ପୂର୍ବତନ ଆଇପିଏସ୍ ଅଫିସର ଅନ୍ନାମଲାଇ ହେଲେ ତାମିଲନାଡୁ ବିଜେପି ଅଧ୍ୟକ୍ଷ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପୂର୍ବତନ ଆଇପିଏସ୍ ଅଧିକାରୀ ତଥା ତାମିଲନାଡୁ ବିଜେପିର ଉପ ସଭାପତି ଅନ୍ନାମଲାଇଙ୍କୁ ରାଜ୍ୟ ସଭାପତି ଭାବରେ ନିଯୁକ୍ତ କରାଯାଇଛି। ପୂର୍ବରୁ ଏଲ୍ ମୁରୁଗାନ ତାମିଲନାଡୁ ବିଜେପିର ସଭାପତି ଥିଲେ। ବୁଧବାର ମୋଦୀ କ୍ୟାବିନେଟ ସମ୍ପ୍ରସାରଣରେ ତାଙ୍କୁ ସୂଚନା ଓ ପ୍ରସାରଣ ବିଭାଗର ରାଜ୍ୟ ମନ୍ତ୍ରୀ କରାଯାଇଥିଲା।


ବର୍ତ୍ତମାନ ଅନ୍ନାମଲାଇଙ୍କୁ ତାମିଲନାଡୁ ବିଜେପି ଅଧ୍ୟକ୍ଷ ଭାବେ ଦାୟିତ୍ଵ ଦିଆଯାଇଛି। ସେ ଅଗଷ୍ଟ 2020 ରେ ବିଜେପିରେ ଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ ଅରବାକୁରିଚି ଆସନରୁ ନିର୍ବାଚନ ଲଢି ପରାସ୍ତ ହୋଇଥିଲେ। ତଥାପି ବି ଅନ୍ନାମଲାଇ ତାଙ୍କର ବୟାନ ପାଇଁ ରାଜ୍ୟରେ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଛନ୍ତି। ହୁଏତ ଗଣମାଧ୍ୟମରେ ସର୍ବଦା ଚର୍ଚ୍ଚାରେ ରହିଥିବା ଯୋଗୁଁ ତାଙ୍କୁ ରାଜ୍ୟ ବିଜେପି ମୁଖ୍ୟ କରାଯାଇଛି। ଯଦିଓ ସେ ଦଳରେ ଯୋଗଦେବାର ଏକ ବର୍ଷ ମଧ୍ୟ ପୂରଣ କରିନାହାଁନ୍ତି ତଥାପି ବି ବିଜେପି ତାଙ୍କୁ ଭରସାରେ ନେଇଛି। ବିଜେପି କେନ୍ଦ୍ରୀୟ ନେତୃତ୍ୱ ଅନ୍ନାମଲାଇଙ୍କ ଉପରେ ଦୃଢ ବିଶ୍ବାସ କରୁଛି। ନିର୍ବାଚନ ସମୟରେ ମଧ୍ୟ ସେ ବିଭିନ୍ନ କମିଟି ସହ ଆଲୋଚନା କରିଥିଲେ।


ସେ ବିଜେପିରେ ଯୋଗ ଦେଉଥିବା ବେଳେ ଅନ୍ନାମଲାଇ କହିଥିଲେ “ମୁଁ ବିଜେପିର ବୃହତ ଦୃଷ୍ଟିକୋଣ ସହିତ ଘନିଷ୍ଠ ଅଟେ। ମୁଁ ଦଳରେ ରହିବାର ସୁଯୋଗ ପାଇବି ଏବଂ ତାମିଲନାଡୁରେ ଦଳକୁ ଆଗକୁ ନେବା ପାଇଁ ସାହାଯ୍ୟ କରିବି ଏବଂ ମୁଁ ଦେଖୁଛି ଯେ ମୁଁ ସେଠାରେ (ବିଜେପିରେ) ସ୍ବାଭାବିକ ଭାବେ ଫିଟ୍। ଅନ୍ନାମଲାଇ କର୍ଣ୍ଣାଟକ କ୍ୟାଡରର 2011 ବ୍ୟାଚ୍ ର ଆଇପିଏସ୍ ଅଧିକାରୀ ଭାବରେ କାର୍ଯ୍ୟ କରିଥିଲେ ଏବଂ ମେ 2019 ରେ ସେ ଚାକିରିରୁ ଇସ୍ତଫା ଦେବା ପୂର୍ବରୁ ବେଙ୍ଗାଲୁରୁର ଡେପୁଟି କମିଶନର ଭାବରେ କାର୍ଯ୍ୟ କରିଥିଲେ। ଏହା ପୂର୍ବରୁ ଚିକ୍କାମାଲୁରୁ ଜିଲ୍ଲାରେ ସେ ନଅ ବର୍ଷ ପର୍ଯ୍ୟନ୍ତ ଆଇପିଏସ୍ ଅଧିକାରୀ ଭାବରେ କାର୍ଯ୍ୟ କରିଥିଲେ। ତାମିଲନାଡୁର କରୁରର ମୂଳ ବାସିନ୍ଦା ଶ୍ରୀ କେ ଅନ୍ନାମଲାଇ 2011 ମସିହାରେ କର୍ଣ୍ଣାଟକ-କ୍ୟାଡର ଅଧିକାରୀ ନଅ ବର୍ଷ ଧରି ବିଭିନ୍ନ ପଦବୀରେ ରାଜ୍ୟରେ ସେବା କରିଥିଲେ।


ସୂଚନାଯୋଗ୍ୟ ଯେ ନିକଟରେ ଶେଷ ହୋଇଥିବା ତାମିଲନାଡୁ ବିଧାନସଭା ନିର୍ବାଚନରେ ବିଜେପି ଏଆଇଡିଏମକେ ସହ ଗଠବନ୍ଧନ କରିଥିବା ସତ୍ତ୍ୱେ ସଫଳତା ହାସଲ କରି ପାରି ନାହିଁ। ଡିଏମକେ କଂଗ୍ରେସ ଗଠବନ୍ଧନ ରାଜ୍ୟରେ କ୍ଷମତାକୁ ଫେରିବାରେ ସଫଳ ହୋଇଛି।

Related Posts