ବିଜେପି ଚାର୍ଜସିଟର ଜବାବ ରଖିଲେ ଲେଖାଶ୍ରୀ; କହିଲେ, ‘ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣୁଛି ବିଜେପି’

ଭୁବନେଶ୍ୱର,୨୫/୪(ସତ୍ୟପାଠ ବ୍ୟୁରୋ):  ବିଜେପିର ନେତାମାନେ ନିର୍ବାଚନ ହାରୁଥିବା ଅନୁଭବ କଲେ ବିନା କୌଣସି ତଥ୍ୟ ଆଧାରରେ ମିଛ ଓ ଭିତ୍ତିହୀନ ଅଭିଯୋଗ ଆଣିଥାନ୍ତି। ୨୦୧୯ ମସିହାରେ ମଧ୍ୟ ଏଭଳି ତଥାକଥିତ ଚାର୍ଜସିଟ୍‌ ଓଡ଼ିଶା ବିଜେପି ପକ୍ଷରୁ ଅଣାଯାଇଥିଲା। ୨୦୨୪ରେ ବିଜେପି ଓଡ଼ିଶାରେ ଶୋଚନୀୟ ଭାବେ ହାରିବାକୁ ଯାଉଥିବା ଜାଣିସାରିଲେଣି। ଚାର୍ଜସିଟ୍‌ ନାଁରେ ଭିତ୍ତିହୀନ ଓ କପୋଳକଳ୍ପିତ କଥା ଉଲ୍ଲେଖ କରାଯାଇଥିବା କହିଛନ୍ତି ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର।

ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି ଯେ କେନ୍ଦ୍ରୀୟ ସଂସ୍ଥାର ରିପୋର୍ଟ ଅନୁସାରେ, ଦେଶରେ ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି ଚାଷୀଙ୍କ ଆୟ ଦୁଇଗୁଣା ହୋଇଛି। ହେଲେ ଓଡ଼ିଶାକୁ କୃଷି କ୍ଷେତ୍ର ପାଇଁ ସମାଲୋଚନା କରାଯାଉଛି। କେନ୍ଦ୍ରୀୟ ସଂସ୍ଥାର ରିପୋର୍ଟ ଅନୁସାରେ ଦେଶରେ ସବୁଠାରୁ କମ୍ ବେକାରୀ ହାର ଓଡ଼ିଶାରେ। ହେଲେ ମିଛ ତଥ୍ୟ ଉପସ୍ଥାପନ କରାଯାଇ ଓଡ଼ିଶାର ଛବିକୁ ମଳିନ କରିବାକୁ ଚେଷ୍ଟା କରାଯାଉଛି। ମହିଳା ସୁରକ୍ଷା ନେଇ ବିଜେପି ଓଡ଼ିଶାକୁ ସମାଲୋଚନା କରୁଥିବା ବେଳେ ବିଜେପି ଶାସିତ ରାଜ୍ୟ ଗୁଡ଼ିକରେ ମହିଳା ବିରୋଧୀ ଅପରାଧ ସଂଖ୍ୟା ଢେର ଅଧିକ। ବର୍ତ୍ତମାନର ରାଜ୍ୟ ବିଜେପି ସଭାପତି ମନମୋହନ ସାହୁଙ୍କ ନୂଆଦିଲ୍ଲୀସ୍ଥିତ ଓଡ଼ିଶା ନିବାସର କେଳେଙ୍କାରୀ କଥା ସମସ୍ତେ ଜାଣିଛନ୍ତି। ସେଥିପାଇଁ ୨୦୦୮ ମସିହାରେ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଯାଇଥିଲା।

ରାଜ୍ୟର ହାଇସ୍କୁଲଗୁଡ଼ିକର ଶ୍ରେଣୀ ଗୃହ ଓଡ଼ିଶାରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟର ଶ୍ରେଣୀ ଗୃହଠାରୁ ଯଥେଷ୍ଟ ଉନ୍ନତ ମାନର। ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଅଛନ୍ତି ସତ କିନ୍ତୁ ନିଜ ଗାଁରେ ଗୋଟିଏ ବି ସ୍ମାର୍ଟ କ୍ଲାସ ରୁମ୍ କରିବାରେ ବିଫଳ ହୋଇଛନ୍ତି। ହେଲେ ରାଜ୍ୟ ସରକାର ୭ହଜାର ସ୍କୁଲର ରୂପାନ୍ତର କରିଛନ୍ତି। ସେ ଆହୁରିମଧ୍ୟ କହିଛନ୍ତି ଯେ ଗୋଟିଏ ରାଜ୍ୟରୁ ଆଉ ଏକ ରାଜ୍ୟକୁ ବିଦ୍ୟୁତ୍ ଯୋଗାଣ କରାଯାଇପାରିବ ନାହିଁ। ଏହା କେବଳ କେନ୍ଦ୍ରର ନିଷ୍ପତ୍ତି ଦ୍ୱାରା ସମ୍ଭବ। ଏ କ୍ଷେତ୍ରରେ ମଧ୍ୟ ଓଡ଼ିଶାକୁ ମିଛରେ ରାଜ୍ୟ ବିଜେପି ଟାର୍ଗେଟ୍ କରୁଛି। ନିଜର ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ଧର୍ମେନ୍ଦ୍ର ପ୍ରଧାନ ମିଛ ଅଭିଯୋଗ କରିବା ଓ ସମ୍ବେଦନଶୀଳ ପ୍ରସଙ୍ଗକୁ ରାଜନୀତିକରଣ କରିବାରେ ମାହିର। ଏଭଳି ନେତାଙ୍କୁ ପ୍ରଶ୍ରୟ ଦେଉଥିବା ଦଳ ଅନ୍ୟକୁ ଉପଦେଶ ଦେବାର କୌଣସି ନୈତିକତା ନାହିଁ। ଏଭଳି ମିଛ ଓ ଭିତ୍ତିହୀନ ଅଭିଯୋଗ ଆଣିବାର ଅଭ୍ୟାସ ପାଇଁ ହିଁ ବିଜେପି ଓଡ଼ିଶାରେ ଆଗକୁ ବଢ଼ିପାରୁନାହିଁ।

Related Posts