ଆଡିଲେଡ୍: ଟି-୨୦ ବିଶ୍ଵ କପ୍ ୨୦୨୨ରୁ ଭାରତୀୟ ଦଳର ବିଜୟ ଯାତ୍ରା ଅଭିଯାନ ସମାପ୍ତ ହୋଇଛି। ସେମି ଫାଇନାଲ୍ରେ ପରାସ୍ତର ର ସାମ୍ନା କରିଛି ଭାରତ । ଇଂଲଣ୍ଡ ହାତରୁ ପରାଜୟ ସହିତ ଭାରତୀୟ ଦଳର ବିଶ୍ଵ କପ୍ ଜିତିବା ସ୍ଵପ୍ନ ଧୂଳିସାତ ହୋଇଛି। ତେବେ ମ୍ୟାଚ୍ ପରେ ଭାବ ବିହ୍ଵଳ ଦୃଶ୍ୟ ଦେଖିବାକୁ ମିଳିଛି। ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ଆଖି ଛଳ ଛଳ ହୋଇ ଉଠିଛି। ଡଗ୍ ଆଉଟ୍ରେ ବସି ରୋହିତ ନିଜ ଆଖିର ଲୁହ ପୋଛୁଥିବା ଦେଖିବାକୁ ମିଳିଛି।
ମ୍ୟାଚ୍ ସରିବା ପରେ ଯେବେ ଭାରତୀୟ ଦଳର ଖେଳାଳି ଇଂଲଣ୍ଡ ଖେଳାଳିଙ୍କ ସହ ହାତ ମିଳାଇ ଡଗ୍ ଆଉଟ୍ରେ ପହଞ୍ଚିଲେ, ସେହି ସମୟରେ ରୋହିତ ଶର୍ମା ବହୁତ ଭାବୁକ ହୋଇ ପଡିଥିଲେ। ବହୁ ସମୟ ଧରି ରୋହିତ ଶର୍ମାଙ୍କୁ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ ସହ ଆଲୋଚନା କରୁଥିବା ଦେଖିବାକୁ ମିଳିଛି। ଆଲୋଚନା ପରେ ରୋହିତ ଶର୍ମା ବହୁତ ଭାବୁକ ହୋଇ ପଡିଥିଲେ ଏବଂ କୋଚ୍ ରାହୁଲ ଦ୍ରାବିଡ ତାଙ୍କୁ ସମ୍ଭାଳୁଥିବା ଦେଖିବାକୁ ମିଳିଥିଲା।
ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ମଧ୍ୟ ପଡିଆରେ ନିରାଶ ଦେଖିବାକୁ ମିଳିଛି। ୧୦ ଓ୍ଵିକେଟ୍ରେ ଦଳର ପରାଜୟ ପରେ ବିରାଟ କୋହଲି ନିରାଶ ସହ ନିଜ ମୁହଁକୁ ଟୋପିରେ ଲୁଚାଉଥିବା ଦେଖିବାକୁ ମିଳିଥିଲା। ନଇଁ ପଡୁଥିବା କାନ୍ଧ ଦର୍ଶାଉଥିଲା ଯେ, କିଙ୍ଗ କୋହଲି ପରାଜୟରେ କେଉଁଭଳି ନିରାଶ ଅଛନ୍ତି।
ସୂଚନାଯୋଗ୍ୟ, ଭାରତୀୟ ଦଳ ପ୍ରଥମ ଥର ରୋହିତ ଶର୍ମାଙ୍କ ନେତୃତ୍ଵରେ ପ୍ରଥମ ଥର ଆଇସିସି ଟୁର୍ଣ୍ଣାମେଣ୍ଟ ଖେଳୁଥିଲା। ମାତ୍ର ଏଥିର ବି ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ହୃଦୟ ଭାଙ୍ଗିଛି। ଭାରତର ବିଶ୍ଵ କପ୍ ଅଭିଯାନରେ ପୂର୍ଣ୍ଣଛେଦ ପଡିଛି। ପୁଣି ଥରେ ଆଉ ଏକ ସେମି ଫାଇନାଲ୍ରେ ପରାଜିତ ହୋଇଛି ଭାରତ।
ମ୍ୟାଚ୍ ଉପରେ ନଜର ପକାଇଲେ ପ୍ରଥମେ ବ୍ୟାଟିଂ କରି ଭାରତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୬୩ ରନ ଏବଂ ବିରାଟ କୋହଲିଙ୍କ ୫୦ ରନ ବଳରେ ୬ ଓ୍ଵିକେଟ୍ ହରାଇ ୧୬୮ ରନ କରିଥିଲା। ଜବାବରେ ଇଂଲଣ୍ଡ ଆଲେକ୍ସ ହେଲ୍ସଙ୍କ ୮୬ ଏବଂ ବଟଲରଙ୍କ ୮୦ ରନର ଦମଦାର ଇନିଂସ ବଳରେ ମାତ୍ର ୧୬ ଓଭରରେ ବିନା ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ନଭେମ୍ବର ୧୩ରେ ଫାଇନାଲ୍ରେ ଇଂଲଣ୍ଡ ପାକିସ୍ତାନକୁ ଭେଟିବ।





