ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି । ସାର୍ବଜନୀନ ସ୍ଥାନରୁ ହଟିବେ ବୁଲା କୁକୁର। ତେବେ ନଭେମ୍ବର ୨୦୨୫ରେ ଦିଆଯାଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ଆଦେଶରେ ସଂଶୋଧନ ପାଇଁ ଦାୟର ହୋଇଥିବା ସମସ୍ତ ପିଟିସନକୁ ମଙ୍ଗଳବାର ଦିନ ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି। ବିଶେଷ କରି ସର୍ବସାଧାରଣ ସ୍ଥାନରୁ ଉଠାଯାଇଥିବା ବୁଲା କୁକୁରମାନଙ୍କୁ ବନ୍ଧ୍ୟାକରଣ ପରେ ପୁନର୍ବାର ସେହି ସମାନ ସ୍ଥାନରେ ନଛାଡ଼ିବା ପାଇଁ କୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଥିଲେ, ସେଥିରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି ସ୍ପଷ୍ଟ କୁହାଯାଇଛି। ପଶୁ ଅଧିକାର କର୍ମୀମାନେ ଯୁକ୍ତି ଦର୍ଶାଇଥିଲେ ଯେ କୁକୁରମାନଙ୍କ ସ୍ଥାନ ପରିବର୍ତ୍ତନ କଲେ ସେମାନେ ଦିଗହରା ଓ ଭ୍ରମିତ ହୋଇପାରନ୍ତି, ଯାହାଫଳରେ ସେମାନଙ୍କ ଆକ୍ରମଣ କରିବାର ଆଶଙ୍କା ଅଧିକ ବୃଦ୍ଧି ପାଇବ।
ମାତ୍ର ଜଷ୍ଟିସ ବିକ୍ରମ ନାଥ, ଜଷ୍ଟିସ ସନ୍ଦୀପ ମେହେଟ୍ଟା ଓ ଜଷ୍ଟିସ ଏନ.ଭି. ଅଞ୍ଜାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଯୁକ୍ତି ସହ ସହମତ ହୋଇନାହାନ୍ତି। ସର୍ବସାଧାରଣ ସ୍ଥାନରେ ବୁଲା କୁକୁରଙ୍କ ଏଭଳି ସ୍ଥିତିକୁ କୋର୍ଟ ”ଉଦବେଗଜନକ” ବୋଲି କହିଛନ୍ତି। କୋର୍ଟ କହିଛନ୍ତି ଯେ ଏହି ପଶୁମାନେ ସାଧାରଣ ଲୋକଙ୍କୁ, ବିଶେଷ କରି ଛୋଟ ପିଲାମାନଙ୍କୁ ଆକ୍ରମଣ କରୁଥିବା ଘଟଣାକୁ ଅଦାଲତ କଦାପି ଅଣଦେଖା କରିପାରିବେ ନାହିଁ। ସେପଟେ ହସ୍ପିଟାଲ, ବସ୍ ଷ୍ଟାଣ୍ଡ, ସ୍କୁଲ, ରେଳ ଷ୍ଟେସନ ଏବଂ ବିମାନବନ୍ଦର ଭଳି ସାର୍ବଜନୀନ ସ୍ଥାନରୁ କର୍ତ୍ତୃପକ୍ଷ ତୁରନ୍ତ ବୁଲା କୁକୁରମାନଙ୍କୁ ଉଠାଇ ନେବେ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଟୀକାକରଣ କିମ୍ବା ବନ୍ଧ୍ୟାକରଣ (Sterilization) କରାଯିବା ପରେ ମଧ୍ୟ କୁକୁରମାନଙ୍କୁ ପୁଣି ସେହି ସାର୍ବଜନୀନ ସ୍ଥାନକୁ ଫେରାଇ ଅଣାଯାଇପାରିବ ନାହିଁ। ରାସ୍ତାରୁ ଉଠାଯାଇଥିବା ଏହି କୁକୁରମାନଙ୍କୁ ନିର୍ଦ୍ଦିଷ୍ଟ ପଶୁ ଆଶ୍ରୟସ୍ଥଳ (Animal Shelters)ରେ ରଖିବାକୁ ପଡ଼ିବ।ଅବହେଳା କଲେ ହେବ କାର୍ଯ୍ୟାନୁଷ୍ଠାନ, କୋର୍ଟ ଚେତାବନୀ ଦେଇଛନ୍ତି ଯେ ସର୍ବୋଚ୍ଚ ଅଦାଲତଙ୍କ ଏହି ନିର୍ଦ୍ଦେଶ ପାଳନ କରିବାରେ ଯଦି କୌଣସି ଅଧିକାରୀ ତ୍ରୁଟି କରନ୍ତି, ତେବେ ସେମାନଙ୍କ ବିରୁଦ୍ଧରେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।
