ଭୁବନେଶ୍ଵର(ସତ୍ୟପାଠ ବ୍ୟୁରୋ): ଜ୍ଞାନବାପୀ ମସଜିଦ ପରିସରରେ ଆଜି ସକାଳୁ ଆରମ୍ଭ ହୋଇଥିବା ସର୍ଭେ କାମ ବନ୍ଦ । ଏଏସଆଇକୁ ତୁରନ୍ତ କାମ ବନ୍ଦ କରବାକୁ ନିର୍ଦ୍ଦେଶ । ୨ ଦିନ ପାଇଁ ସୁପ୍ରିମକୋର୍ଟ ଏହି କଟକଣା ଲଗାଇଛନ୍ତି । ଜୁଲାଇ ୨୬ ସନ୍ଧ୍ୟା ୫ଟା ଯାଏଁ କଟକଣା ଲାଗିଛି । ସର୍ବେକ୍ଷଣ ବନ୍ଦ କରିବାକୁ ସୁପ୍ରିମକୋର୍ଟରେ ଜ୍ଞାନବାପୀ ମସଜିଦ ପରିିଚାଳନା କମିଟି ମାମଲା ଦାୟର କରିଥିଲା ।

ପୂର୍ବରୁ ଥିବା କୌଣସି ହିନ୍ଦୁ ମନ୍ଦିର ଉପରେ ଜ୍ଞାନବାପି ମସ୍‌ଜିଦ୍‌ ନିର୍ମିତ ହୋଇଛି କି, ନାହିଁ, ନିର୍ଦ୍ଧାରଣ କରିବା ପାଇଁ ‘ଏଏସ୍‌ଆଇ’କୁ ସର୍ଭେ ଲାଗି ଅନୁମତି ଦିଆଯାଇଥିଲା।

ଏହାଛଡ଼ା, ଜୁଲାଇ ୨୬ ତାରିଖରେ ଏହି ମାମଲାକୁ ବିଚାରକୁ ନେବା ପାଇଁ ସୁପ୍ରିମକୋର୍ଟ ଆହ୍ଲାବାଦ ହାଇକୋର୍ଟଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି।ଭାରତର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଆଦେଶ ଦେଇଛନ୍ତି ଯେ, ବାରାଣସୀର କାଶୀ ବିଶ୍ବନାଥ ମନ୍ଦିର ପାର୍ଶ୍ବରେ ଅବସ୍ଥିତ ଏହି ମସ୍‌ଜିଦ୍‌ ଗୋଟାଏ ମନ୍ଦିର ଉପରେ ନିର୍ମିତ ହୋଇଛି କି, ନାହିଁ, ବୋଲି ନିର୍ଦ୍ଧାରଣ କରିବା ଲାଗି ‘ଏଏସ୍‌ଆଇ’ କୌଣସି ଖୋଳାଖୋଳି କାମ କରିପାରିବ ନାହିଁ।

ସେହିପରି, ମସ୍‌ଜିଦ୍‌ କମିଟି ଫାଇଲ୍‌ କରିଥିବା ଆବେଦନର ଆଜି ଶୁଣାଣି କରିବା ଲାଗି ମଧ୍ୟ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ମସ୍‌ଜିଦ୍‌ କମିଟି ତରଫରୁ ଅଦାଲତରେ ହାଜର ହୋଇଥିଲେ ବରିଷ୍ଠ ଆଡ୍‌ଭୋକେଟ୍‌ ହୁଜେଫା ଅହମଦି। ଏହି ମାମଲାର ଜରୁରୀକାଳୀନ ଶୁଣାଣି ଲାଗି ତାଙ୍କ ଆବେଦନ ପ୍ରତି ଅଦାଲତ ଦୃଷ୍ଟି ଦେଇଥିଲେ। ଅପରାହ୍ଣ ୨ଟାରେ ଏହି ଆବେଦନର ଶୁଣାଣି କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଉତ୍ତର ପ୍ରଦେଶ ସରକାରଙ୍କ ତରଫରୁ ପ୍ରତିନିଧିତ୍ବ କରୁଥିବା ସଲିସିଟର୍‌ ଜେନେରାଲ୍‌ ତୁଷାର ମେହେଟ୍ଟାଙ୍କୁ ସୁପ୍ରିମକୋର୍ଟ କହିଛନ୍ତି ଯେ, ମସ୍‌ଜିଦ୍‌ ପରିସରରେ ‌ଖୋଳାଖୋଳି ଅଥବା ଉତ୍‌ଖନନ କାର୍ଯ୍ୟ ନ କରିବା ଲାଗି ‘ଏଏସ୍‌ଆଇ’ ଟିମ୍‌କୁ ସୂଚାଇ ଦିଅନ୍ତୁ।