
ମେଲବର୍ଣ୍ଣ: ଟି-୨୦ ବିଶ୍ଵ କପ୍ ୨୦୨୨ର ସରିଲା ସୁପର ୧୨ ମୁକାବିଲା। ଆଜି ଶେଷ ମ୍ୟାଚରେ ଭାରତ ଓ ଜିମ୍ବାଓ୍ଵେ ପରସ୍ପରକୁ ଭେଟିଥିବା ବେଳେ, ୭୧ ରନରେ ଜିମ୍ବାଓ୍ଵେକୁ ହରାଇ ଭାରତ ଗ୍ରୁପ -୨ର ଶୀର୍ଷ ସ୍ଥାନ ହାସଲ କରିଛି। ଏବେ ଭାରତ ସେମି ଫାଇନାଲ୍ରେ ଗ୍ରୁପ-୧ର ଦ୍ଵିତୀୟ ସ୍ଥାନରେ ଥିବା ଇଂଲଣ୍ଡକୁ ଭେଟିବ।
ସୁର୍ଯ୍ୟକୁମାର ଯାଦବଙ୍କ ୬୧ ରନର ବିସ୍ଫୋରକ ଇନିଂସ ଏବଂ କେଏଲ ରାହୁଲଙ୍କ ୫୧ ରନ ବଳରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୮୬ ରନ କରିଥିଲା। ଜବାବରେ ଜିମ୍ବାଓ୍ଵେ ଭାରତୀୟ ବୋଲରଙ୍କ ଉଚିତ୍ ମୁକାବିଲା କରିନପାରି ୧୭.୨ ଓଭରରେ ୧୧୫ ରନରେ ଅଲଆଉଟ୍ ହୋଇଛି। ଦଳ ପକ୍ଷରୁ ରବି ଚନ୍ଦ୍ରନ ଅଶ୍ଵିନ ସର୍ବାଧିକ ୩ଟି ଓ୍ଵିକେଟ୍ ନେଇଥିବା ବେଳେ ମହମ୍ମଦ ଶାମି ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ।
୧୮୭ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଜିମ୍ବାଓ୍ଵେ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ଭାରତୀୟ ବୋଲରଙ୍କ ଉଚିତ୍ ମୁକାବିଲା କରିନପାରି ଜିମ୍ବାଓ୍ଵେ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିଲା। ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ଅଧିକ ସମୟ ତିଷ୍ଠି ପାରିନଥିଲେ ଜିମ୍ବାଓ୍ଵେ ବ୍ୟାଟର। ସିକନ୍ଦର ରାଜା(୩୪) ଏବଂ ରିୟାନ ବୁର୍ଲ(୩୫) ରନ ବାଦ୍ ଦେଲେ ଅନ୍ୟ କୌଣସି ବ୍ୟାଟସମ୍ୟାନ କ୍ରିଜରେ ତିଷ୍ଠି ପାରିନଥିଲେ। ଫଳରେ ପାକିସ୍ତାନକୁ ହରାଇ କ୍ରିକେଟ୍ ଜଗତରେ ଚହଳ ପକାଇଥିବା ଜିମ୍ବାଓ୍ଵେ ୧୭.୨ ଓଭରରେ ୧୧୫ ରନରେ ଅଲଆଉଟ୍ ହୋଇଛି।
ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ଵିନ ୪ ଓଭରରେ ୨୨ ରନ ଦେଇ ସର୍ବାଧିକ ୩ଟି ସଫଳତା ପାଇଛନ୍ତି। ମହମ୍ମଦ ଶାମି ୧୪ ରନ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୧୬ ରନ ଦେଇ ଯଥାକ୍ରମେ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। ଭୁବନେଶ୍ଵର କୁମାର, ଅର୍ଶଦୀପ ସିଂହ ଏବଂ ଅକ୍ଷର ପଟେଲ୍ ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଛି।