ଦିଲ୍ଲୀ ମ୍ୟୁନିସିପାଲିଟି ନିର୍ବାଚନ : ବିବାଦୀୟ ନେତା ଜଗଦିଶ ଟାଇଟଲରଙ୍କୁ ପ୍ରଦେଶ ନିର୍ବାଚନ କମିଟିର ସଦସ୍ୟ ନିଯୁକ୍ତିକୁ ନେଇ କଂଗ୍ରେସକୁ ଟାର୍ଗେଟ କଲା ବିଜେପି

ନୂଆଦିଲ୍ଲୀ: ଦିଲ୍ଲୀ ମ୍ୟୁନିସିପାଲିଟି ନିର୍ବାଚନ ୨୦୨୨ ପାଇଁ କଂଗ୍ରେସ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ, ବିବାଦୀୟ ନେତା ଜଗଦିଶ ଟାଇଟଲରଙ୍କୁ ପ୍ରଦେଶ ନିର୍ବାଚନ କମିଟିର ସଦସ୍ୟ ନିଯୁକ୍ତି କରିଛି କଂଗ୍ରେସ। ଯାହାକୁ ନେଇ ଦଳକୁ ଟାର୍ଗେଟ୍ କରିବା ଆରମ୍ଭ କରିଦେଇଛି ବିଜେପି।

୧୯୮୪ ଶିଖ୍ ଦଙ୍ଗାରେ ଟାଇଟଲରଙ୍କ ସମ୍ପୃକ୍ତି ନେଇ ତଥ୍ୟ ମିଳିବା ପରେ କିଛି ବର୍ଷ ହେଲା ଟାଇଟଲରଙ୍କ ଠାରୁ ଦୂରତା ବନାଇଥିଲା କଂଗ୍ରେସ। ଏବେ ପୁଣି ତାଙ୍କୁ ନିର୍ବାଚନ କମିଟି ସଦସ୍ୟ ନିଯୁକ୍ତି କରିବାକୁ ନେଇ ବିଜେପି ଟାର୍ଗେଟ୍ କରିଛି।

ଟାଇଟଲର ପ୍ରଥମେ ୧୯୮୦ରେ ଲୋକସଭା ନିର୍ବାଚନ ଜିତିଥିଲେ। ଏହାପରେ ୧୯୯୨ ଓ ୨୦୦୪ ଲୋକସଭା ନିର୍ବାଚନ ମଧ୍ୟ ଜିତିଛନ୍ତି। ତେବେ ଶିଖ୍ ଦଙ୍ଗାରେ ନାନାବତୀ କମିଶନଙ୍କର ରିପୋର୍ଟ ପରେ ଦଳରୁ ଇସ୍ତଫା ଦେଇଥିଲେ ଟାଇଟଲର। ତାଙ୍କୁ ନେଇ ବିବାଦ ଦେଖା ଦେଇଥିବାରୁ କଂଗ୍ରେସ ୨୦୦୯ ଲୋକସଭା ନିର୍ବାଚନ ପାଇଁ ତାଙ୍କୁ ଟିକେଟ୍ ଦେଇନଥିଲା। ଏହାପର ଠାରୁ ଟାଇଟଲର ସକ୍ରିୟ ରାଜନୀତିରେ ଏକ ପ୍ରକାର ଦୂରେଇ ଯାଇଥିଲେ।

ମଝିରେ ମଝିରେ ଯଦିଓ ଟାଇଟଲର କଂଗ୍ରେସ ଗହଣରେ ଦେଖାଯାଇଛନ୍ତି। ହେଲେ ବିଜେପି ଏହାକୁ ଦେଖିବା ମାତ୍ରେ କଂଗ୍ରେସକୁ ଶିଖ୍ ବିରୋଧୀ ବୋଲି ଦର୍ଶାଇଛି।

Related Posts