ତେନ୍ଦୁଲକରଙ୍କ ଡିପ୍‌ଫେକ୍‌ ଭିଡିଓ ମାମଲା; ଗେମିଙ୍ଗ୍‌ ଆପ୍‌ ମାଲିକଙ୍କ ବିରୋଧରେ ସାଇବର ପୁଲିସର ଆକ୍ସନ

ଭୁବନେଶ୍ବର,୧୮/୧(ସତ୍ୟପାଠ ବ୍ୟୁରୋ): କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ଡିପ୍‌ଫେକ୍‌ ଭିଡିଓ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସାଇବର ପୁଲିସ। ଏହି ମାମଲାରେ ମୁମ୍ବଇ ସାଇବର ପୁଲିସ ଗେମିଙ୍ଗ୍‌ ଆପ୍‌ ମାଲିକଙ୍କ ବିରୋଧରେ ଏତଲା ଦାୟର କରିଛି। ଏକ ଗେମିଙ୍ଗ୍‌ ଆପ୍ଲିକେସନ ସାଇଟ୍‌ ସଚିନ ତେନ୍ଦୁଲକରଙ୍କ ଡିପ୍‌ଫେକ୍‌ ଭିଡିଓ ପ୍ରସ୍ତୁତ କରି ଭାଇରାଲ୍‌ କରିଥିଲା। ଯେଉଁଥିରେ ସଚିନ ସେହି ଗେମ୍ କୁ ପ୍ରମୋଟ କରୁଥିବାର ନଜର ଆସିଥିଲେ।

ତେବେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଏକ ପୁରୁଣା ଭିଡିଓକୁ ଏଡିଟ୍‌ କରି ଡିପ୍‌ଫେକ୍‌ ଟେକ୍ନୋଲୋଜିର ବ୍ୟବହାର କରାଯାଇଥିଲା, ଯେଉଁଥିରେ ସେ ଏକ ଗେମିଙ୍ଗ୍‌ ଆପ୍‌ର ପ୍ରଚାରପ୍ରସାର କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓରେ ସଚିନ୍ କେବଳ ଆପକୁ ସମର୍ଥନ କରୁଥିବା ପ୍ରଦର୍ଶିତ କରାଯାଇନଥିଲା ବରଂ ମିଥ୍ୟା ଦାବି କରାଯାଇଥିଲା ଯେ, ତାଙ୍କ ଝିଅ ସାରା ଏହି ଆପ୍‌ରୁ ଆର୍ଥିକ ଲାଭ ଉଠାଉଛନ୍ତି।

ସଚିନ ନିକଟରେ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି ଟେକ୍ନୋଲୋଜିର ଅପବ୍ୟବହାର ଚିନ୍ତାଜନକ ବୋଲି କହିଥିଲେ। ପୋଷ୍ଟ ଜରିଆରେ ସେ ପ୍ରଶଂସକମାନଙ୍କୁ ସୋସିଆଲ ମିଡିଆ ପ୍ରତି ସତର୍କ ରହିବାକୁ କହିବା ସହ ଭୁଲ୍‌ ତଥ୍ୟ ପ୍ରଚାର ବିରୋଧରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଥିଲେ।

ସଚିନ ଡିପ୍‌ଫେକ୍‌ ଭିଡିଓ ଶେୟାର କରି ଲେଖିଥିଲେ, ”ଏହି ଭିଡିଓ ନକଲି। ଟେକ୍ନୋଲୋଜିର ଏତେ ବଡ଼ ଅପବ୍ୟବହାର ଚିନ୍ତାଜନକ। ସମସ୍ତଙ୍କୁ ଅନୁରୋଧ କରୁଛି ଯେ, ବହୁ ସଂଖ୍ୟାରେ ଏହି ଭିଡିଓ, ବିଜ୍ଞାପନ ଓ ଆପ୍‌କୁ ରିପୋର୍ଟ କରନ୍ତୁ। ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକୁ ଅଭିଯୋଗ ପ୍ରତି ସତର୍କ ଏବଂ ପ୍ରତିକ୍ରିୟାଶୀଳ ହେବା ଆବଶ୍ୟକ। ଭୁଲ ତଥ୍ୟ ଏବଂ ଡିପ୍‌ଫେକ୍‌ର ପ୍ରସାରକୁ ରୋକିବା ପାଇଁ ସେମାନଙ୍କ ତରଫରୁ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି।”

Related Posts