାଇଟେସନ ଭେରିଫିକେସନ (Citation Verification) ଏବଂ ପ୍ରଶାସନିକ କାର୍ଯ୍ୟ ମଧ୍ୟ AI ର ସହାୟତାରେ କରାଯାଇପାରିବ।
ଏହି ଡ୍ରାଫ୍ଟ ରିଲିଜ କରିବା ସମୟରେ ସୁପ୍ରିମକୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ, AI କୌଣସି ବି ମାମଲାର ପରିଣାମ ବିଷୟରେ ଭବିଷ୍ୟବାଣୀ କରିପାରିବ ନାହିଁ କିମ୍ୱା ଜଜ (ବିଚାରପତି) ଙ୍କ ଭୂମିକା ଗ୍ରହଣ କରିପାରିବ ନାହିଁ। ଏଭଳି ପରିସ୍ଥିତିରେ ମାମଲାର ଚୂଡ଼ାନ୍ତ ନିଷ୍ପତ୍ତି ନେବାର ଅଧିକାର କେବଳ ବିଚାରପତିମାନଙ୍କ ପାଖରେ ହିଁ ରହିବ।ଡ୍ରାଫ୍ଟ ଅନୁଯାୟୀ, ଅଦାଲତଗୁଡ଼ିକରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) କେବଳ ଏକ ସହାୟକ ଭାବରେ କାର୍ଯ୍ୟ କରିବ।
AI ଦ୍ୱାରା ପ୍ରସ୍ତୁତ କରାଯାଇଥିବା କୌଣସି ବି କଣ୍ଟେଣ୍ଟ, ଦିଆଯାଇଥିବା ପରାମର୍ଶ, କରାଯାଇଥିବା ଅନୁବାଦ ଏବଂ ଟ୍ରାନ୍ସକ୍ରିପ୍ସନକୁ ସଠିକ ଭାବେ ଯାଞ୍ଚ (Verification) କରାଯିବା ପରେ ହିଁ ବ୍ୟବହାର କରାଯିବ, ନଚେତ୍ ବଡ଼ ଧରଣର ଭୁଲ ହେବାର ସମ୍ଭାବନା ରହିଛି।ସୁପ୍ରିମକୋର୍ଟ ପ୍ରସ୍ତାବ ଦେଇଛନ୍ତି ଯେ କୌଣସି ବି AI ସିଷ୍ଟମକୁ କୋର୍ଟରେ ଲାଗୁ କରିବା ପୂର୍ୱରୁ ଏହାର ‘କଣ୍ଟ୍ରୋଲ୍ଡ ଏନଭାଇରନମେଣ୍ଟ ଟେଷ୍ଟିଂ’ (Controlled Environment Testing) କରାଯିବ, ଅର୍ଥାତ ଏକ ନିୟନ୍ତ୍ରିତ ଏବଂ ସୁରକ୍ଷିତ ପରିବେଶରେ ଏହାର ବ୍ୟବହାରକୁ ପରଖାଯିବ।
ଟେଷ୍ଟିଂ ସମୟରେ AI ରୁ ମିଳୁଥିବା ଆଉଟପୁଟକୁ କୌଣସି ପ୍ରକୃତ ନ୍ୟାୟିକ ପ୍ରକ୍ରିୟା କିମ୍ୱା ପ୍ରଶାସନିକ ନିଷ୍ପତ୍ତିରେ ବ୍ୟବହାର କରାଯିବ ନାହିଁ। ଏହି ଡ୍ରାଫ୍ଟରେ କେତେକ ର୍ନିଦ୍ଦିଷ୍ଟ ମାମଲାରେ AI ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାର ପ୍ରାବଧାନ ମଧ୍ୟ ରହିଛି। ଯେପରିକି ଜାମିନ ମିଳିବାର ସମ୍ଭାବନା, ଅଭିଯୁକ୍ତର ଭବିଷ୍ୟତର ବ୍ୟବହାର, ପୁନର୍ୱାର ଅପରାଧ କରିବାର ଆଶଙ୍କା, ସାକ୍ଷୀର ବିଶ୍ୱସନୀୟତା କିମ୍ୱା କୌଣସି ମୋକଦ୍ଦମାର ସମ୍ଭାବ୍ୟ ପରିଣାମର ଆକଳନ AI ଦ୍ୱାରା କରାଯାଇପାରିବ ନାହିଁ।
