ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ପେଟ୍ରୋଲ ପାଇଁ ଭୟଙ୍କର ସ୍ଥିତି । ପେଟ୍ରୋଲ ନେବା ପାଇଁ ଚାଲିଛି ପ୍ରତିଯୋଗିତା । ତେବେ ଉପାନ୍ତ ଓ ଗ୍ରାମାଞ୍ଚଳ ପରେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିବାରେ ଲାଗିଛି ତେଲ ଅଭାବର ଚିତ୍ର । ତେଲ ନଥିବାରୁ କିଛି ପମ୍ପ ବନ୍ଦ ରହିଛି । ଆଉ ଯେଉଁଠି ମିଳୁଛି ସେଠି ଲାଗିଛି ଲୋକଙ୍କ ଲମ୍ବା ଧାଡ଼ି । ଅନ୍ୟପଟେ ତେଲର ଅଭାବ ନଥିବା କଥା ପୁଣି ଦୋହରାଇଛନ୍ତି ସରକାର ଓ ଡିଲର ସଂଘ ସମ୍ପାଦକ । ସେପଟେ ରୋଷେଇ ଗ୍ୟାସ ପାଇଁ ଲୋକେ ଧାଡ଼ି ଲଗାଇବା ପରେ ଏବେ ପେଟ୍ରୋଲ ନେବା ପାଇଁ ଚାଲିଛି ପ୍ରତିଯୋଗିତା । ଲମ୍ବା ଧାଡିରେ ଦୀର୍ଘ ସମୟ ଧରି ଛିଡା ହୋଇ ତେଲ ପକାଉଛନ୍ତି ଲୋକେ । ରାଜଧାନୀ ଭୁବନେଶ୍ୱରର କିଛି ପେଟ୍ରୋଲ ପମ୍ପ ବନ୍ଦ ଥିବାବେଳେ ଅନ୍ୟ ପେଟ୍ରୋଲ ପମ୍ପରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।
ଆଗକୁ ପେଟ୍ରୋଲ ମିଳିବ କି ନାହିଁ ଗ୍ରାହକମାନେ ସେହି ଆଶଙ୍କାରେ ଥିବାରୁ ପେଟ୍ରୋଲ ନେବା ପାଇଁ ଭିଡ଼ ଲଗାଇଛନ୍ତି । କିନ୍ତୁ ଆଗ ଭଳି ନିଜ ଇଛାରେ ଆଉ ତେଲ ମିଳୁନି । କଟକଣା ଅନୁସାରେ ଦୁଇ ଚକିଆ ଗାଡ଼ିକୁ ୨ଶହ ଟଙ୍କା ଓ ଚାରି ଚକିଆ ଗାଡ଼ିକୁ କେଉଁଠି ହଜାରେ ଟଙ୍କା ତ ଆଉ କେଉଁଠି ୨ହଜାର ଟଙ୍କାର ତେଲ ମିଳୁଛି । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ପ୍ରତିଦିନ ଗାଡ଼ି ଧରି କାମରେ ବାହାରୁଥିବା ମଣିଷ ।
