
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗଞ୍ଜେଇ ଜବତ ଓ ବ୍ୟବହାରକୁ ନେଇ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର ବାଇଡେନ ଦେଶ ଉଦ୍ଦେଶ୍ୟରେ ଏକ ଭିଡିଓ ବାର୍ତ୍ତା ଜାରି କରି ଘୋଷଣା କରିଛନ୍ତି ଯେ ଯେଉଁମାନେ ଗଞ୍ଜେଇ ରଖୁଛନ୍ତି ଓ ବ୍ୟବହାର କରୁଛନ୍ତି ସେମାନଙ୍କୁ ଜେଲ ଦଣ୍ଡ ଦେବା ଉଚିତ୍ ନୁହେଁ। ଏହି ଅଭିଯୋଗରେ ଜେଲରେ ଥିବା ସମସ୍ତ କଏଦୀଙ୍କୁ ମୁକ୍ତ କରାଯିବ ବୋଲି ସେ ଘୋଷଣା କରିଛନ୍ତି।
ଏହି ମାମଲାରେ ଜୋ ବାଇଡେନ କହିଛନ୍ତି ଯେ, ଦେଶର ଫେଡେରାଲ ଜେଲରେ ଗଞ୍ଜେଇ ବ୍ୟବହାର ଓ ରଖିବା ଅଭିଯୋଗରେ ଥିବା ସମସ୍ତ ବ୍ୟକ୍ତିଙ୍କୁ ମୁକ୍ତ କରାଯିବ। ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ସମୟରେ ଏ ସମ୍ପର୍କରେ ପଦକ୍ଷେପ ନେବାକୁ ଜୋ ବାଇଡେନ ପ୍ରତିଶ୍ରୁତି ଦେଇଥିଲେ।
ସୂଚନାଯୋଗ୍ୟ ଯେ, ୨୦୧୯ରେ ଆମେରିକାର ସମୁଦାୟ ଜନସଂଖ୍ୟାର ଅନ୍ୟୂନ ୧୮% ଗଞ୍ଜେଇ ବ୍ୟବହାର କରୁଥିବା ନେଇ ସରକାରୀ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷମାନେ ଆକଳନ କରିଛନ୍ତି। ଏହି ଲୋକମାନେ ନିଜ ପାଖରେ ଗଞ୍ଜେଇ ରଖୁଥିଲେ। ତେବେ ପୂର୍ବରୁ ଅବସର ବିନୋଦନ ଓ ଡାକ୍ତରୀ ଉଦ୍ଦେଶ୍ୟରେ ଗଞ୍ଜେଇ ବ୍ୟବହାର କରି ହେବ ବୋଲି ଆମେରିକାର ଏକାଧିକ ରାଜ୍ୟ ସରକାର ଅନୁମତି ପ୍ରଦାନ କରିସାରିଛନ୍ତି।