ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ଆମେରିକା ରାଷ୍ଟ୍ରପତି: 500 ମିଲିୟନ ଡଲାର ସହାୟତା ଯୋଗାଇଦେବାକୁ ଦେଲେ ପ୍ରତିଶୃତି

ରୁଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ଯୁଦ୍ଧ | ରୁଷ ସେନା ଲଗାତାର ଭାବରେ ୟୁକ୍ରେନ ଉପରକୁ ଆକ୍ରମଣ କରି ଚାଲିଥିବା ବେଳେ, ଆମେରିକା ଆରମ୍ଭରୁ ରୁଷ କୁ ବିରୋଧ କରି ଆସୁଛି | ରୁଷ ବିରୋଧରେ ଅନେକ କଟକଣା ଲଗାଇ ଯୁଦ୍ଧ କୁ ଏଡ଼ାଇବା ପାଇଁ ପ୍ରୟାସ ଜାରି ରଖିଛି | ତେବେ ଏହାରି ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଉଭୟଙ୍କ ମଧ୍ୟରେ ଟେଲିଫୋନିକ ବାର୍ତ୍ତାଳାପ ହୋଇଛି । ପର୍ବରୁ ୟୁକ୍ରେନକୁ ସମସ୍ତ ସହାୟତାର ପ୍ରତିଶ୍ରତି ଯୋଗାଇ ଆସୁଥିବା ଆମେରିକା ଆଜି ସିଧାସଳଖ ବଜେଟରେ 500 ମିଲିୟନ ଡଲାର ସହାୟତା ଯୋଗାଇଦେବାକୁ ଆଗ୍ରହୀ ଥିବା କହିଛନ୍ତି ବାଇଡେନ।

ସେହିପରି ଜାରି ରହିଥିବା ଯୁଦ୍ଧ ପରିସ୍ଥିତି ବିଷୟରେ ମଧ୍ୟ ବାଇଡେନ ୟୁକ୍ରେନ ରଷ୍ଟ୍ରପତିଙ୍କ ଠାରୁ ଅବଗତ ହୋଇଥିଲେ । ୟୁକ୍ରେନ କରିଥିବା ସୁରକ୍ଷା ସହାୟତା ଅନୁରୋଧକୁ ପୂରଣ କରିବା ପାଇଁ ଆମେରିକା ସର୍ବଦା ତତ୍ପର ଅଛି ଓ ସହଯୋଗ ଯୋଗାଇବା ପାଇଁ ପ୍ରସ୍ତୁତ ବୋଲି ବାଇଡେନ ଜେଲେନସ୍କିଙ୍କୁ ଭରସା ଦେଇଥିବା ମଧ୍ୟ ସୂଚନା ମିଳିଛି ।

ଅନ୍ୟପଟେ ଯୁକ୍ତରାଷ୍ଟ୍ର ଆମେରିକାର ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି, ଚାଲିଥିବା ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧର ବାସ୍ତବ ପରିସ୍ଥିତି ବିଷୟରେ, ବି‌ଶେଷ କରି ଯୁଦ୍ଧରେ ରୁଷୀୟ ସେନାର ପ୍ରଦର୍ଶନ ସମ୍ପର୍କରେ ପୁଟିନ୍‌ଙ୍କୁ ସତ କଥା କହିବା ଲାଗି ତାଙ୍କ କର୍ମଚାରୀମାନେ ଖୁବ୍‌ ଡରୁଛନ୍ତି। ସାର୍ବଜନୀନ କରାଯାଇଥିବା ଯୁକ୍ତରାଷ୍ଟ୍ର ଆମେରିକା ଗୁଇନ୍ଦା ବିଭାଗର କେତେକ ରିପୋର୍ଟରୁ ସେ ଉପରୋକ୍ତ ତଥ୍ୟ ପାଇଥିବା କଥା ସୂଚାଇଛନ୍ତି। ପୁଟିନ୍‌ ଏବଂ ତାଙ୍କ ପ୍ରତିରକ୍ଷା ମନ୍ତ୍ରାଳୟ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା କଥା ମଧ୍ୟ ଗୁଇନ୍ଦା ରିପୋର୍ଟରୁ ସୂଚନା ମିଳୁଛି।

ହ୍ବାଇଟ୍‌ ହାଉସ୍‌ ‘କମ୍ୟୁନିକେସନ୍‌ ଡାଇରେକ୍ଟର୍‌’ କେଟ୍‌ ବେଡିଙ୍ଗ୍‌ଫିଲଡ୍‌ କହିଛନ୍ତି, ଆମର ମନେହୁଏ ରୁଷୀୟ ସେନାର ମନ୍ଦ ପ୍ରଦର୍ଶନ ବିଷୟରେ ପୁଟିନ୍‌ଙ୍କ ପରାମର୍ଶଦାତାମାନେ ତାଙ୍କୁ ବିଭ୍ରାନ୍ତିକର ତଥ୍ୟ ଦେଉଛନ୍ତି। ଏହାଛଡ଼ା, କଟକଣା ଯୋଗୁଁ ରୁଷ୍‌ର ଅର୍ଥନୀତି କିଭଳି ସ୍ଥାଣୁ ପାଲଟି ଆସୁଛି ସେ କଥା କହିବାକୁ ମଧ୍ୟ ପୁଟିନଙ୍କ ପରାମର୍ଶଦାତାମାନେ ଖୁବ୍‌ ଡରୁଛନ୍ତି।

ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ସଚିବ ମଧ୍ୟ ଯୁକ୍ତରାଷ୍ଟ୍ର ଆମେରିକୀୟ ଗୁଇନ୍ଦା ରିପୋର୍ଟ ବିଷୟରେ ଆଲୋଚନା କରି କହିଛନ୍ତି ଯେ, ପରାମର୍ଶଦାତାମାନେ ପୁଟିନ୍‌ଙ୍କୁ ନିରାଟ ସତ କଥା କହୁନାହାନ୍ତି।

Related Posts